ଅନଲାଇନ ପାଠପଢାରେ ବାଧକ ସାଜିଛି ନେଟୱାର୍କ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ପାଇଁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଡୋରି ବନ୍ଧାହୋଇଛି। ଫଳରେ ଅନ୍ଲାଇନରେ ପଢିବାକୁ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଟାଓ୍ବାର ନ ଥିବାବେଳେ କେତେକ ଅଞ୍ଚଳରେ ଟାଓ୍ବାର ଥିଲେ ମଧ୍ୟ ସେଠାରେ ୨ଜି ନେଟ୍ଓ୍ବାର୍କ ରହିଛି। ଫଳରେ ଛାତ୍ରୀଛାତ୍ର ପଢିବାରେ ଅସୁବିଧା ହେଇଛି। ଏଭଳି ସମସ୍ୟା ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମର ଛାତ୍ରୀଛାତ୍ର ମାନେ ବିଡିଓ ଡ.ଜଗଦୀଶ ଷଡଙ୍ଗୀଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି। ସେମାନେ କହିଛନ୍ତି, ସିକରମାହା ଠାରେ ୨ଜି କିମ୍ବା ୩ଜି ନେଟୱାର୍କ ନାହିଁ। କେବଳ କଥା ହେବାପାଇଁ ମୋବାଇଲ ଟାୱାର ରହିଛି। ତୁରନ୍ତ ଥ୍ରୀଜି ନେଟ୍ୱାର୍କ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ତାଜୁଙ୍ଗିଆ ସରପଞ୍ଚ ଶିବାଜୀନୀ ମୁଠାମାଝୀ ଦାବି ଯଥାର୍ଥ ବୋଲି କହିଥିବାବେଳେ ତୁରନ୍ତ ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ପୂର୍ବତନ ସରପଞ୍ଚ ଯୋହନ ମାଝୀ ଚେତାବନୀ ଦେଇ କହିଛନ୍ତି।


