ଅବଧି ସରିଲାଣୀ କାମ ସରୁନି
ନାଉଗାଁ,(ପ୍ରଦୋଷ ମହାନ୍ତି ):ଜନବସତି ଥିବା ଗ୍ରାମ ଗୁଡିକୁ ଗମନାଗମନର ସୁବିଧା ପାଇଁ ରାସ୍ତା ସଂଯୋଗୀକରଣ ଓ ଉନ୍ନତିକରଣ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି । କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ଓ ଲାଭଖୋର ମନୋବୃତି ଯୋଗୁଁ କେଉଁଠି ବର୍ଷେ ନପୁରୁଣୁ ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିଣତ ହେଉଛି ତ ଆଉ କେଉଁଠି ରାସ୍ତାରୁ ମାଟି ଧସି ରାସ୍ତା ଦବିବାରେ ଲାଗୁଛି । ଏପରିକି ରାସ୍ତା କାର୍ଯ୍ୟର ଅବଧି ଶେଷ ହୋଇଥିଲେ ମଧ୍ୟ ରାସ୍ତାର କାର୍ଯ୍ୟ ଶେଷ ହେଉନାହିଁ । ଏହିଭଳି କାର୍ଯ୍ୟ ଦେଖିବାକୁ ମିଳୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତସିଂହପୁର ବିଭାଜନ ଅଧିନ ବାଲିକୁଦା ଉପଖଣ୍ଡ ମାଛଗାଁ-ତରାସାହି ରାସ୍ତାରେ ।
ସୂଚନା ଅନୁସାରେ,ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ସୁଆଁକଣ ଗ୍ରାମ ଓ ବାଲିକୁଦା ବ୍ଲକ ତରାସାହି ପଂଚାୟତକୁ ଯିବା ପାଇଁ ରାସ୍ତାର ସୁବିଧା ନଥିଲା । ସଂପୃକ୍ତ ଅଂଚଳର ଜନସାଧାରଣମାନେ ନାଉଗାଁ,ବାଲିକୁଦା ଓ ଜଗତସିଂହପୁରକୁ ଯାତାୟତ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷକରୀ ବର୍ଷା ରିତୁରେ ବହୁତ ଅସୁବିଧା ଭୋଗୁଥିଲେ । ଡାହାଣିଖିଆ ବିଜୁ ସେତୁ ନିର୍ମାଣ ପରେ ଉକ୍ତ ସ୍ଥାନକୁ ରାସ୍ତା ନିର୍ମାଣ ପାଇଁ ଭାରତ ସରକାରଙ୍କ ପ୍ରାଧନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଟେଣ୍ଡର କରାଯାଇଥିଲା । ସୂଚନା ଫଳକ ତଥ୍ୟ ଅନୁସାରେ ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ମାଛଗାଁ ଠାରୁ ତରାସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବାବଦକୁ ୨ କୋଟି ୨୩ ଲକ୍ଷ ୧୬ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଏହି ରାସ୍ତାର ଦୈର୍ଘ୍ୟ ୩ କିମି ୮୭୫ ମିଟର ରହିଥିବା ବେଳେ ଏଥିମଧ୍ୟରୁ ପିଚୁ ରାସ୍ତା ୩ କିମି ୨୦୮ ମିଟର ଓ କଂକ୍ରିଟ ରାସ୍ତା ପାଇଁ ୬୬୭ ମିଟର କରାଯାଇଛି । ଏହି ରାସ୍ତା କାର୍ଯ୍ୟ ୨୦୧୮ ଏପ୍ରିଲ ୨୪ ରୁ ଆରମ୍ଭ କରାଯାଇ ୨୦୧୯ ଜାନୁଆରୀ ୨୩ ଭିତରେ ଶେଷ କରିବା ପାଇଁ ସୂଚନା ଫଳରେ ଦର୍ଶାଯାଇଛି । ଏହି ରାସ୍ତାର କାର୍ଯ୍ୟ ତଦାରଖ କରିବା ପାଇଁ ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ କାର୍ଯ୍ୟର ଅବଧି ସରିବାର ୮ମାସ ଅତିବାହିତ ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ଦେଖିବାକୁ ମିଳୁଛି । ଅନ୍ୟପଟରେ ନିର୍ମାଣ ହୋଇଥିବା ପିଚୁ ରାସ୍ତାର ଉଭୟ ପାଶ୍ୱର୍ରୁ ମାଟି ଦବୁଥିବା ଦେଖିବାକୁ ମିଳୁଛି । ଯାହାକି ରାସ୍ତା ଗୋଟିଏ ପଟରେ ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ ଅନ୍ୟପଟରେ ନିର୍ମାଣ ଶେଷ ହୋଇଥିବା ରାସ୍ତାର ପାଶ୍ୱର୍ରୁ ମାଟି ଦବୁ ଥିବା ଅଭିଯୋଗ ହେଉଛି । ଏହି ରାସ୍ତାର ପାଶ୍ୱର୍ରୁ ମାଟି ଦବିବା ଫଳରେ ରାସ୍ତା ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।


