ଅବହେଳିତ ଗ୍ରାମ ମାଧପଙ୍କା, ବିକାଶ ଏମାନଙ୍କ ପାଇଁ ସାତ ସପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସ୍ୱାଧିନତାର ସାତ ଦଶନ୍ଧି ପରେ ମଧ୍ୟ ସରକାରଙ୍କ ଯୋଜନା ଏବେ ବି ଲୋକଙ୍କ ନିକଟରେ ଅପହଞ୍ଚ ଯୋଗୁଁ ଦୁର୍ଦିନରେ ଜୀବନଯାପନ କରୁଛନ୍ତି ଲୋକେ । ରାସ୍ତାଘାଟ ନଥିବା, ବିକାଶର ଛାପ ପଡିନଥିବା କି କୌଣସି ସରକାରୀବାବୁ କିମ୍ବା ରାଜନେତାଙ୍କ ଦୃଷ୍ଟି ନଥିବାରୁ ଲୋକେ ଆଜିବି ଘଞ୍ଚ ଜଙ୍ଗଲରେ ଚାଲି ଚାଲି ଯାଉଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଲୋକେ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ ହେଉଥିବା ବେଳେ ପ୍ରସୂତି କିମ୍ବା ବୃଦ୍ଧ ବୃଦ୍ଧାଙ୍କୁ ଖଟିଆ କିମ୍ବା କାନ୍ଧରେ ବୋହି ବୋହି ନେଉଥିବାର ବହୁ ଦୃଷ୍ଟାନ୍ତ ରହିଛି । ଏପରି ସରକାର ଓ ପ୍ରଶାସନ ଦୃଷ୍ଟିଆଢୁଆଳରେ ବହୁ ଗ୍ରାମ ରହିଯାଇଛି । ଗଜପତି ଜିଲ୍ଲା ମୋହନା ବ୍ଲକ୍ ମାଣ୍ଡିମେରା ପଞ୍ଚାୟତର ଦୁର୍ଗମ ତଥା ପାହାଡ ଶିଖରରେ ରହୁଥିବା ମାଧପଙ୍କା ଗ୍ରାମବାସୀଙ୍କ ଦୁର୍ଦଶାକୁ ଦେଖିଲେ ହିଁ ଜଣାପଡୁଛି ବିକାଶ କେତେ ଦୂରରେ ପହଞ୍ଚିଛି । ବିକାଶ ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ମାଣ୍ଡିମେରା ପଞ୍ଚାୟତ ପାହାଡ ଶିଖରରେ ଥିବା ମାଧପଙ୍କା ଗ୍ରାମରେ ୧୦ଗୋଟି ପରିବାରର ପ୍ରାୟ ୪୦ଜଣ ଆଦିବାସୀ ଲୋକେ ବସବାସ କରନ୍ତି । ଏଠାକୁ ଯିବାକୁ ହେଲେ ମାଣ୍ଡିମେରା ପଞ୍ଚାୟତ ଠାରୁ ସରଳାପଦର, ଡିଆମା ଗ୍ରାମ ଦେଇ ପ୍ରାୟ ୧୬ କିମି ନଦୀ, ନାଳ, ଘଞ୍ଚ ଜଙ୍ଗଲ ମଧ୍ୟରେ ପଥୁରିଆ ରାସ୍ତାରେ ଚାଲି ଚାଲି ଗଲେ ଏହି ଗ୍ରାମରେ ପହଞ୍ଚିହୁଏ । ଏହି ଗାଁ ଟି କାହିଁ କେଉଁ ଆଦିମ କାଳରୁ ଅବସ୍ଥିପତି ହୋଇଥିବା ବେଳେ ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ରାସ୍ତା ନଥିବାରୁ ଏମାନଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟଜଳ ଭଳି ସରକାରଙ୍କ ଯୋଜନା ଏଠି ଅପହଞ୍ଚ । ବର୍ତ୍ତମାନ ମଧ୍ୟ ଲୋକେ ଏମିତି ଜଙ୍ଗଲ ମଧ୍ୟରେ ଚାଲି ଚାଲି ଯାତାୟତ କରୁଥିବା ବେଳେ ଜଙ୍ଗଲି ଜୀବଜନ୍ତୁଙ୍କ ଭଳି ଅସହାୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ଗାଁରେ ଯେଣତେଣ ଭାବେ ସରକାର ଗୋଟିଏ ଆବାସ ଗୃହ ଯୋଗାଇ ଦେଇ ନିଜର ସ୍ଥିତ ଜାହିର କରିଛନ୍ତି । ହେଲେ ଗ୍ରାମବାସୀମାନଙ୍କ ସମସ୍ୟା ନେଇ ନେତା ଠାରୁ ଆରମ୍ଭ କରି ସରକାରୀବାବୁଙ୍କୁ ଗୁହାରି କଲେ ମଧ୍ୟ ଫଳ ଶୂନ । ଗୋଟିଏ ପଟେ ଲୋକେ ଏମିତି ଅସହାୟ ଜୀବନ ବିତାଉଥିବା ବେଳେ ଅନ୍ୟପଟେ ଗାଁରେ ଲାଗି ରହିଛି ଜଳକଷ୍ଟ । ଗ୍ରାମ ନିକଟରେ ଗୋଟିଏ ପଥର କୂଅଥିବା ବେଳେ ତାହା ମଧ୍ୟ ଖରାଦିନେ ଖୁଖିଯାଏ । ଫଳରେ ଲୋକେ ବିଲମାଳରେ ଚାଲି ଚାଲି ଯାଇ ନିକଟସ୍ଥ ଝରଣା ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରନ୍ତି । ତଥାପି ଏମାନଙ୍କ ଗୁହାରୀ ବୁଝିବା ପାଇଁ କେହି ନାହାନ୍ତି । ସମସ୍ୟା ଗୁଡିକ ସମ୍ପର୍କରେ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଶୁଶିଳା ମାଝୀ, ଲୁଦାଗଲୁ ମାଝୀ, ବାଦୁମାଇ ମାଝୀ, ବାଚିଗାଲୁ ମାଝୀ, ଯୁବଗଳ ମାଝୀ, ମାଗା ମାଝୀ, ଫିଲିମନ ମାଝୀ ପ୍ରମୁଖ ଗ୍ରାମବାସୀଙ୍କ ସହ ସମିତି ସଭ୍ୟ ଶୁକ୍ର ମାଝୀ ଜଣାଇଛନ୍ତି । ଏହା ସହ ସେମାନେ ଚେତାବନୀ ଦେଇଛନ୍ତି ଯେ, ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ