।। ଶ୍ରୀ ଜଗନ୍ନାଥଙ୍କ ଯାତ୍ରୋତ୍ସବରେ ଶ୍ରୀକୃଷ୍ଣ ଜୟନ୍ତୀ ।।
ବିପିନ ବିହାରୀ ମହାନ୍ତି
ଗୀତାରେ ଭଗବାନ ଶ୍ରୀକୃର୍ଷ୍ଣ କହିଛନ୍ତି:
“ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ,
ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମନଃ ସୃଜାମ୍ୟହମ୍ ।
ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।”
ଉପରୋକ୍ତ ଶ୍ଲୋକ ଅନୁଯାୟୀ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେତେବେଳେ ଏ ଧରା ଭକ୍ଷରେ ପାପୀଙ୍କର ଦୌରାତ୍ମ୍ୟ ବଢ଼େ ଏବଂ ଅଧର୍ମ ରାଜୁତି କରେ, ସେତେବେଳେ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ନେଇ ଏ ଧରାରେ ଅବତିର୍ଣ୍ଣ ହୁଅନ୍ତି ଏବଂ ଦୁଷ୍ଟମାନଙ୍କୁ ସଂହାରକରି ସାଧୁସନ୍ଥମାନଙ୍କୁ ସୁରକ୍ଷାଦିଅନ୍ତି ତଥା ଧର୍ମ ସଂସ୍ଥାପନା କରନ୍ତି । ସେହି ଦୃଷ୍ଟିରୁ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ରୂପରେ ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରିଥିଲେ । ସେ ଜନ୍ମ ନେବାର ଦୁଇଟି ଉଦ୍ଦେଶ୍ୟ ଥିଲ; ପ୍ରଥମଟି ହେଲା କଂସର ନିଧନ ଓ ପୃଥିବୀକୁ ପାପଭାରରୁ ମୁକ୍ତ କରିବା ଏବଂ ଦ୍ୱିତୀୟଟି ହେଲା ଦେବକୀ ଓ ବସୁଦେବଙ୍କୁ ପୂର୍ବଜନ୍ମରେ ଦେଇଥିବା ପ୍ରତଶ୍ରୁତି ଏହି ଯେ ସେ ତାଙ୍କ ପୁତ୍ର ହୋଇ ଜନ୍ମହେବେ । ବସୁଦେବ ଏବଂ ଦେବକୀ କଂସର ଭିଣୋଇ ଓ ଭଉଣୀଥିଲେ । ସେ ସେମାନଙ୍କୁ ଅତ୍ୟନ୍ତ ଭକ୍ତି, ସମ୍ନାନ ଓ ଶ୍ରଦ୍ଧା ଦେଖାଉଥିଲା ଅଥଚ ସେ ପ୍ରଜା ଓ ସାଧୁ ସନ୍ଥଙ୍କପ୍ରତି ଅତି ନିଷ୍ଠୁରଥିଲା । ଏକଦା ସେ ନିଜେ ଏକ ରଥରେ ଭଉଣୀ ଓ ଭିଣୋଇଙ୍କୁ ବସାଇ ଚିତ୍ତ ବିନୋଦନ ନିମନ୍ତେ ବୁଲାଉଥିବାବେଳେ, ଶୂନ୍ୟବାଣୀ ହେଲା; ଆରେ କଂସ, ଯାହାପ୍ରତି ତୋର ଏତେ ଅନୁରକ୍ତି ଏବଂ ଅନୁରାଗ, ସେମାନଙ୍କର ଅଷ୍ଟମ ଗର୍ଭର ସନ୍ତାନ ତୋ ମୃତ୍ୟୁର କାରଣ ହେବ । ବାସ୍, ସେତିକିରେ ସବୁ ଓଲଟ ପାଲଟ ହୋଇଗଲା । ସେ ଭଉଣୀ ଓ ଭିଣୋଇଙ୍କୁ ହସ୍ତ ଓ ପଦରେ ଶଙ୍ଖଳ ପିନ୍ଧାଇ କାରାରୁଦ୍ଧ କଲା । ଖାଲି ସେତିକି ନୁହେଁ, ଛଅ ଗୋଟି ପୁତ୍ର ସନ୍ତାନକୁ ସେ ନିର୍ମମ ଭାବେ ହତ୍ୟା କଲା । ସପ୍ତମ ଗର୍ଭ ଅନ୍ତର୍ଦ୍ଧାନ ହୋଇଗଲା । ଅଷ୍ଟମ ଗର୍ଭରେ ଶ୍ରୀକୃଷ୍ଣ ବନ୍ଦୀଶାଳାରେ ଦେବକୀଙ୍କ ଔରସରୁ ଜନ୍ମନେଲେ ଏବଂ ତାଙ୍କ ନିର୍ଦ୍ଦେଶକ୍ରମେ ବସୁଦେବ ତାଙ୍କୁନେଇ ଗୋପରେ ଯଶୋଦାଙ୍କ କୋଳରେ ସ୍ଥାପନ କରି, ତାଙ୍କଠୁ ଦୁର୍ଗାଙ୍କୁ ଆଣି ଦେବକୀଙ୍କ କୋଳରେ ସ୍ଥାପନକଲେ । ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ଜନ୍ମର ବାର୍ତ୍ତା ପାଇ କଂସ ଆସି ସେ, କନ୍ୟା ହେଲେହେଁ ତାକୁ ହତ୍ୟା କରିବାକୁ ଯାଆନ୍ତେ, ସେ ଶୂନ୍ୟଗାମୀ ହେଲା ଏବଂ ଶୂନ୍ୟବାଣୀ ଦେଲାଯେ ତାକୁଯିଏ ବଦ୍ଧକରିବ ସେଗୋପରେ ବଢ଼ୁଛି ।
ପରବର୍ତ୍ତି ସମୟରେ କଂସ ମୂଳୁ ମାଇଲେ ଜୀବସରୀ, ଦେବଙ୍କ ସଙ୍ଗେ କିମ୍ପା କଳି ନ୍ୟାୟରେ ସେ କୃଷ୍ଣ ବଳରାମଙ୍କୁ ହତ୍ୟାପାଇଁ ଯେତେ ଚେଷ୍ଟାକରିଛି, କିଛି ଫଳପ୍ରଦ ହୋଇନାହିଁ । ସେଷରେ ସେ ନିଜେ ନିଧନ ହୋଇଛି ।
ଭାଦ୍ରମମାସ ରୋହିଣୀ ନକ୍ଷତ୍ରଯୁକ୍ତ କୃଷ୍ଣପକ୍ଷ ଅଷ୍ଟମୀର ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଏକଥା ଶାସ୍ତ୍ରରେ ଏହିମତେ ଲେଖା ହୋଇଛି ।
“ଅଷ୍ଟମୀ କୃଷ୍ଣପକ୍ଷସ୍ୟ ରୋହିଣୀରକ୍ଷସଂଯୁତା ।
ଭବେତ୍ ପୌଷ୍ଠପଦେ ମାସି ଜୟନ୍ତୀ ନାମ ସା ସ୍ମୃ ତା ।ା”
ବିଭିନ୍ନ ପୂରାଣମାନଙ୍କରେ ଉଲ୍ଲେଖଅଛିଯେ ରୋହିଣୀ ଯୁକ୍ତା କୃଷ୍ଣାଶନି ସର୍ବପାପହରା ତିଥିରୂପେ ବର୍ଣ୍ଣୀତ ହୋଇଅଛି । ଏହି ତିଥିରେ ଜଗନ୍ନାଥ ଶ୍ରୀକୃଷ୍ଣ ନିଶାଦ୍ଧରେ ଜନ୍ମଗ୍ରହଣ କରିଥିବାରୁ ଏହାର ନାମ “ଶ୍ରୀକୃ୍ଷ୍ଣ ଜୟନ୍ତୀ” ବର୍ଣ୍ଣିତ ହୋଇଅଛି । ଏହାର ପ୍ରାମାଣୀକ ସତ୍ତ୍ୱନେଇ କୁହାଯାଇଛି ଯେ,
“ରେହିଣୀ ସହିତା କୃଷ୍ଣା ମାସି ଭାଦ୍ରପଦେଷ୍ଟମୀ ।
ଅର୍ଦ୍ଧରାତ୍ରାଦଧଶ୍ଚୋର୍ଦ୍ଧ୍ୱଂ କଳୟାପି ଯଦା ଭବେତ୍ ।ା
ତତ୍ର ଜାତୋ ଜଗନ୍ନାଥଃ କୌସ୍ତୁଭୋ ହରିରବ୍ୟୟଃ ।
ତମେବୋପବସେହମାଳଂ କୁର୍ଯ୍ୟାତ୍ତତ୍ରୈକ ଜାଗରମ ।ା
ଜୟନ୍ତୀ ନାମ ସା ରାତ୍ରିସ୍ତତ୍ର ଜାତୋ ଜନାର୍ଦ୍ଦନଃ ।
ନିୟତାତ୍ମା ଶୁଚିଃ ସ୍ନାତ୍ୱା ପୂଜାଂ ତତ୍ର ପ୍ରବର୍ତ୍ତୟେତ୍ ।ା”
ଶ୍ରୀଜଗନ୍ନାର୍ଥଙ୍କର ଦଶବତାର ମଧ୍ୟରେ ଶ୍ରୀକୃଷ୍ଣ ନାହାନ୍ତି କିନ୍ତୁ ଶାସ୍ତ୍ର ମତେ:
ଜଗନ୍ନାଥଯେ ଶୋଳକଳା
ତହୁଁକଳାଏ ନନ୍ଦବଳା
କଳାକୁ ଶୋଳକଳା କରି
ଗୋପେ ବିହରେ ନରହରି
ଏଠାରେ ଶ୍ରୀଜଗନ୍ନାଥ ସ୍ୱୟଂ ନାରାୟଣ । ତାଙ୍କର ଏକ କଳା ହିଁ ଶ୍ରୀକୃଷ୍ଣ ଅବତାର । ଜଗନ୍ନାଥ ହେଉଛନ୍ତି ଅବତାରୀ । ଏହି କାରଣରୁ ଶ୍ରୀକୃଷ୍ଣଙ୍କୁ କୁହାଯାଏ ‘ଜଗନ୍ନାଥ ଶ୍ରୀକୃର୍ଷ୍ଣ’ ।
ଜଗନ୍ନାଥହିଁ ସବୁ ଧର୍ମର ସମନ୍ୱୟ ଏବଂ ଏକେଶ୍ୱର ବାଦର ପ୍ରତୀକ ଅଥଚ ବହୁଧା ତାଙ୍କର ରୂପ । ସବୁଧର୍ମର ପୂଜା ପାର୍ବଣର ରିତି ନୀତି ଜଗନ୍ନାଥ ଧର୍ମ ଏବଂ ଉତ୍ସବ ଧାରାରେ ସନ୍ନିବେଷିତ ହୋଇଛନ୍ତି । ଏହି କାରଣରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମତ୍ସୋବ ପାଳନ କରାଯାଏ । ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀର ମଧ୍ୟରାତ୍ର ଚନ୍ଦ୍ରୋଦୟ କାଳରେ ଶ୍ରୀକୃଷ୍ଣ ଜନ୍ମତ୍ସୋବ ପାଳିତ ହୁଏ । ଶ୍ରୀକୃଷ୍ଣଙ୍କର ପୂଜା ପରି ଚନ୍ଦାର୍ଘ୍ୟ ଦାନ ଓ ଯାତ୍ରା ଆଦି ଅନୁଷ୍ଠିତହୁଏ । ବ୍ରତଚାରୀମାନେ ଶ୍ରୀକୃଷ୍ଣ ଜନ୍ମାବଧି ଉପବାସ କରନ୍ତି ଓ ରାତ୍ରିରେ ଗୀତନୃତ୍ୟ ଦ୍ୱାରା ଶ୍ରୀକୃଷ୍ଣଙ୍କ ବାଲ୍ୟକ୍ରିଡ଼ା ସ୍ମରଣ ପୂର୍ବକ ଉଜାଗର ରୁହନ୍ତି ।
ନିଳାଦ୍ରି ମହୋଦୟର ଉଲ୍ଲେଖ ଅନୁଯାୟୀ ଜନ୍ମାଷ୍ଟମୀଦିନ ତିନିଠାକୁରଙ୍କ ସ୍ନାନାଦି ନିତ୍ୟକର୍ମପରେ ସନ୍ଧ୍ୟାରେ ବସ୍ତ୍ରଦ୍ୱାରା ସୂଚିକା ଗୃହ ପରିକଳ୍ପନା କରାଯାଏ । ସେଠାରେ ସପ୍ତବିସତି ଅଙ୍ଗୁଳି ପରିମିତ ତତୁରସ୍ର ସର୍ବତ୍ୱ ଭଦ୍ରମଣ୍ଡଳରେ ଛତିଷଟି କୋଠିସହିତ ମଧ୍ୟଭାଗରେ ପଦ୍ମାକୃତି ଅଙ୍କନ କରାଯାଏ । କୋଠିଗୁଡିକ ନାନା ରଙ୍ଗ ମୂରୁଜରେ ଚିତ୍ରିତ ହୁଏ । ଏହି ମଣ୍ଡଳରେ ଯଥାବିଧି ଶ୍ରୀକୃଷ୍ଣ ଜନ୍ମତ୍ସୋବ ପାଳିତ ହୁଏ ।
ଶ୍ରୀକୃଷ୍ଣଙ୍କ-ଜନ୍ମ ପରେ ହରିଦ୍ରାଜଳରେ ପାଦପ୍ରକ୍ଷାଳନ, ଆୟୁର୍ବେଦୀୟ ରୀତିରେ ପ୍ରସ୍ତୁତ ବଟିକା ସମର୍ପଣ କରାଯାଏ । ଏହାପରେ କୃଷ୍ଣଙ୍କୁ ସପ୍ତଫେଣାଛନ୍ନପୂର୍ବକ କଳ୍ପିତା ଯମୁନା ପାରହୋଇ ଉତ୍ତର ପାଶ୍ୱର୍ରେ ନିର୍ମିତ ମଣ୍ଡପରେ ଶ୍ରୀକୃଷ୍ଣଙ୍କ ନାଡ଼ିଛେଦନାଦି କାର୍ଯ୍ୟ ପରେ ଷଷ୍ଠୀଦେବୀପୂଜା, ନାମକରଣ, ବିହିନିଷ୍କ୍ରମଣ, ଅନ୍ନପ୍ରାଶନ, ଚୂଡ଼ାକରଣ, କର୍ଣ୍ଣବୋଧ, ଯଜେ୍ଞାପବୀତଗ୍ରହଣାଦି ବିଧିମାନ ଅନୁଷ୍ଠିତ ହୁଏ । ଏହା ପରେ ରାମ ଓ କୃଷ୍ଣଙ୍କୁ ଦୋଳାରେ ଶୟନ କରାଯାଏ । ନବମୀ ଦିନ ଦୁର୍ଗାଙ୍କୁ ଜନ୍ମ ନିମିତ୍ତ ସୁଭଦ୍ରାଙ୍କୁ ପ୍ରାର୍ଥନା କରାଯାଏ ଏବଂ ଯଥାବିଧି ଯଶୋଦାଗର୍ଭ-ସମ୍ଭୂତା ସୁଭଦ୍ରାଙ୍କ ସ୍ନାନ, ଉପଚାର, ବନ୍ଦାପନାଦି କାର୍ଯ୍ୟ ଅନୁଷ୍ଠିତ ହୁଏ । ଏହି ନବମୀ ଦିନ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳିତ ହୁଏ । ଏହି ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ବିଷ୍ଣୁ ମନ୍ଦିରମାନଙ୍କରେ ଶ୍ରୀକୃଷ୍ଣଙ୍କୁ ସଜାଇ ବନ୍ଦାପନା କରାଯାଇ ନୃତ୍ୟଗୀତ ଅନୁଷ୍ଠିତ ହୁଏ । ଏହି ଗୀତମାନଙ୍କ ମଧ୍ୟରେ ଥାଏ;
ଆହା ମୋ ନନ୍ଦ କୋଳେ ଗୋବିନ୍ଦ……….
କୋଳେ ଗୋବିନ୍ଦ……….
ନନ୍ଦର ମନ୍ଦିରେ ଜନ୍ମଛି ନନ୍ଦନ
ନିରାନନ୍ଦଘରେ ଅତି ଆନନ୍ଦ
ଅନ୍ଧରେ ଗୃହରେ ଜଳୁଛି ଆଲୁଅ
ଉଆଁସରେ କାହିଁ ଅଇଲା ଚାନ୍ଦ………. ଆହା ମୋ ନନ୍ଦ ।
ଅଥବା ଓଁ ଜୟ ଜଗଦିଶ ହରେ
କେଶବ ଧୃତ ଦଶବିଧ ରୂପ
ଜୟ ଜଗଦୀଶ ହରେ……….
ତା ସହିତ;
ଗୋବିନ୍ଦ ଗୋବିନ୍ଦ ପଦୁ ଗଳୁଛି ମକରନ୍ଦ ।ା
ସେ ମକରନ୍ଦ ପାନକରି ହେଳେ ଚରିଲେ ବ୍ରଜ ନାରୀ ।ା
ଆଷାଡ଼ କୃଷ୍ଣ ଦଶମୀ ତିଥିରେ ଠାକୁରମାନଙ୍କର ବଣଭୋଜି ବେଶ, କୋଳି ବିକା, ବକାସୁର ଓ ଅର୍ଘାସୁର ବେଶ ପାଳିତ ହୁଏ । ଏକାଦଶୀ ଦିନ କାଳୀୟ ଦଳନ, ଧେନୁକାସୁର ବଦ୍ଧ, ଓ ପାଶ୍ୱର୍ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ । ଦ୍ୱାଦଶୀ ଦିନ ପ୍ରଳମ୍ବାସୁର ବଦ୍ଧ, ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ,ଏବଂ ଚତୁର୍ଦଶୀ ଦିନ କୃଷ୍ଣ ଜନ୍ମଯାତ୍ରା ହେବାରେ ବିଧି ଶ୍ରୀମନ୍ଦିରରେ ପାଳିତ ହୁଏ । ଶ୍ରୀମନ୍ଦିର ବ୍ୟତୀତ ଓଡ଼ିଶାର ପୂର ପଲ୍ଲୀରେ ତଥା ଭାରତର ବିଭିନ୍ନ ପ୍ରାନ୍ତରେ ବିଶେଷକରି ବିଷ୍ଣୁମନ୍ଦିର ମାନଙ୍କରେ ଏହି ଉତ୍ସବ ପାଳିତ ହୁଏ ।
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କୃଷ୍ଣ ଅବତାରର ପ୍ରଥମ ଦିନର ପ୍ରଥମ ପର୍ବ । ସେ ମାତ୍ର କୃଷ୍ଣପକ୍ଷ ଅଷ୍ଟମୀରେ ଜନ୍ମ ହୋଇଥିବାରୁ ଏହାର ଅନ୍ୟନାମ ଜନ୍ମାଷ୍ଟମୀ । ଦ୍ୱାପର ଯୁଗରୁ ଏଯାବତ୍ କୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇଆସୁଅଛି । ଏହିଦିନ କୃଷ୍ଣ ପ୍ରେମୀମାନେ ଉପବାସ କରନ୍ତି । ମଧ୍ୟରାତ୍ରୀରେ କୃଷ୍ଣ ପୂଜା ହୁଏ । ଏହା ଉଭୟ ଘର ଏବଂ ମନ୍ଦିରରେ ହୁଏ । ପୂଜାପରେ ସମସ୍ତେ ପ୍ରସାଦ ପାଆନ୍ତି ।
ଏବେ କୃଷ୍ଣ ନାହାନ୍ତି ଅଥଚ କଂସମାନଙ୍କ ଦୌରାତ୍ମ୍ୟ ବଢ଼ିଚାଳିଛି । ସେଥିରୁ ମୁକ୍ତି ନେବାପାଇଁ ଆଉଥରେ ସେ ଅବତୀର୍ଣ୍ଣ ହୁଅନ୍ତୁ ତାହାହିଁ ତାଙ୍କପାଖରେ ନିବେଦନ । ଅନ୍ୟପକ୍ଷରେ କୃଷ୍ଣ ହିଁ ମୁକ୍ତିର ମାର୍ଗ । ଗୀତାର ଭାଷାରେ ସେ ଅର୍ଜୁନଙ୍କୁ କହିଲାପରି ‘ମାମେକଂ ଶରଣଂ ବ୍ରଜ’, ଆମେ ତାଙ୍କ ଶରଣ ପଶୁଛୁ ଏବଂ ପରମାତ୍ମାରେ ଲୀନହେବାକୁ ଆଶାକରି ପରିକ୍ଷୀତ ମହାରାଜାଙ୍କ ଭାଷାରେ ନିଶ୍ଚୟ କହିବୁ:
“ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର । ଶରଣ ଜନ ଭୟ ହର । ।
ସଂସାର ଅନଳ ଦହନ । ଭୟେ ଭଜନ୍ତି ଯେଉଁ ଜନ । ।
ତାହାଙ୍କୁ ଦେଉ ମୋକ୍ଷଗତି । ଅଭୟ ବ୍ରହ୍ମେ ସେ ପଶନ୍ତି । ।
ତୋ ପାଦେ ପଶିଲି ଶରଣ । ମୋତେ ଉଦ୍ଧର ନାରୟଣ । ।”
ଓଁ ଭଗବତେ ବାସୁଦେବାୟ ନମୋ
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ, ଦୂରଭାଷ : ୯୯୩୮୩୪୪୧୩୮