ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସହବନ୍ଧିତ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ମ ବେତନ କମିଶନ ଆଧାରରେ ବର୍ଦ୍ଧିତ ୫ପ୍ରତିଶତ ମହଙ୍ଗା ଭତ୍ତା ଗତ ୨୦୧୯ ଜୁଲାଇମାସରୁ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ଜାନୁଆରୀ ୨୦୨୦ରୁ ସେହି ମହଙ୍ଗା ଭତ୍ତା ଲାଗୁ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାଦ୍ୱାରା ଅବସରପ୍ରାପ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କ୍ଷତିଗ୍ରସ୍ତ ହେବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଏଥିସହିତ ଅବସରକାଳୀନ ସ୍ୱାସ୍ଥ୍ୟ ଭତ୍ତାର ସୁବିଧା ନଥିବାରୁ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବାର୍ଦ୍ଧକ୍ୟ ଜନିତ ରୋଗର ଆବଶ୍ୟକ ଚିକିତ୍ସା ଅର୍ଥାଭାବରୁ ପାଇପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଉପରୋକ୍ତ ଦାବି ଗୁଡିକର ସୁବିଚାର କରାଯାଇ ଶିକ୍ଷକମାନଙ୍କ ମଙ୍ଗଳ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଘ ପକ୍ଷରୁ ସଭାପତି ଭ୍ରମର ରାଉତ,ସମ୍ପାଦକ ଅନାଦି ଚରଣ ମାହାଳି,ସୁବୋଧ କୁମାର ପରିଡା,ରଘୁନାଥ ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।


