ଅକ୍ସଫାମ ଇଣ୍ଡିଆ ପକ୍ଷରୁ ୱେବିନାର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଅନେକ ଦେଶ ନିଜ ବଜେଟ ଅନୁରୂପ ଜନସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଶ୍ରମ ଅଧିକାର ନିଷ୍ପାଦନ କ୍ଷେତ୍ରରେ ବ୍ୟୟ କରୁନଥିବା କୋଭିଡ୍‌-୧୯ ମୁକାବିଲା ସମୟରେ ସାମ୍ନାକୁ ଆସିଛି । ଅକ୍ସଫାମ ଏବଂ ଡ଼ିଏଫ୍‌ଆଇର ଏକ ବିଶ୍ଲେଷଣରୁ ଜଣାପଡ଼ିଛି ଯେ, ଅସମାନତା ସୂଚକାଙ୍କ ହ୍ରାସ ପାଇଁ ପ୍ରତିବଦ୍ଧତା ରଖିଥିବା ୧୫୮ ଦେଶ ମଧ୍ୟରୁ ମାତ୍ର ୨୬ଟି ଦେଶ ମହାମାରୀ ସମୟରେ ନିଜ ବଜେଟ୍ ଅନୁଯାୟୀ ୧୫ ପ୍ରତିଶତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟ କରିଛନ୍ତି । ୧୦୩ଟି ଦେଶର ପ୍ରତି ତିନିଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକ ମହାମାରୀ ସମୟରେ ମୌଳିକ ଶ୍ରମ ଅଧିକାର ଓ ସୁରକ୍ଷା ସାଙ୍ଗକୁ ସମବେତ ଛୁଟିରୁ ବଂଚିତ ହୋଇଛନ୍ତି ବୋଲି ଆଜି ଏକ ୱେବିନାରରେ ଅସମାନତା ହ୍ରାସ ପାଇଁ ପ୍ରତିବଦ୍ଧତାର ଭାରତୀୟ ରିପୋର୍ଟ ଉନ୍ମୋଚନ ଅବସରରେ ମତ ପ୍ରକାଶ ପାଇଛି ।ଜନସେବା, ଟିକସ ଏବଂ ଶ୍ରମିକଙ୍କ ଅଧିକାର ଆଦି ସରକାରୀ ନୀତି ଏବଂ କାର୍ଯ୍ୟକ୍ରମରେ ଭାରତ ୧୫୮ ଦେଶ ମଧ୍ୟରୁ ୧୨୯ ସ୍ଥାନରେ ଥିବା ଅକ୍ସଫାମର ଏହି ଅନୁଶୀଳନରୁ ଜଣାଯାଇଛି । ୨୦୨୦ ସିଆରଆଇଆଇ ରିପୋର୍ଟରେ ଭାରତ ଟିକସ କ୍ଷେତ୍ରରେ ଭଲ ପ୍ରଦଶନ କରିଥିବା ବେଳେ ଜନସେବା (ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା) ଏବଂ ଶ୍ରମିକ ଅଧିକାର ପ୍ରସଙ୍ଗରେ ୧୪୧ ସ୍ଥାନରୁ ୧୫୧ତମ ସ୍ଥାନକୁ ଖସି ଆସିଥିବମା ନେଇ ବକ୍ତାମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଜନସେବା ଓ ଶ୍ରମିକ ଅଧିକାର କ୍ଷେତ୍ରରେ ଭାରତର ବିଭିନ୍ନ ରାଜ୍ୟ ଗୁଡ଼ିକରେ ପ୍ରଚଳ ଅସମାନତା ରହିଥିବା ଏଥିରେ ଦର୍ଶାଯାଇଥିଲା । ୨୦୧୯-୨୦ ବର୍ଷରେ ଶିକ୍ଷା ପାଇଁ ମୁଣ୍ଡ ପିଛା ବ୍ୟୟରେ ଆନ୍ଧ୍ରପ୍ରଦେଶ ଶୀର୍ଷରେ (୬୩୯୮) ଥିବା ବେଳେ ତେଲେଙ୍ଗାନା ସବୁଠୁ ପଛରେ (୨୫୮୪) ପଡ଼ିଛି । ସେହିପରି ମୁଣ୍ଡପିଛା ସ୍ୱାସ୍ଥ୍ୟ ବ୍ୟୟ ଦିଗରେ କେରଳ ଦେଶର ଶୀର୍ଷରେ (୧୯୧୦) ଥିବାବେଳେ ବିହାର ସର୍ବନିମ୍ନ ୬୯୭ ଟଙ୍କା ବ୍ୟୟ କରୁଥିବା ଅକ୍ସଫାମ ରିପୋର୍ଟରେ ଦର୍ଶାଯାଇଛି । ଜନସେବା, ଟିକସ ଓ ଶ୍ରମିକଙ୍କ ଅଧିକାର କ୍ଷେତ୍ରଗୁଡ଼ିକରେ ଥିବା ଅସମାନତାକୁ ନେଇ ଏଥିରେ ବ୍ୟାପକ ଆଲୋଚନା ହୋଇଥିଲା । ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ଗବେଷକ, ସରକାରୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏହି ୱେବିନାରରେ ଯୋଗ ଦେଇଥିଲେ । ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଅକ୍ଷୟ ବିଶ୍ୱାଳ, ପ୍ରଭାସ ମିଶ୍ର, ବିମଳ ପାଣ୍ଡିଆ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ