ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ପୋଷାକ ବଣ୍ଟନ କଲେ କାଉନସିଲର
ଛତ୍ରପୁର, (ଦେବଦତ୍ତ ମହାରଣା) :-ସାହି ବାସିନ୍ଦା ଅନୁରୋଧ କ୍ରମେ ଛତ୍ରପୁର ଏନଏସି ଅନ୍ତର୍ଗତ ୯ ନଂ ୱାର୍ଡର ନବନିର୍ବାଚିତ କାଉନସିଲର ପ୍ରିତିଛନ୍ଦା ସାମଲ ଆଜି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ଦୀର୍ଘ ୩ ବର୍ଷ ହେଲା ଅଙ୍ଗନବାଡିକେନ୍ଦ୍ରର ପିଲାମାନଙ୍କୁ ପୋଷାକ ବଣ୍ଟନ କରାଯାଉନଥିବା ବେଳେ କାଉନସିଲର ଶ୍ରୀମତି ସାମଲ ଏନେଇ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିଜେ ଉପସ୍ଥିତ ରହି ଅଙ୍ଗନବାଡିକେନ୍ଦ୍ର କୁ ଆସୁଥିବା ଶିଶୁ ମାନଙ୍କୁ ଚଳିତ ବର୍ଷର ପୋଷାକ ବଣ୍ଟନ କରାଯାଇଥିଲା । ଏହି ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ନୂଆସାହି ସ୍ଥିତ ପରିଚୟ ଗୃହ ପରିସରରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସ୍ୱାମୀ କେ. ଚନ୍ଦ୍ର ଶେଖର ରେଡ୍ଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ସାଶ୍ୱତ ସାହୁ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶିଶୁ ମାନଙ୍କୁ ୨ହଳ ପୋଷାକ ସହ ସୁଇଟର ପ୍ରଦାନ କରାଯାଇଥିଲା । କାଉନସିଲର ଶ୍ରୀମତି ସାମଲଙ୍କ ଏଭଳି କାର୍ଯ୍ୟକୁ ସାହି ବାସିନ୍ଦା ମାନେ ପ୍ରଶଂସା କରିଛନ୍ତି । ଏହି ବଣ୍ଟନ ବେଳେ ଅଙ୍ଗନବାଡି କେନ୍ଦ୍ରର କର୍ମୀ କିମ୍ବା ହେଲପର ଅନୁପସ୍ଥିତ ରହିଥିଲେ । ଏହି ଅଙ୍ଗନବାଡି କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଶିଶୁ ଓ ମା ମାନଙ୍କ ନିମନ୍ତେ ସାମଗ୍ରୀ ଗୁଡିକ ସଠିକ୍ ଭାବେ ଦିଆଯାଉନଥିବା ସାହିର ମହିଳା ମାନେ ପ୍ରଶାସନିକ ଅଧିକାରୀ ଏବଂ ଏନଏସି ର ଜନ ପ୍ରତିନିଧୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।


