ଅଦିନିଆ ବର୍ଷାରେ ଯୋଡାରେ ଜନଜୀବନ ଅସ୍ତବ୍ୟସ୍ତ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ସହରରେ ଅଦିନିଆ ବର୍ଷା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯୋଡା ସହରରେ ଥିବା ପିଚୁ ରାସ୍ତା ଉପରେ କାଦୁଅର ଆସ୍ତରଣ ଚକୋଲେଟ୍ ର ଭ୍ରମ ସୃଷ୍ଟି କରୁଛି । ଏହା ସହିତ ଯୋଡା-ବଡବିଲ, ଯୋଡା- ବାମେବାରୀ, ଯୋଡା- ବିଲେଇପଦା , ବିଲେଇପଦା-ମୃଗା ପ୍ରମୁଖ ରାସ୍ତା ବର୍ଷା ଓ କାଦୁଅ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ଟ୍ରାଫିକ ଠପ୍ ହୋଇଯାଇଛି । ଯୋଡା ପୋଲିସ , ଘରୋଇ ସୁରକ୍ଷାକର୍ମୀ ମିଶି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ ହେଁ, ଏଥିରେ କୌଣସି ସୁଦ୍ଧାର ନାହିଁ । ଅତ୍ୟାବଶକୀୟ ଜିନିଷ ଯଥା- କ୍ଷୀର, ପନିପରିବା, ମାଛ ସହରକୁ ପହନଚି ପାରୁନଥିବା ବେଳେ ଖବରକାଗଜ ଗାଡି ମଧ୍ୟ ସହରକୁ ଆସି ପାରୁନାହିଁ । ସହରର ବିଭିନ୍ନ ବସ୍ତି ଓ ହଟିଂର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅଦିନିଆ ଝିପି ଝିପି ବର୍ଷାରେ ମଧ୍ୟ ସହରରେ ଏକ କୃତିମ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଯୋଡାର ଦୁଇଟି ବଜାରକୁ ସଂଯୋଗ କରିଥିବା ସୁନାନଦୀ ପୋଲ ଉପରେ କାଦୁଅ, ମାଟି, ପାଣି ଜମି ରହିଥିବାରୁ ସାଧାରଣ ବାଟୋଇ ମଧ୍ୟ ପାଦରେ ଚାଲି ଯାଇପାରୁନାହିଁ । ବାଟୋଇ ବିଜୟ ବେହେରା , ଖବରକାଗଜ ବ୍ୟବସାୟୀ ସୁରେଶ ନାୟକ, ମହିଳା ତାରି କାରୁଆ, ଦୁଖବନ୍ଧୁ ଦେହୁରୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ହଜାର ହଜାର କୋଟି ଟଙ୍କା ଖଣିଜ ପାଣ୍ଠି ଏଅଂଚଳରୁ ଯାଉଥିଲେ ମଧ୍ୟ ଏହାର ବିନିଯୋଗ ଜିଲା ପ୍ରଶାସନ ଠିକ୍ ଭାବରେ କରିପାରୁନାହିଁ । ମୌଳିକ ସୁବିଧା ମଧ୍ୟ ଏଠାରେ ଅପହଁଚ । ରାସ୍ତାର ଅବସ୍ଥା ସତେ ଯେପରି କେହି ଚକୋଲେଟ୍ କୁ ରାସ୍ତା ଉପରେ ଦଳିଚକଟି ଦେଇଛି ବୋଲି ସେମାନେ କହିଛନ୍ତି । ଖଣିର ନିଲାମ ପ୍ରକ୍ରିୟା ଚାଲୁଥିବାରୁ ମାର୍ଚ୍ଚମାସ ମଧ୍ୟରେ ଖଣିର ଷ୍ଟକକୁ ପରିବହନ ପାଇଁ ରାଜ୍ୟ ତଥା ବିଭିନ୍ନ ରାଜ୍ୟର ହଜାର ହଜାର ସଂଖ୍ୟାର ଭାରିଯାନ ଚଳାଚଳ ଜନଜୀବନକୁ ଦୁର୍ବିଷୟ କରିପକାଉଛି । ସକାଳେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ରାସ୍ତା ଜାମ୍ ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତେ ଅସୁବିଧା ସତ୍ୱେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ