ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ଅଂଚଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସୁସାହିତ୍ୟିକ ରାଧାଶ୍ୟାମ ସାହୁଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା। ସେ ନାଆମୀ ପଂଚାୟତ ଚୁଆଗଡ଼ିଆ ଗ୍ରାମରେ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବାବେଳେ ଶିକ୍ଷକତା ବୃତ୍ତି ରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ସେ ସାହିତ୍ୟ ସହିତ ଅଙ୍ଗାଙ୍ଗି ଭାବେ ଜଡ଼ିତ ଥିବାବେଳେ ଅବସର ଗ୍ରହଣ ପରେ ମଞ୍ଜୁରୀରୋଡ଼ ସାହିତ୍ୟ ସଂସଦରେ ସଭାପତି ହୋଇଥିଲେ। ସେ ଜଣେ ପରୋପକାରୀ, ଧର୍ମ ପରାୟଣ ବ୍ୟକ୍ତି ଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।