ଅଗଷ୍ଟ କ୍ରାନ୍ତି ଓ ଅରୁଣା ଆସଫ୍ ଅଲ୍ଲୀ

ବିପିନ ବିହାରୀ ମହାନ୍ତି

୧୯୪୨ ଅଗଷ୍ଟ ୭ରେ, ବମ୍ବେର ଗୋୱାଲିଆ ଟ୍ୟାଙ୍କ ମଇଦାନରେ ଏଆଇସିସିର ୫୫ ତମ ଅଧିବେଶନ ଅନୁଷ୍ଠିତ ହେଲା । ବିପୁଳ ଉତ୍ସାହ ଓ ଉନ୍ମାଦନା ମଧ୍ୟରେ ଅଗଷ୍ଟ ୮ ତାରିଖ ରାତ୍ର ୧୧ଟା ସମୟରୁ କଂଗ୍ରେସ କାର୍ଯ୍ୟକାରୀ ବୈଠକର ଭାରତ ଛାଡ଼ ପ୍ରସ୍ତାବ ସଂପର୍କରେ ଏକ ନୂଆ ପ୍ରତିଶ୍ରୁତି ରଖିଲେ ଗାନ୍ଧି ଯେ, ‘କର ବା ମର’ । ଅର୍ଥାତ୍ ଲଢ଼ : ଭାରତକୁ ସ୍ୱାଧୀନ କର; ନୋହିଲେ ତାହା ପାଇଁ ମୃତ୍ୟୁବରଣ କର; କିନ୍ତୁ ଚିରନ୍ତର ଦାସତ୍ୱ ବରଣ କର ନାହିଁ । ରାତି ୧୨ଟା ବାଜି ଅଗଷ୍ଟ ୯ ତାରିଖ ଆରମ୍ଭ ହେଲା । ସେହି ରାତିର ନିସ୍ତବ୍ଧ ପ୍ରହରରେ ଅତି ଗୋପନରେ ଭାରତ ଛାଡ଼ର ବୈପ୍ଲବିକ ପ୍ରସ୍ତାବ ଗୃହୀତ ହେଲା । ଏ ତଥ୍ୟ କେମିତି ହେଲେ ବ୍ରିଟିଶ ସରକାରଙ୍କ ପାଖେ ପହଂଚି ସାରିଥିଲା । ତେଣୁ ସରକାର ଅଗଷ୍ଟ ୯ ତାରିଖ ପ୍ରତ୍ୟୁଷରୁ ଗାନ୍ଧିଜୀ, ଆଜାଦ ଓ ନେହୁରୁ ପ୍ରଭୃତି ତୁଙ୍ଗ ନେତାମାନଙ୍କୁ ବିଟ୍ରିଶ ସରକାର ଗିରଫ କରି ନେଇ ବିନା ବିଚାରରେ ଅନର୍ଦ୍ଦିଷ୍ଟ କାଳ ପାଇଁ କାରାଗାରରେ ରୁଦ୍ଧ କରିଦେଲା । ଏଥିରେ ଚାରିଆଡ଼େ ଉନ୍ମାଦନା ଓ ଭୟର ଏକ ବାତାବରଣ ଖେଳିଗଲା ।
ଆରମ୍ଭ ହୋଇଯାଇଥାଏ ପୋଲିସର ଜୁଲମ । କଂଗ୍ରେସର ଅଧିବେଶନ ସ୍ଥଳ ଗୋୱାଲିୱାର ପୁଷ୍କରିଣୀ ମଇଦାନରେ କିଛି କଂଗ୍ରେସ କର୍ମୀ ଥିଲେ ବି ନେତାଙ୍କ ଅଭାବରୁ କଣ କରିବେ ଜାଣିପାରିନଥିଲେ । ତେବେ ସେମାନଙ୍କୁ ନେତୃତ୍ୱ ଦେବାକୁ ଆଗେଇ ଆସିଲେ ଜଣେ ସାହାସିନୀ ମହିଳା । ସେ ହେଲେ ଅରୁଣା ଆସ୍‌ଫ ଅଲ୍ଲୀ (ଜୁଲାଇ ୧୬, ୧୯୦୯-ଜୁଲାଇ ୨୯, ୧୯୯୬) ସେ ଅଗଷ୍ଟ ୯ ତାରିଖରେ କଂଗ୍ରେସ ଅଧିବେଶନରେ ସଭାପତିତ୍ୱ କରିବା ସହ ତ୍ରିରଙ୍ଗା ଉତୋଳନ କଲେ । ତ୍ରିରଙ୍ଗା ଉତୋଳନ କରିବାରେ ଭାରତ ମଧ୍ୟରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ଏହି କାରଣରୁ “ଭାରତଛାଡ଼ ଆନ୍ଦୋଳନ”ରେ ତାଙ୍କୁ ନାୟିକା ବୋଲି ଅଭିହିତ କରାଯାଏ । ଏହି ସଭାରେ ଅରୁଣା ଆସଫ୍ ଅଲ୍ଲୀଙ୍କ ଅଗ୍ନିବର୍ଷୀ ଭାଷଣ ଭାରତୀୟଙ୍କ ହୃଦୟରେ ଶତସିଂହର ବଳ ସଂଚାର କରିଥିଲା । ବଡ଼ ବଡ଼ ନେତାଙ୍କ ଅନୁପସ୍ଥିତିରେ ସେ ଆନ୍ଦୋଳନର ମଙ୍ଗ ଧରିଥିଲେ । ହେଲେ, ସେ ମଧ୍ୟ ଗିରଫ ହେଲେ । ଏହି ଖବର ଚାରିଆଡ଼େ ପ୍ରଚାର ହେବା ପରେ ମୁକ୍ତି ଯୋଦ୍ଧାମାନେ ବ୍ରିଟଶ ପୋଲିସଙ୍କୁ ଖାତିର ନକରି ତ୍ରିରଙ୍ଗା ଧରି ଚାଲିଲେ । ଜନସାଧାରଣ ଅସହଯୋଗ ଆନ୍ଦୋଳନ କଲେ । ଚାଲିଲା ନେତୃତ୍ୱ ବିହୀନ ସଂଗ୍ରାମ ।
ବ୍ରିଟିଶ ସରକାର ଯୁଦ୍ଧକାଳୀନ ଭିତିରେ ଏହି ଆନ୍ଦୋଳନକୁ ଦମନ ପାଇଁ ଗୁଳି ଓ ଲାଠିଚାଳନା କଲେ । ଆକାଶମାର୍ଗରୁ ଗୁଳିବର୍ଷଣ ହେଲା; ବ୍ୟାପକ ଗିରଫଦାରୀ ଚାଲିଲା । ପ୍ରାୟ ଏକହଜାର ସଂଗ୍ରାମୀ ମୃତ୍ୟୁବରଣ କଲେ; ୬୦ ହଜାର ବନ୍ଦୀ ହୋଇ କାରାଗାର ଦଣ୍ଡ ଭୋଗିଲେ ଏବଂ ୧୮ ହଜାର ଭାରତୀୟ ବିନା ବିଚାରରେ ଅଟକ ରହିଲେ । ଏ ସବୁ ସତ୍ୱେ ଭାରତୀୟଙ୍କ ହୃଦୟରୁ ମୁକ୍ତିର ମଶାଲ ନିର୍ବାପିତ ହୋଇପାରିଲା ନାହିଁ । ଉଭୟ ସରକାର ଓ ସଂଗ୍ରାମୀଙ୍କ ତରଫରୁ ହିଂସାର ତାଣ୍ଡବଲୀଳା ସ୍ତମିତ ହୋଇପାରିଲା ନାହିଁ । ଗାନ୍ଧି ହିଂସାକୁ ପ୍ରଶ୍ରୟ ଦେଉନଥିଲେ । ତେଣୁ ସେ ଜେଲ୍ ଭିତରେ ୧୯୪୩ ମସିହା ଅଗଷ୍ଟ ୧୦ରେ ଅନଶନ ଆରମ୍ଭ କଲେ ଏବଂ ଏହାକୁ ୨୧ ତାରିଖ ଯାଏଁ ଚାଲୁ ରଖିବାରେ ଘୋଷଣା କଲେ । ଗାନ୍ଧିଙ୍କର ଏତାଦୃଶ କାର୍ଯ୍ୟକଳାପ ସାରା ବିଶ୍ୱରେ କମ୍ପନ ସୃଷ୍ଟି କଲା ଏବଂ ଗାନ୍ଧିଙ୍କ ମୁକ୍ତି ପାଇଁ ସାରା ଦେଶରୁ ଚାପ ପଡିଲା । ତଥାପି ବ୍ରିଟିଶ ସରକାରଙ୍କର ଦମନଲୀଳାର ମୋହ ଭାଙ୍ଗିଲା ନାହିଁ ।
ଗାନ୍ଧିଜୀ କାରାଗାରରେ ଥିବା ସମୟରେ ତାଙ୍କର ପ୍ରିୟତମ ବଂଧୁ ଶ୍ରୀ ମହାଦେବ ଦେଶାଇ ଓ ପତ୍ନୀ କସ୍ତୁରବାଙ୍କର ମୃତ୍ୟୁ ଘଟିଲା । ସେ ଏଥିରେ ଭାଙ୍ଗିପଡ଼ିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ଭଗ୍ନ ହେଲା । ତେଣୁ ସ୍ୱାସ୍ଥ୍ୟଗତ କାରଣରୁ ବିନା ସର୍ତରେ ବ୍ରିଟିଶ ସରକାର ତାଙ୍କୁ ମେ ୬ ତାରିଖ, ୧୯୪୪ ମସିହାରେ କାରାମୁକ୍ତ କଲେ । ଏଇଠି ଭାରତ ଛାଡ଼ ଆନ୍ଦୋଳନର ସମାପ୍ତି ଘଟିଲା । ଏହାଥିଲା ବ୍ରିଟିଶ ବିରୁଦ୍ଧରେ ଭାରତୀୟ ମାନଙ୍କର ଶେଷ ସ୍ୱାଧୀନତା ସଂଗ୍ରାମ । ଏହି ସଂଗ୍ରାମର ପର ପ୍ରଭାବରେ ଦେଶ ସ୍ୱାଧୀନ ହେଲା ଅଗଷ୍ଟ ୧୫ ୧୯୪୭ରେ ।
ତେବେ କଥାଟି ହେଲା ଅଗଷ୍ଟ କ୍ରାନ୍ତିର ଏହି ସଂଗ୍ରାମର ଶ୍ରେୟ ଯାଏ ଅରୁଣା ଆସଫ୍ ଅଲ୍ଲୀଙ୍କ ପ୍ରତି । ସେ ସଂଗ୍ରାମର ଥିଲେ ନାୟିକା । ଯଥାର୍ଥରେ ନାୟିକା ଅରୁଣା । ଏ ଶେଷ ସଂଗ୍ରାମରେ ସେ ଯେଉଁ ସ୍ୱାଧୀନତାର ବହ୍ନି ଜାଳିଦେଇ ନିଜେ ବି ଶେଷକୁ ବନ୍ଦୀ ହେଲେ ସଂଗ୍ରାମ ଶେଷ ଯାଏ ।
ଅରୁଣା ପଂଜାବରେ ଜଣେ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ତାଙ୍କର ସାଙ୍ଗିଆ ଥିଲା ଗାଙ୍ଗୁଲି । ସେ କଂଗ୍ରେସ ନେତା ଆସଫ୍ ଅଲ୍ଲୀଙ୍କୁ ବିବାହ ପରେ ତାଙ୍କ ସାଙ୍ଗିଆ ପରିବର୍ତନ ହୋଇ ଅରୁଣା ଆସଫ୍ ଅଲ୍ଲୀ ହେଲା । ଏହାପରେ ସେ ସମାଜବାଦୀ ପାର୍ଟିରେ ଯୋଗଦେଇ ପାଲଟି ଯାଇଥିଲେ ଏହି ଦଳର ଜଣେ ତୁଙ୍ଗ ନେତ୍ରୀ । ପରେ ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇଥିଲେ ହେଁ ପୁନଶ୍ଚ କଂଗ୍ରେସକୁ ପ୍ରତ୍ୟାବର୍ତନ କରିଥିଲେ । ୧୯୯୨ରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେ ଜଣେ ମହିୟସୀ ନାରୀ ହିସାବରେ ସ୍ୱାଧୀନତା ସଂଗ୍ରାମରେ ଯେଉଁ ପରାକାଷ୍ଠା ଦେଖାଇଛନ୍ତି ତାଙ୍କୁ କେବେ ଭୁଲିବାର ନୁହେଁ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ