ସମାଜରେ ମହିଳାମାନଙ୍କୁ ଉଚିତ୍ ନ୍ୟାୟ ମିଳୁ
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଇକରା ପବ୍ଲିକ୍ ସ୍କୁଲ ତରଫରୁ ବିଶ୍ବ ମହିଳା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ପୂର୍ବତନ ଅତିରିକ୍ତ ବି.ଇ.ଓ ସ୍ବର୍ଣ୍ଣଲତା ସାମନ୍ତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ ଅହମଦୀୟା ମୁସଲିମ ମହିଳା ସଂଗଠନର ସଭାନେତ୍ରୀ ଅମତୁଲ ହଫିଜ, କେରଙ୍ଗ ଅହମଦୀୟା ମୁସଲିମ ମହିଳା ସଂଗଠନର ସଭାନେତ୍ରୀ ଶାହେଦା ବେଗମ, ଇକରା ପବ୍ଲିକ୍ ସ୍କୁଲ କମିଟିର ସଦସ୍ୟା ରୋକିଆ ବାନୁ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ଏହି ଦିବସ ଉପଲକ୍ଷେ ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସଫଳତା ଓ ପାରଦର୍ଶିତା ବିଷୟରେ ମତାମତ ରଖିଥିଲେ । । ଏହାସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଆହ୍ବାନ ଦେଇଥିଲେ । ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ କିପରି ବଢିପାରିବେ, ସ୍ବାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇପାରିବେ, ସମାଜରେ ମହିଳାଙ୍କୁ କିପରି ଉଚିତ୍ ନ୍ୟାୟ ମିଳିପାରିବ ଏ ବିଷୟରେ ନିଜର ମତାମତ ରଖିଥିଲେ । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରୁଛନ୍ତି ମହିଳାମାନେ । ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ନେଇ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଇକରା ପବ୍ଲିକ୍ ସ୍କୁଲର ସମସ୍ତ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ ।