ସାଇ ସୁନ୍ଦର ଧାମରା ପ୍ରତିଷ୍ଠା ବାର୍ଷିକ ଉତ୍ସବ ଓ ମହା ଶିବରାତ୍ରୀ ପାଳିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଲକ୍ ପୋଚିଲିମ୍ମା ଛକରେ ଅବସ୍ଥିତ ଭବ୍ୟ ମନ୍ଦିର ସାଇ ସୁନ୍ଦର ଧାମର ପ୍ରତିଷ୍ଠା ବାର୍ଷିକ ଓ ମହା ଶିବରାତ୍ରୀ ପାଳନ ଉତ୍ସଵ ଗତ ତିନି ଦିନ ବ୍ୟାପି ଏକ ଆଧ୍ୟାତ୍ମିକ ଓ ଭାବାବେଗ ପରିବେଶରେ ସମ୍ପନ୍ନ ହୋଇଛି।ପ୍ରେମସାଇ ଗାର୍ଡେନ ପରିସରରେ ଆୟୋଜିତ ଏହି ମାଙ୍ଗଲ୍ୟ ଉତ୍ସବ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଗୁରୁବାର ଦିନ ସମାହିତ ହୋଇଥିଲା। ଏହି ଉପଲକ୍ଷେ ପ୍ରଥମ ଦିବସରେ ପ୍ରାତଃ ଜଳଯାତ୍ରା, କର୍ମାରମ୍ଭ ଓ ଅଗ୍ନି ସ୍ଥାପନ ନୀତି ସମ୍ପନ୍ନ ହୋଇଥିଲା। ଦ୍ଵିତୀୟ ଦିବସ ମହା ଶିବରାତ୍ରୀ ପାଳନ ଅବସରରେ ବିଶେଷ ପୂଜା, ହୋମାଦି, ଅଷ୍ଟ ପ୍ରହର ଅଖଣ୍ଡ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ,ବାବାଙ୍କ ପାଲିଙ୍କି ଯାତ୍ରା, ଆରତୀ, ମହାଦୀପ ଉତ୍ଥାପନ ଓ ପ୍ରପାନକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ତିମ ଦିବସରେ ବିଶେଷ ପୂଜା, ବାବାଙ୍କ ପାଲିଙ୍କି ଯାତ୍ରା, ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟର ପ୍ରମୁଖ ଯାଜ୍ଞିକ ପୁରୋହିତ ଓ ସହଯୋଗୀ କାର୍ଯ୍ୟକ୍ରମର ସମସ୍ତ ପୂଜାନୀତି ନିର୍ବାହ କରିଥିଲେ। ପ୍ରେମ ସାଇ ଗାର୍ଡେନ ସ୍ଥିତ ଶ୍ରୀ ଶିରିଡ଼ି ସାଇ ସେବା ସମିତି ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ପରିଚାଳନା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ସ୍ଥାନୀୟ ସହର ଓ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ଆବାଳ ବୃଦ୍ଧ ବନିତା,ଭକ୍ତ ଓ ଶ୍ରଦ୍ଧାଳୁଗଣ ଏହି ମାଙ୍ଗଲ୍ୟ ଉତ୍ସଵରେ ସାମିଲ ହୋଇ ବିଭୁକୃପା ଲାଭ କରିଥିଲେ।