ଅନଲାଇନ ପାଠପଢ଼ାର ବିକଳ ଚିତ୍ର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ଦୁର୍ଗମାଞ୍ଚଳରେ ଅନଲାଇନ ପାଠପଢା ପ୍ରହସନ ପାଲଟିଛି। କାହା ପାଖରେ ମୋବାଇଲ ଅଛି ତ ଆଉ କାହା ପାଖରେ ମୋବାଇଲ ସେଟ ନାହିଁ। କେଉଁଠି ଟାୱାର କାମ କରୁନି ତ ଆଉ କେଉଁ ସ୍ଥାନରେ ବିଦ୍ୟୁତ ସଂଯୋଗ ନାହିଁ। ଆଉ କେହି କେହି ଦାରିଦ୍ର୍ୟ କାରଣରୁ ମୋବାଇଲ ଟିଏ କିଣି ପାରୁ ନାହାନ୍ତି। ଏହାକୁ ନେଇ ଅଭିଭାବକ ଓ ସେମାନଙ୍କ ପଢୁଆ ପିଲାଙ୍କ ମଧ୍ୟରେ ବାକବିତଣ୍ଡା ହେଉଛି। ବିଶେଷ କରି କୁଟିଆ କନ୍ଧ ଅଧ୍ୟୁଷିତ ତୁମୁଡିବନ୍ଧ ବ୍ଲକର ଛାତ୍ରଛାତ୍ରୀ ଅନଲାଇନ ପାଠପଢାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନେଟୱାର୍କ ଧରୁଥିବା ସ୍ଥାନ ଗ୍ରାମଠାରୁ ୧୨ କିଲୋମିଟର ଦୂର ସହ ରାସ୍ତାରେ ବହି ଯାଇଥିବା ନଦୀ ପାର ହେବାକୁ ପିଲାଙ୍କୁ ପଡୁଛି। ଏହି କାରଣରୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କରୋନା କାରଣରୁ ଅନଲାଇନରେ ଶିକ୍ଷାଦାନ ସହରୀ ତଥା ବିକଶିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଫଳପ୍ରଦ ହୋଇପାରୁଥିବା ବେଳେ ଏହି ଶିକ୍ଷା ଶୈଳୀରୁ ବଞ୍ଚିତ ହେଉଛନ୍ତି କୁଟିଆ କନ୍ଧ ଅଧ୍ୟୁଷିତ ତୁମୁଡ଼ିବନ୍ଧ ବ୍ଲକର ଏକାଧିକ ପଞ୍ଚାୟତର ଛାତ୍ରଛାତ୍ରୀ। ଏହି ବ୍ଲକର ବେଲଘର, ଗୁମା, ଝିରିପାଣି, ଲଙ୍କାଗଡ, ବିଲାମାଳ, ଭଣ୍ଡରଙ୍ଗି, ମୁଣ୍ଡିଗଡ, ସିର୍ଲା, କୁର୍ତ୍ତମଗଡ, କଡକୁଡୁପା ଆଦି ପଞ୍ଚାୟତର ଦୁର୍ଗମ ଗ୍ରାମଗୁଡିକର ଗରିବ ଶ୍ରେଣୀର ଦଳିତ ଆଦିବାସୀ ଛାତ୍ରଛାତ୍ରୀ। ଏହି ଅଞ୍ଚଳରୁ ଶତାଧିକ ଆଦିବାସୀ ଛାତ୍ରଛାତ୍ରୀ କିଟ ଶିକ୍ଷାନୁଷ୍ଠାନରେ ମାଗଣା ଶିକ୍ଷାଦାନ କରୁଛନ୍ତି। ତେବେ ଏମାନଙ୍କ ପାଖରେ ମୋବାଇଲ୍‍ କିଣିବାର ସାମର୍ଥ୍ୟ ନାହିଁ । ସେମାନେ ରହିଥିବା ଦୁର୍ଗାମଞ୍ଚଳର ମୋବାଇଲ ନେଟୱାର୍କ ମଧ୍ୟ ନାହିଁ। କିଛି ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଥିଲେ ମଧ୍ୟ ନେଟୱାର୍କ ନଥିବା କାରଣରୁ ଅନଲାଇନ ଶିକ୍ଷା ଆହରଣ ପାଇଁ ୧୦ରୁ ୧୨ କିଲୋମିଟର ଦୂର ଯାଉଛନ୍ତି। ତାହାପୁଣି ଘଣ୍ଟାଏ ଆଗରୁ ଯାଇ ନେଟୱାର୍କ ସର୍ଚ୍ଚ କରି ଅପେକ୍ଷା କରି ରହିବାକୁ ପଡୁଛି ବୋଲି ବିଦ୍ୟାର୍ଥୀ କହିଛନ୍ତି। କେତେକ ଛାତ୍ରଛାତ୍ରୀ ବିପଦସଙ୍କୁଳ ଅବସ୍ଥାରେ ଗଛରେ ଚଢି ପାଠ ପଢୁଛନ୍ତି ତ କିଏ ପାହାଡ ଉପରେ ଚଢି ନେଟୱାର୍କ ସର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି।ଏଭଳି କିଛି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧ ମୁଣ୍ଡିଗଡ ପଞ୍ଚାୟତର ତୁତୁଲୁବା ଗ୍ରାମ ନିକଟସ୍ଥ ଏକ ଆମ୍ବ ଗଛରେ। ବର୍ଷା ରୁତୁ ହୋଇଥିବାରୁ ନେଟୱାର୍କ ଧରୁଥିବା ପାହାଡକୁ ଯିବାକୁ ହେଲେ ପିଲାଙ୍କୁ ବାଟରେ ପଡୁଥିବା ରାହୁଳ ନଦୀ ପାର ହେବାକୁ ପଡୁଛନ୍ତି। କୁର୍ତିପଡା, ଖମନପଡା, ମଣ୍ଡଳପଦର, ସୁନାଗାଁ, ରୁଗୁଡିପାଲି, ଧୁଙ୍ଗିଆପଙ୍ଖାଳ ଆଦି ଅଞ୍ଚଳର ଛାତ୍ରଛାତ୍ରୀ ନଦୀ ପାର ହୋଇ ଅନଲାଇନ ଶିକ୍ଷା ଆହରଣ ପାଇଁ ନେଟୱାର୍କ ଧରୁଥିବା ସ୍ଥାନକୁ ଯାଉଛନ୍ତି। ଏଠାରେ ମଧ୍ୟ କେତେବେଳେ ନେଟୱାର୍କ ଆସୁଛି ତ କେତେବେଳେ କଟିଯାଉଛି। ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି ବୋଲି କେତେକ ଛାତ୍ରଛାତ୍ରୀ କହିଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ଅନଲାଇନ ଶିକ୍ଷାଦାନ ଫଳପ୍ରଦ ହେଉନଥିବାରୁ ସ୍ଥାନୀୟ ଅଚଂଳର ଅଭିଭାବକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ