ଅନୁକୁଳ ଚନ୍ଦ୍ର ସତସଙ୍ଗ କେନ୍ଦ୍ର ପ୍ରତିଷ୍ଠାରେ ୫୦ ହଜାର ଶ୍ରଦ୍ଧାଳୁ ଯୋଗଦେବେ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ ତମ ଆବିର୍ଭାବ ମହୋତ୍ସବ ଓ ନବନିର୍ମିତ ସତସଙ୍ଗ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଆସନ୍ତା ୧୯ ତାରିଖ ରବିବାର ଦିନ ସହରର ଅଙ୍ଗାରଗଡ଼ିଆ ସ୍ଥିତ ସତସଙ୍ଗ ବିହାରଠାରେ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସତସଙ୍ଗ ବିହାର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ପ୍ରପୌତ୍ର ଅନିନ୍ଦ୍ୟଦ୍ୱିତୀ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଏଥି ସହିତ ବାଲେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ ବୋଲି ଆୟୋଜକ କମିଟି କର୍ମକର୍ତ୍ତା କହିଛନ୍ତି । ଅନୁକୂଳ ଚନ୍ଦ୍ର ପ୍ରେମୀ ଶ୍ରଦ୍ଧାଳୁଙ୍କ ସହଯୋଗରେ ୨୦୧୮ ମସିହାରେ ଅ।।ରମ୍ଭ ହୋଇଥିବା ଏହି ସତସଙ୍ଗ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ପୂର୍ଣ୍ଣାଙ୍ଗ ହୋଇ ପାରିଛି ବୋଲ ତତ୍ତ୍ୱାବଧାରକ ସୁରେନ୍ଦ୍ର ପ୍ରସାଦ ପଟ୍ଟନାୟକ କହିଥିଲେ । ଏହି ଭବ୍ୟ ମନ୍ଦିର ନିର୍ମାଣରେ ପ୍ରାୟ ସାଢେ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ସେ ସୂଚନା ଦେଇଥିଲେ । ସତସଙ୍ଗ କେନ୍ଦ୍ର ପ୍ରତିଷ୍ଠା ଓ ଶ୍ରୀ ଶ୍ରୀ ଠାକୁରଙ୍କ ୧୩୫ତମ ଆବିର୍ଭାବ ମହୋତ୍ସବ ପାଳନ କାର୍ଯ୍ୟକ୍ରମରେ ଉଷା କୀର୍ତ୍ତନ, ସମବେତ ବିନତୀ ପ୍ରାର୍ଥନା, ସ୍ୱସ୍ତି ମହାଯଜ୍ଞ, ନଗର କୀର୍ତ୍ତନ ସାଙ୍ଗକୁ ସତସଙ୍ଗ ସଭା ଆୟୋଜିତ ହେବ । ସେହିପରି ସନ୍ଧ୍ୟାରେ ପାଲା ପରିବେଷଣ ସହ ଭଜନ କୀର୍ତ୍ତନ, ସାନ୍ଧ୍ୟ ବିନତୀ ପ୍ରାର୍ଥନା, ଆତସବାଜି ଓ ବିଚିତ୍ରା କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହେବ । ଏହି ଉତ୍ସବରେ ୫୦ ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ସେମାନେ ଆଶାବ୍ୟକ୍ତ କରିଛନ୍ତି । ଏନେଇ ଶ୍ରଦ୍ଧାଳୁଙ୍କ ବିଶ୍ରାମ ସ୍ଥଳ, ପାର୍କିଂ, ପ୍ରସାଦ ସେବନ ଓ ସତସଙ୍ଗ ଆୟୋଜନ ନିମନ୍ତେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା କେନ୍ଦ୍ରର ବରିଷ୍ଠ ସଦସ୍ୟ ଡାକ୍ତର ଅଜିତ ଦାସ କହିଥିଲେ ।ଏଥି ସହିତ ସେଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଥିଲେ । ଦିବସବ୍ୟାପୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ହେବାକୁ ଥିବା ମହୋତ୍ସବରେ ଭକ୍ତ ଶ୍ରଦ୍ଧାଳୁ ଓ ଅନୁରାଗୀମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ବିହାରୀ, ବିଜୟ କୁମାର ମହାପାତ୍ର, ଆର୍ତ୍ତତ୍ରାଣ ଦାସ, ପ୍ରତୁଲ ଚନ୍ଦ୍ର ଦାସ, ପ୍ରଭାତ କୁମାର ନାୟକ, କାଶୀନାଥ ନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


