ଅଦିନିଆ ବର୍ଷା, ଚାଷୀ ମୁଣ୍ଡରେ ଚଡ଼କ

ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଅଦିନିଆ ବର୍ଷା ର୍ ଯୋଗୁଁ ହିଂଜିଳିକାଟୁ ଅଂଚଳର ଧାନ ଚାଷୀ ସମେତ ମୁଗ, ବିରି, ବଡ଼ କାନ୍ଦୁଲ ଆଦି ଫସଲ କରୁଥିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ରାଜ୍ୟ ସରକାର ଗୋଟିଏ ପଟେ ବର୍ଷକୁ ବର୍ଷ କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସା ପାଇଁ କୃଷି କର୍ମଣ ପୁରସ୍କାରରେ ସମ୍ମାନିତ ହେଉଥିବା ବେଳେ ଅନ୍ୟପଟେ ରାଜ୍ୟ ମୁଖିଆଙ୍କ ଗଡ଼ କୃଷି ଉତ୍ପାଦ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଚାଷୀ ବିପୁଳ କ୍ଷତି ସହୁଛି । ପୁଣି ଥରେ ବୁଧବାର ସନ୍ଧ୍ୟାରୁ ଶୁକ୍ରବାର ରାତି ପର୍ଯ୍ୟନ୍ତ ହୋଉଥିବା ତୁହାକୁ ତୁହା ବର୍ଷା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଫଳରେ ବହୁ କଷ୍ଟରେ ଅମଳ କରିଥିବା ଧାନ ବିକ୍ରି ହୋଇନପାରି ଖଳାରେ ପଡ଼ି ରହିଥିବା ବେଳେ ବର୍ଷାରେ ଭିଜି ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ ଗତ ନଭେମ୍ବର ୨୦୧୯ ଠାରୁ ଧାନ କିଣିବା ପାଇଁ ମଣ୍ଡି ଆରମ୍ଭ ହୋଇଛି । କିନ୍ତୁ ବାସ୍ତବରେ ଡ଼ିସେମ୍ବର ମାସ ଠାରୁ ହିଁ ମଣ୍ଡିରେ ଧାନକିଣା ପ୍ରକ୍ରିୟା ଚାଲିଛି । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ନାମକୁ ମାତ୍ର ଚାଲିଥିବା ନେଇ ସ୍ଥାନୀୟ ବ୍ଳକର ବହୁ ପଂଚାୟତରେ ଅଭିଯୋଗ ହୋଇଛି । କେତେବେଳେ ସାସ୍‌, ମାସ୍ ର ଆଳ ଦେଖାଇ ତ ଆଉ କେତେବେଳେ ଭୂବନେଶ୍ୱର ଠାରୁ ସଂପୃକ୍ତ ଚାଷୀଙ୍କ ନାମରେ ଟୋକେନ୍ ଆସି ନଥିବାରୁ ଧାନ କିଣିବୁ ନାହିଁ ବୋଲି ସମବାୟ ସମିତି ରୋକଠୋକ୍ କହୁଛନ୍ତି । ବର୍ତମାନ ସ୍ଥାନୀୟ ବ୍ଳକର ପ୍ରାୟ ଅଧିକାଂଶ ମଣ୍ଡିରେ ଚାଷୀ ମାନେ ଶତାଧିକ ବସ୍ତା ବାହାରେ ପକାଇ ରଖିଛନ୍ତି । ସରକାରାଙ୍କ ପକ୍ଷରୁ ମଣ୍ଡିରେ ଧାନକୁ ସଂରକ୍ଷଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଶୀତ କାକରରେ ଚାଷୀ ଧାନକୁ ଜଗି ରହୁଛନ୍ତି । ଏଭଳି ସ୍ଥିତିରେ ଅଦିନିଆ ବର୍ଷା ହୋଇଛି ଏବଂ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପଟେ ଟୋକେନ ଆସୁନଥିବାରୁ ଚାଷୀଙ୍କ ଠାରୁ ଧାନ ଗ୍ରହଣ କରାଯାଉନାହିଁ । ଏଭଳି ସ୍ଥିତିରେ ବର୍ଷାରେ ଭିଜି ହଜାର ହଜାର କୁଇଂଟାଲ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି । ଲକ୍ଷାଧିକ ଗରିବ ଚାଷୀ ଏଭଳି ସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ କିଛି ପ୍ରତିଭାଶାଳୀ ବ୍ୟକ୍ତି ନିଜେ ପ୍ରଥମେ ମଣ୍ଡିରେ ଗ୍ରହଣ ଲାଗିଲା ଭଳି ବ୍ୟବସ୍ଥା କରିଛନ୍ତି ବୋଲି ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ ଅଭିଯୋଗ କରିଛନ୍ତି । ଚଳିତ ବର୍ଷା ଯୋଗୁଁ ହିଂଜିଳିକାଟୁ ବ୍ଳକର ଧାନ ଚାଷୀଙ୍କ ଭଳି ବର୍ତମାନ ସ୍ଥିତିରେ ମୁଗ, ବିରି ଓ ବଡ଼ କାନ୍ଦୁଲ ଫସଲ ଅମଳ ହେବାକୁ ଥିବା ବେଳେ ଅଦିନିଆ ବର୍ଷା ଲାଗିରହିଲେ ସବୁକିଛି ଉଜୁଡ଼ିଯିବ ବୋଲି ଅଂଚଳର ଚାଷୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ