ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ କରାଯିବାକୁ ରାଜ୍ୟପାଳଙ୍କୁ ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ କରାଯିବାକୁ ରାଜ୍ୟପାଳ ରଘୁବୀର ଦାସଙ୍କୁ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମହାତ୍ମାଗାନ୍ଧୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର, ଦୁଃଖିନୀ କନିକା ପୁସ୍ତକର ରଚୟିତା, କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଅତୁଳନୀୟ ଅବଦାନକୁ କେହି ଭୁଲିପାରିବେ ନାହିଁ । ବିପ୍ଳବୀଙ୍କ ସମ୍ପର୍କରେ ଗାନ୍ଧୀଜୀଙ୍କ ‘ଇଙ୍ଗ ଇଣ୍ଡିଆ’ ପତ୍ରିକାରେ ପ୍ରକାଶ ପାଇବା ପରେ ଭି. ଭି. ଗିରି, ଲାଲା ଲାଜପତ ରାୟ, ଚିତ୍ତରଞ୍ଜନ ଦାସ, ମଦନମୋହନ ମାଲବ୍ୟ ପ୍ରମୁଖ ହତ ଚକିତ ହୋଇପଡିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ତାଙ୍କର ୪୨ଏକର ସମ୍ପତିକୁ ବାଯ୍ୟାପ୍ତି କରାଯିବା ସହ ତାଙ୍କୁ ୧୯୪୬ମସିହାରେ ଖାଦ୍ୟରେ ବିଷ ମିଶାଇ ମାରି ଦିଆଗଲା । ଫଳରେ ଦେଶର ସ୍ୱାଧୀନତା ଦେଖିବାରୁ ସେ ବଞ୍ଚିତ ହୋଇଥିଲେ । ତାଙ୍କର ଏହି ଅମ୍ଳାନ ସ୍ମୃତିକୁ ବଜାୟ ରଖିବା ଏବଂ ଆମର ଭବିଷ୍ୟତର ଯୁବପିଢୀଙ୍କୁ ଏସମ୍ପର୍କରେ ଅବଗତ କରାଇବା ଉଦେଶ୍ୟରେ ତାଙ୍କର ଜୟନ୍ତୀ ରାଜ୍ୟ ସ୍ତରରେ ପାଳନ କରାଯିବା ଆବଶ୍ୟକ । ତେଣୁ ଭୁବନେଶ୍ୱରସ୍ଥିତ ୟୁନିଟ-୯ର ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନରେ ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସେଠାରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ଉପଦେଷ୍ଟା ତଥା ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ ରାଜ୍ୟପାଳ ଶ୍ରୀ ଦାସଙ୍କୁ ଭେଟି ବିପ୍ଳବୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ “ଅଗ୍ନିପୁତ୍ର ବପ୍ଳବୀ ଆନନ୍ଦ ଚନ୍ଦ୍ର” ପ୍ରଦାନ କରିଥିଲେ । ଏଥି ସହିତ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ପୂର୍ବକ ଭୁବନେଶ୍ୱରରେ ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ କରାଯିବାକୁ ଦାବି କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି, ପ୍ରଫେସର ଉପେନ୍ଦ୍ର ପାଢୀ, ପ୍ରଫେସର ନିହାରରଞ୍ଜନ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ଉତ୍ତର ଦାୟାଦ ସଙ୍ଘର ରାଜ୍ୟ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ଦାୟାଦ ସଙ୍ଘର ବିରୁପାକ୍ଷ ତ୍ରିପାଠୀ, ଶିବନାରାୟଣ ମିଶ୍ର, ଶରତ ଚନ୍ଦ୍ର ପ୍ରଧାନ, ମିହୀର ପ୍ରତାପ ଦାସ, ରମେଶ କୁମାର ମହାନ୍ତି, ସଞ୍ଜୟ କୁମାର ଜେନା, କୁଳମଣୀ ରାଉତ, ଅଭୟ କୁମାର ବଡଜେନା, ଦୁଃଶାସନ ସ୍ୱାଇଁ, ଶ୍ରୀମତୀ ମାଲା ସିଂ, ବୈରାଗୀ ଚରଣ ନାୟକ, ଶ୍ୟାମ ପ୍ରସାଦ ପଟ୍ଟନାୟକ, ଉମାକାନ୍ତ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ