ଅଟୋକୁ ଧକ୍କାଦେଲା ଟ୍ରାକ୍ଟର ୧ ଛାତ୍ର ମୃତ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଳା ରା.ଉଦୟଗିରି ଥାନା ଅନ୍ତର୍ଗତ ମାହେନ୍ଦ୍ରଗଡ ପଂଚାୟତ ନିକଟସ୍ଥ ରଣାଲଇ ଗ୍ରାମ ନିକଟରେ ଶନିବାର ଭୋର ସକାଳେ ଅଟୋକୁ ଟ୍ରାକ୍ଟର ଧକ୍କାଦେବା ଫଳରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ହୋଇଛି । ମୃତକ ଛାତ୍ରର ନାମ ଲୁବୁନ କରାଡ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ଭୋର ସକାଳୁ ତିନି ଜଣ ସ୍କୁଲ ଛାତ୍ରଙ୍କୁ ନେଇ ଅଟୋ ଡ୍ରାଇଭର ସ୍କୁଲ ଅଭିମୁଖେ ଯାଉଥିବା ସମୟରେ ପଛପଟୁ ଏକ ଟ୍ରାକ୍ଟର ଧକ୍କାଦେଇଥିଲା । ଫଳରେ ଅଟୋ ଚାଳକ ଭାରସାମ୍ୟ ହରାଇ ଏକ ଗଛରେ ଅଟୋଟି ବାଡେଇ ହୋଇଥିଲା । ଘଟଣା ସ୍ଥଳରେ ଛାତ୍ର ମାନେ ଆହାତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଚନ୍ଦ୍ର୍ଗିରି ହସପିଟାଲରେ ଭର୍ତ୍ତିକରାଯାଇଥିଲା ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ।ଏଥିସହ ଆହାତ କିଛି ଛାତ୍ରକୁ ଚନ୍ଦ୍ରଗିରି ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଗୁରୁତର ଅଟୋ ଚାଳକଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପଟେ ଲବୁନ ର କ୍ଷତି ପୁରଣ ଦାବି କରି ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ଦୀର୍ଘ ଦୁଇ ଘଣ୍ଟା ଧରି ସ୍ଥାନୀୟ ଲୋକ ରାସ୍ତା ପାର୍ଶ୍ଵରେ ପଥର ଓ ଟାୟର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି ।


