ସ୍କୁଲ ପୋଷାକ ବଣ୍ଟନ ରେ 8 କୋଟିର ଦୁର୍ନୀତି ନେଇ ଭିଜିଲାନ୍ସ ରେ ଅଭିଯୋଗ କଲେ ପ୍ରଦୀପ ମାଝୀ

ନବରଙ୍ଗପୁର,(ୱାଇଏନଏସ) ନବରଙ୍ଗପୁର ରେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଶିକ୍ଷା ବିଭାଗର ଦୁର୍ନୀତି କୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଜିଲ୍ଲାରେ ସ୍କୁଲ ପୋଷାକ ବିତରଣ ରେ ୮ କୋଟି ଟଙ୍କାର ଦୁର୍ନୀତି ର ଅଭିଯୋଗ ଆଣିଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । ନବରଙ୍ଗପୁର ରେ ଅନୁଷ୍ଠିତ ବିଜେଡି ସମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିବା ସହ ତଥ୍ୟ ପ୍ରମାଣ ସହ ଭିଜିଲାନ୍ସ ନିକଟରେ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି ପ୍ରଦୀପ ମାଝୀ। ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ନବରଙ୍ଗପୁର ଶିକ୍ଷା ବିଭାଗରେ ଛାତ୍ରଛାତ୍ରୀ ଙ୍କ ଡ୍ରେସ ଯୋଗାଣ ରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ଶିକ୍ଷାମନ୍ତ୍ରୀ ଙ୍କ ନିଜ ଜିଲ୍ଲାରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଥିବା ଡ୍ରେସ ଟଙ୍କାକୁ ହରିଲୁଟ କରିଛନ୍ତି ଶିକ୍ଷକ ଓ ଅଧିକାରୀମାନେ। ଜିଲ୍ଲାରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପାଠପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସରକାର ସ୍କୁଲ ଡ୍ରେସ ସହ ଜୋତା ଓ ଟ୍ରାକ ସୁଟ ପାଇଁ 1000 ଯୋଗାଇ ଦେଇଥାନ୍ତି । ଜିଲ୍ଲାରେ ୨ ଲକ୍ଷ ୧୧ ହଜାର ୦୫୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ।
ଜଣେ ପିଲା ପିଛା ଡ୍ରେସ ପାଇଁ ସରକାର ପାଞ୍ଚଶହ ଟଙ୍କା ପ୍ରଦାନ କରୁଥିବା ବେଳେ ଡ୍ରେସ ଗୁଡିକ 60 ଟଙ୍କା ଏବଂ 110 ଟଙ୍କା ରେ କିଣି 500 ଟଙ୍କା ବିଲ କରାଯାଇଥିବା କହିଛନ୍ତି ପ୍ରଦୀପ । ଏହି ଡ୍ରେସ ଗୁଡିକ ଏସହେଚଜି ଗ୍ରୁପ ଓ ଏମଏସଏମଇ ମାଧ୍ୟମ ରେ ଯୋଗାଇଦେବାର ବ୍ୟବସ୍ଥା ରହିଥିଲା କିନ୍ତୁ ଜିଲ୍ଲାରେ କୌଣସି ଟେଇଲରିଂ ୟୁନିଟ ନଥିବା ବେଳେ gst ନଥିବା କିଛି ବ୍ୟବସାୟୀ ମାନଙ୍କ ସହ ସଲାସୁତୁରା କରି ସ୍କୁଲ କୁ ଯୋଗାଇ ଦିଆଯାଇଛି। ଡ୍ରେସ ଭଲ କପଡା ର ଦେବାପାଇଁ ନିର୍ଦେଶ ଥିବାବେଳେ ଡ୍ରେସଗୁଡିକ ରୋଟୋ କଟନ ଏବଂ ସିଫୋନ ମିକ୍ସ ଟେରିକଟ ଭଳି ମାନର ଯୋଗାଣ କରାଯାଇଛି ଯାହା ପିନ୍ଧିବା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ପ୍ରଦୀପ ।ସେଭଳି ଟ୍ରାକ ପ୍ୟାଣ୍ଟ ଗୁଡିକ ମେଟି କପଡାର ହୋଇଥିବା ବେଳେ ଅଖା ବସ୍ତାରୁ ଟି ଶାର୍ଟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ଯେଉଁଥିରେ 250 ଟଙ୍କା ହଡପ କରାଯାଇଛି । ଜିଲ୍ଲାରେ କୋୖଣସି ଟେଇଲରିଂ ୟୁନିଟ ନଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ଡ଼ିଏଲସି ବୈଠକରେ କିପିରି ୟୁନିଟ ଅଛି ବୋଲି କହି ଡ୍ରେସ ଯୋଗାଣ କରିଥିବା ଦୋକାନୀ ମାନଙ୍କୁ ସୁଯୋଗ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜିଲ୍ଲାରେ ଛାତ୍ରଛାତ୍ରୀ ଙ୍କ 5 ଲକ୍ଷ ଡ୍ରେସ ପାଇଁ ୨୧ କୋଟି ୧୦ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଅଷ୍ଟମ ରୁ ନବମ ୩୦ ହଜାର ଛାତ୍ର ଛାତ୍ରୀ ଙ୍କ ପାଇଁ ୩ କୋଟି ଟଙ୍କା ର ଅନୁଦାନ ଆସିଥିଲା । ସର୍ବମୋଟ ଜିଲ୍ଲାରେ ପ୍ରଥମ ରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ପାଇଁ ମୋଟ ୨୪ କୋଟି ୧୧ ହଜାର ୫୦ ଟଙ୍କାର ଅନୁଦାନ ଆସିଥିଲା । ପ୍ରଥମ ରୁ ଦଶମ ସର୍ବମୋଟ ୨ ଲକ୍ଷ ୪୧ ହଜାର ୦୫୦ ଜଣ ଛାତ୍ର ଛାତ୍ରୀ ଙ୍କ ଠାରୁ ଜଣଙ୍କ ପିଛା ୩୫୦ ହିସାବ ରେ ପିସି ଖାଇ ମୋଟ ୮ କୋଟି ଟଙ୍କା ର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ ।ସାମ୍ବାଦିକ ସମ୍ମିଳନୀ ପରେ ଏନେଇ ସମସ୍ତ ପ୍ରମାଣ ତଥ୍ୟ ସହ ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ପ୍ରଦୀପ ମାଝୀ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି କୋରାପୁଟ ଯୋନ ସଭାପତି ତାପସ ତ୍ରିପାଠୀ, ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ, ଉତ୍ତମ ତ୍ରିପାଠୀ, କୁନା ପାଢ଼ୀ, ଦିଲୁ ପଣ୍ଡା,ବରିଷ୍ଠ ନେତା ରବି ପଟ୍ଟନାୟକ, ସରୋଜ ପାତ୍ର, ନଗର ସଭାପତି ପ୍ରମୋଦ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ