୫୦ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ କରିନାହାନ୍ତି ଇ-କେୱାଇସି, ପଡ଼ି କାର୍ଡଧାରୀଙ୍କ ପାଇଁ ଭିତ୍ତିଭୂମି ସମସ୍ୟା

କଟକ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗ ପକ୍ଷରୁ ଇ-କେୱାଇସି କରିବା ପାଇଁ ଧାର୍ଯ୍ୟ ସମୟ ଡିସେମ୍ବର ୩୧ରୁ ଶେଷ ହୋଇଯାଇଛି। ଏହି ଅବଧି ମଧ୍ୟରେ ଛଅ ଭାଗରୁ ଭାଗେ ହିତାଧିକାରୀ ଇ-କେୱାଇସି କରିବାରୁ ବଞ୍ଚିତ ହୋଇଛନ୍ତି। ଏବେସୁଦ୍ଧା ରାଜ୍ୟରେ ୫୦ଲକ୍ଷରୁ ଊର୍ଦ୍ଧ୍ବ ପଡ଼ି ସାମଗ୍ରୀ ନେଉଥିବା ହିତାଧିକାରୀ ଇ-କେୱାଇସି କରିବାକୁ ସକ୍ଷମ ହୋଇପାରିନାହାନ୍ତି କିମ୍ବା ତନ୍ମଧ୍ୟରୁ କିଛି ହିତାଧିକାରୀଙ୍କ ମୃତ୍ୟୁ ହୋଇସାରିଛି। ଗତ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଇ-କେୱାଇସି ବ୍ୟବସ୍ଥାରେ ପ୍ରତିଦିନ ରାଜ୍ୟର ପ୍ରାୟ ୪୫ହଜାର ହିତାଧିକାରୀ ଇ-କେୱାଇସି କରିଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତଙ୍କୁ ଇ-କେସ୍ବାଇସି ଶେଷ କରିବା ପାଇଁ କୁହାଯାଇଥିବା ସରକାର କହିଛନ୍ତି। ସୂଚନାନୁଯାୟୀ, ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଓଏସ୍‌‌ ମେସିନ୍‌‌ରେ ନେଟ୍‌‌ୱାର୍କ ସମସ୍ୟା ସାଙ୍ଗକୁ ସର୍ଭର ଡାଉନ୍‌‌ ରହିବା ଓ ଲିଙ୍କ୍‌‌ ଫେଲ୍‌‌ ଭଳି ସମସ୍ୟା ଯୋଗୁଁଁ ବହୁ ପଡ଼ିକାର୍ଡଧାରୀ ବାରମ୍ବାର ଖୁଚୁରାବିକ୍ରୟ କେନ୍ଦ୍ରକୁ ଯାଇ ମଧ୍ୟ ଇ-କେୱାଇସି କରିବାରେ ସକ୍ଷମ ହୋଇପାରୁ ନାହାନ୍ତି। ଅନେକଙ୍କ କ୍ଷେତ୍ରରେ ଆଙ୍ଗୁଳିଛାପର ମେଳକ ହୋଇପାରୁନଥିବା ଯୋଗୁଁଁ ମଧ୍ୟ ଇ-କେୱାଇସି ସମ୍ଭବ ହୋଇପାରୁନାହିଁ। ଗୋଟିଏ ପରିବାରର ଦୁଇ/ତିନିଜଣଙ୍କ ଇ-କେୱାଇସି ସଫଳ ହେଉଥିବାବେଳେ ବାକି ଅନ୍ୟମାନଙ୍କର ହୋଇପାରୁନାହିଁ। ଖଟିଖିଆ ଗରିବ ଲୋକଟି କେତେଦିନ କାମ ବନ୍ଦ କରି ଇ-କେୱାଇସି ପାଇଁ ଖୁଚୁରାବିକ୍ରୟ କେନ୍ଦ୍ରକୁ ଦୌଡ଼ିବ ବୋଲି ଖୁଚୁରା ବିକ୍ରେତା ସଂଘ ପ୍ରଶ୍ନ ଉଠାଇଛି। ଓଡ଼ିଶାରେ ଗରିବ ପଡ଼ି କାର୍ଡଧାରୀଙ୍କୁ ଇ-କେୱାଇସି କରିବାର ନିର୍ଦେଶ କରିଥିବାବେଳେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଉ ନଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌‌ ପଡ଼ି ସେମାନଙ୍କ ରେସନ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ସର୍ବଭାରତୀୟ ଖୁଚୁରା ବିକ୍ରେତା ମହାସଂଘର ଓଡ଼ିଶା ଶାଖା ସାଧାରଣ ସମ୍ପାଦକ ସୈୟଦ ଏକ୍ରାମ୍‌‌ ହୁସେନ୍‌‌ ଅଭିଯୋଗ କରିଛନ୍ତି ଯେ ବହୁ ବୟସ୍କ, ବ୍ୟାଧିଗ୍ରସ୍ତ ଓ ୧୦ବର୍ଷ ବୟସରୁ କମ୍‌‌ ହିତାଧିକାରୀଙ୍କ ଆଙ୍ଗୁଠି ଛାପ ମେଳକ ହୋଇପାରୁନଥିବା କାରଣରୁ ଇ-କେୱାଇସି ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଆଧାରକାର୍ଡ ଅପଡେଟ୍‌‌ ପାଇଁ ଆଧାର ସେବାକେନ୍ଦ୍ରରେ ଅସମ୍ଭାଳ ଗହଳି, ମନଇଛା ଅର୍ଥଆଦାୟ ଓ ଅପଡେଟ୍‌‌ ହୋଇସାରିବା ପରେ ମଧ୍ୟ କାର୍ଡ ପାଇବାରେ ଅହେତୁକ ବିଳମ୍ବ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଖୁଚୁରା ବିକ୍ରୟକେନ୍ଦ୍ରରେ ପିଓଏସ୍‌‌ ମେସିନ୍‌‌ ୨-ଜି ହୋଇଥିଲାବେଳେ ଆଧାର ସର୍ଭର ହେଉଛି ୫-ଜି; ତେଣୁ ସର୍ଭର ଡାଉନ୍‌‌ ହୋଇ ଲିଙ୍କ୍‌‌ ଫେଲ୍‌‌ ଭଳି ସମସ୍ୟା ସୃଷ୍ଟି ହେଉଛି। ଇ-କେୱାଇସି ବ୍ୟବସ୍ଥାକୁ ନେଇ ମନ୍ତ୍ରୀ ଓ ବିଭାଗ ମଧ୍ୟରେ ତାଳମେଳ ରହୁନଥିବାରୁ କୌଣସି ସ୍ପଷ୍ଟନୀତି ଅନୁସୃତ ହେଉନାହିଁ। ଇ-କେୱାଇସି କରାଇବାର ସମୟସୀମା ବୃଦ୍ଧି ଅପେକ୍ଷା ଭିତ୍ତିଭୂମିର ବିକାଶ ଜରୁରୀ ହୋଇଛି। ବ୍ୟବସ୍ଥାର ସରଳୀକରଣ ନ ହେଲେ ଉପାନ୍ତ ସହିତ ଉପକୂଳ ଅଞ୍ଚଳରେ ମଧ୍ୟ ଅନାହାରମୃତ୍ୟୁର ଆଶଙ୍କ ରହିଛି ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅଦ୍ୟାବଧି ଓଡ଼ିଶାର ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ସଂଖ୍ୟା ୩, ୩୬, ୬୨, ୨୩୬ ରହିଛି ଏବଂ ଏଯାବତ୍‌‌ ଇ-କେୱାଇସି କରିଥିବା ହିତାଧିକାରୀଙ୍କ ସଂଖ୍ୟା ୨, ୮୬, ୬୧୭୨୯। ଇ-କେୱାଇସି କରିପାରିନଥିବା ହିତାଧିକାରୀଙ୍କ ସଂଖ୍ୟା ୫୦, ୦୦୫୦୭ ଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ