ଅଭାବି ଧାନବିକ୍ରୀ ଓ ଫନି ସହାୟତା ବଂଟନ ନହେବା ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାସ୍ତାରୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କରୋନା ସଂକ୍ରମଣ ନାଁରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ କିଛି କାର୍ଯ୍ୟ ହେଉନାହିଁ । ଅଉ ଏହି ଆଧାରରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କୃଷକମାନେ । ଚାଷୀଙ୍କର ଧାନ ଟୋକନ ହୋଇ ମଧ୍ୟ ବିକ୍ରୀ ହୋଇପାରିଲାନି । ଚାଷୀଙ୍କ ପରିବା ଶାଗମୁଗ ଦରରେ ବିକ୍ରୀ ହେଉଛି । ଫନି ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ନିମନ୍ତେ ଜିଲ୍ଲାକୁ ଆସିଥିବା ସରକାରୀ ସହାୟତା ଅର୍ଥକୁ ପକାଇରଖି ବଂଟନ କରାଯାଉନାହିଁ । ତହସିଲଦାର ଓ ଜିଲ୍ଲାପାଳଙ୍କ ସହ ସମସ୍ୟାର ସମାଧାନ ପାଇଁ ଆଲୋଚନା କଲେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସରକାରୀ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଓ ବେପରୁଆ ମନୋଭାବ ଯୋଗୁଁ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ କୋଟି କୋଟି ଟଙ୍କାର ସରକାରୀ ସହାୟତା ଅର୍ଥ ବିନିଯୋଗ ନହୋଇ ଫେରିଯାଉଛି । ଅମଲାତନ୍ତ୍ରକୁ ସକ୍ରୀୟ କରିବାକୁ ତନି ଜିଲ୍ଲାର ଜିଲ୍ଲାପାଳଙ୍କୁ ଘେରିବାର ରଣନୀତି ନେଇ ଶୁକ୍ରବାର ଅଭାବି ଧାନବିକ୍ରୀ ଓ ଫନି ସହାୟତା ଅର୍ଥ ବଂଟନ ନହେବା ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ,କେନ୍ଦ୍ରାପଡା ଶାଖା ପକ୍ଷରୁ ଗରାପୁର କାଳି ମନ୍ଦିର ଗୋବରୀନଦୀ ପୋଲ ପାଖରେ ରାସ୍ତାରୋକ କରାଯିବା ସହ ଜିଲ୍ଲାପାଳଙ୍କ ଗାଡି ସମ୍ମୁଖରେ କୃଷକମାନେ ରାସ୍ତାରେ ଶୋଇପଡିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ବାଧ୍ୟ ହୋଇ ଗାଡିରୁ ଓହ୍ଲାଇ ଚାଲିଚାଲି ପୋଲ ଅତିକ୍ରମ କରିଥିଲେ । କିନ୍ତୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ ଓ ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇଙ୍କ ନେତୃତ୍ୱରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୧୮ ମସିହାରେ ଅଦିନିଆ ବର୍ଷାରେ କେନ୍ଦ୍ରାପଡା ବ୍ଲକର ଚାଷୀମାନଙ୍କ ପାଇଁ ମଞ୍ଜୁର ହୋଇଥିବା ୧୮କୋଟି ଟଙ୍କାର ସରକାରୀ ସହାୟତା ଅଦ୍ୟାବଧି ବଂଟନ କରାଗଲା ନାହିଁ । ଚାଷୀଙ୍କ ବାରମ୍ବାର ଦାବି ସତ୍ୱେ ଏହି ସହାୟତା ପ୍ରଦାନ କରାଗଲାନାହିଁ । ଏଥିନିମନ୍ତେ ଚାଷୀମାନେ ଚରମ ପଦକ୍ଷେପ ସୁରୂପ ଜିଲ୍ଲାପାଳଙ୍କ ଗାଡିକୁ ଅଟକାଇଥିଲେ । ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରିଥିବା ଅକ୍ରୁର ପଲାଇ, ଦୋଳଗୋବିନ୍ଦ ସାହୁ, ଦାଶରଥି ସାହୁ, ଶିଶୀର ଓଝା, ରବିନ୍ଦ୍ର ନାୟକ, ଗୋପବନ୍ଧୁ ନାୟକ ପ୍ରମୁଖଙ୍କୁ ପୋଲିସ ଗିରଫକରି ଅଟକ ରଖିଥିଲା । ଚାଷୀମାନଙ୍କ ସମସ୍ୟା ପ୍ରତି ବାରମ୍ବାର ଉଦାସୀନ ମନୋଭାବ ପୋଷଣ କରୁଥିବା ଜିଲ୍ଲା ପ୍ରଶାସନ ଯଦି ଆଗାମୀ ଦିନରେ କ୍ରୀୟାଶୀଳ ହୋଇ କ୍ଷତିପୁରଣ ସହାୟତା ବଂଟନ ନକରେ ଓ ଅଭାବୀ ଧାନବିକ୍ରୀ ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ ନକରେ ତେବେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ ଓ ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ