ଅପ୍ରେଲ ୫ରୁ ଶ୍ରୀ ବାସନ୍ତୀ ନବରାତ୍ର ପୂଜା ଆରମ୍ଭ
ଭୁବନେଶ୍ୱର : ହନୁମାନ ଭକ୍ତ ସମିତି ତଥା ୟୁନିଟ୍-୫ ଶ୍ରୀଜଗନ୍ନାଥ ମନ୍ଦିର ସହଯୋଗରେ ‘ପବିତ୍ର ଶ୍ରୀ ବାସନ୍ତୀ ନବରାତ୍ର ପୂଜା’ ଆଜ ୫ ଅପ୍ରେଲରୁ ଆରମ୍ଭ ହୋଇଯାଇଛି । ଅପ୍ରେଲ ୧୩ ତାରିଖ ଶନିବାର ପବିତ୍ର ରାମ ନବମୀ ଦିନ ସମାପ୍ତ ହେବ । ଆଜି ସକାଳ ୭ ଘଟିକା ସମୟରେ ପବିତ୍ର ବିନ୍ଦୁସାଗର ପୁଷ୍କରିଣୀରୁ କଳସ ଯାତ୍ରା ଆରମ୍ଭ ହୋଇ ୟୁନିଟ୍-୫ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ସେଠାରେ ବିଧିମତେ ସ୍ଥାପନା କରାଯାଇଅଛି । ଏହାପରେ ଅଙ୍କୁରା ରୋପଣ, ସୂର୍ଯ୍ୟପୂଜା ଶାସ୍ତ୍ରଜ୍ଞ ପଣ୍ଡିତମାନଙ୍କ ଦ୍ୱାରା କରାଯାଇଥିଲା । ସନ୍ଧ୍ୟା ୬ ଘଟିକା ସମୟରେ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଅଛି । ଆଜି ‘ମା’ଶୈଳପୁତ୍ରୀ’ ଆରାଧନା କରାଯାଇ ହୋମ କାର୍ଯ୍ୟ ସହ ସପ୍ତସତୀ ଚଣ୍ଡୀ ପାଠ କରାଯାଇ ଘୃତାହୂତି ଅର୍ପଣ କରାଯାଇଛି । ରତିକାନ୍ତ ପାଢୀ ଓ ଜ୍ୟୋତ୍ସ୍ନା ପାଢୀ ପୂଜାରେ କର୍ତ୍ତାକର୍ତ୍ତୀ ଭାବରେ ଯୋଗ ଦେଇଥିଲେ । ମା’ଙ୍କ ପୂଜା ପାଇଁ ଆଗ୍ରହୀ ପରିବାରମାନେ କର୍ତ୍ତା କିମ୍ବା ଜଜମାନ ହୋଇ ନବରାତ୍ରି ପୂଜାରେ ସ୍ୱତନ୍ତ୍ର ପୂଜା ଗ୍ରହଶାନ୍ତି ବି କରିପାରିବେ । ୯ ଦିନ ବ୍ୟାପି ପୂଜାରେ ମାତୃଭକ୍ତମାନେ ଯୋଗ ଦେଇ ଆହୂତି ଓ ସାକଲ୍ୟ ପ୍ରଦାନ କରି ଆଶୀର୍ବାଦ ପ୍ରାପ୍ତି କରିପାରିବେ । ଏହି ପୂଜା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା ତଥା ବିଶ୍ୱଶାନ୍ତି ପାଇଁ ସମର୍ପିତ । ଆଗ୍ରହୀ ବ୍ୟକ୍ତିବିଶେଷମାନେ ଶ୍ରୀଜଗନ୍ନାଥ ମନ୍ଦିର ପୂଜକଙ୍କ ଠାରୁ ପୂଜା ସମ୍ପର୍କରେ ସୂଚନା ପାଇପାରିବେ । ମା’ଙ୍କର ଆଶୀର୍ବାଦ ସର୍ବାଗ୍ରେ ଏବଂ ସମସ୍ତଙ୍କ ପାଇଁ ଜରୁରୀ । ପୂଜାରେ ଜୟପ୍ରକାଶ ମିଶ୍ର, କୁମଦିନୀ ପଣ୍ଡା, ଇନ୍ଦିରା ମିଶ୍ର, ସୁଚିସ୍ମିତା ପୃଷ୍ଟି, ପି.କେ. ମହାପାତ୍ର, ରାଜକିଶୋର ସେନାପତି, ପ୍ରଶାନ୍ତ କୁମାର ମିଶ୍ର, ଭୀମସେନ ପାଇକରାୟ ଓ ଦିବ୍ୟା ଶାଶ୍ୱତୀ ପୂଜାକାର୍ଯ୍ୟ ପରି·ଳନାରେ ସହଯୋଗ କରିଥିଲେ । ନବରାତ୍ର ପୂଜାରେ ବହୁ ସଂଖ୍ୟାରେ ଯୋଗ ଦେଇ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ସଭାପତି ପରେଶ ନାୟକ ନିବେଦନ କରିଛନ୍ତି ।