ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ନେଇ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିଗପହଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ବ୍ଳକ କାର୍ଯ୍ୟାଳୟ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ତହସିଲଦାର ଅନୀତା ସାହୁ , ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରାଜୀବ ଚନ୍ଦ୍ର ପ୍ରଧାନ , ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ବିଭୁଦତ୍ତ ମିଶ୍ର , ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ , ଜିପିଡିଓ ଉମେଶ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ଆଣ୍ଡମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପ ପାଇଁ କ୍ଷେତ୍ର ସୃଷ୍ଟି କରିଛି । ମଙ୍ଗଳବାର ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ଧାରଣ କରି ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହୋଇଛି । ବୁଧବାର ଏହା ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା
ପ୍ରଶାସନର ନିର୍ଦ୍ଦେଶକ୍ରମେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ବୈଠକରେ କୁହାଯାଇଛି । ବୁଧବାର ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ନଇ କୁଳିଆ ଗ୍ରାମର ଅଧିବାସୀ ମାନଙ୍କୁ ସଚେତନ କରାଇବା , ଆବଶ୍ୟକ ସ୍ଥଳେ ସେମାନଙ୍କୁ ସୁରକ୍ଷିତ ସ୍ଥାନ କିମ୍ବା ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ସକାଶେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଗୁରୁବାର ପବନର ବେଗ ବଢିବାର ସମ୍ଭାବନା ଯଥେଷ୍ଟ ଥିବାରୁ ମାଟି ଘର ମାନଙ୍କରେ ବସ ବାସ କରୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ ପରାମର୍ଶ ଦିଆଯାଇଛି । ବ୍ଳକ ଅଧିନ ଗୋଲଣ୍ଡା , ଗଡଗୋବିନ୍ଦପୁର , ଭୀଷ୍ମଗିରି ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ଏନେଇ ଅଗ୍ନିଶମ ବିଭାଗ , ସ୍ବାସ୍ଥ୍ୟ ବିଭାଗ , ପାନୀୟଜଳ ବିଭାଗ , ବିଦ୍ୟୁତ ବିଭାଗ , ଘୋଡାହାଡ ଜଳସେଚନ ବିଭାଗ କର୍ମଚାରୀ ମାନେ ବିଶେଷ ସଜାଗ ରହିବାକୁ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ।