ସର୍ବଅବତାର
ନୀଳାଚଳେ ଲୀଳା
କରୁ ଚକାଡୋଳା
କେତେ କେତେ ନାମ ବହି,
ଯେତେ ଯେତେ ନାମ
ସେତେ ସେତେ କର୍ମ
ନାମ କର୍ମ ଫଳ ପାଇଁ ।
ଦୀନବନ୍ଧୁ ନାମେ
ଲୀଳା କରୁଅଛ
ହୋଇ ଦୀନଙ୍କର ବନ୍ଧୁ,
କୃପାସିନ୍ଧୁ ନାମ
ସାର୍ଥକ କରିଛ
ବାଣ୍ଟି କୃପା ସପ୍ତ ସିନ୍ଧୁ ।
ପତିତପାବନ
ନାମ ବହିଅଛ
ପତିତ ଉଧାର ପାଇଁ,
ପତିତପାବନ
ବାନା ଉଡାଉଛ
ନପଡୁ ପତିତ ଛାଇ ।
ମୀନ ରାମ ରୂପେ
ଦଶ ଅବତାରେ
ନାସିଛ ଅବନି ଭାର,
ବିଶ୍ବରୂପ ସହ
ବିଶ୍ବବ୍ରହ୍ମାଣ୍ଡକୁ
ଦେଖାଅ ପାଟି ଭିତର ।
ଆହେ ମହାବାହୁ
କି ବର୍ଣ୍ଣିବି ଆଉ
ସହଜେ ମାନବ ଛାର,
କେତେ ବା ଶକତି
ଆହେ ବିଶ୍ବପତି
ଶରଣ ତୁମ୍ଭ ଛାମୁର ।
ଦୀନକୃଷ୍ଣ ଭାସେ
ତୁମେ କାଳସର୍ପ
ସଭିଙ୍କ ଜୀବନ ହର,
ଜଗତ କହଇ
ଜଗତର ନାଥ
ତୁମେ ଦଶ ଅବତାର ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ