ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକ ମୃତ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ବୁଡି ତିନି ବାଳକ ମୃତ। ଶିର୍ଷା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପିଲାମାନେ ସନ୍ଧ୍ୟା ସମୟରେ ଖେଳୁ ଥିବା ସମୟରେ ଖେଳୁଥିବା ବଲଟି କେନାଲ ପାଣିରେ ପଡିଯାଇଥିଲା। ବଲ ଆଣିବାକୁ ଯାଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ସାରସକଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ୩ଜଣଙ୍କୁ ଉଦ୍ଧାର କରିଥିଲେ। ସାରସକଣା ପଞ୍ଚାୟତ ମୁଣ୍ଢାକଟା ଗ୍ରାମର ଗଣେଶ୍ୱର ସାହୁଙ୍କ ପୁଅ ମଦନ ମୋହନ ସାହୁ (୧୪), ନୂଆଗାଁ ଗ୍ରାମର ସନ୍ତୋଷ ସାହୁଙ୍କ ପୁଅ ଶ୍ରୀୟାଂଶୁ ସାହୁ (୧୪), ସାରସକଣା ସୁମନ୍ତ ସାହୁଙ୍କ ପୁଅ ଯୋଶବନ୍ତ ସାଇସୁନ୍ଦର ସାହୁ (୧୪) ସାଙ୍ଗ ମାନଙ୍କ ସହିତ ପ୍ରତ୍ୟେକ ଦିନ କେନାଲ ନିକଟ ପଡିଆରେ ଖେଳୁଥିବା ବେଳେ ଆଜି ବଲଟି କେନାଲ ଭିତରକୁ ପଡି ଯାଇଥିଲା। ଏପରି ସ୍ଥଳେ ତିନିଜଣ ସାଙ୍ଗ ହାତ ଧରାଧରି ହୋଇ କେନାଲ ପାଣିରୁ ବଲ ଆଣିବାକୁ ଚେଷ୍ଟା କରି ବୁଡ଼ି ଯାଇଥିବା ଅନୁମାନ ହୁଏ।