ଅଭାବୀଙ୍କୁ ମିଳୁନି ପଲିଥିନ୍ ; ବାବୁମାନେ ଶୁଣୁ ନାହାନ୍ତି ଅଭାବିଙ୍କ ଦାବି; ନାଉଗାଁ ତହସିଲରେ ଛୋଟ ଛୁଆଙ୍କୁ ଧରି ଅଭିଯୋଗ କଲେ ମହିଳା

ନାଉଗାଁ (ଯୁଗାବ୍ଦ ନ୍ୟୁଜ) : ମରି ଯାଇଛି ମାନବିକତା । ବାତ୍ୟା ଫନି ଭାଙ୍ଗି ଦେଇଛି ଅଭାବି ମାନଙ୍କ ମୁଳୁଦୁଆ । ଅଭାବ ଆଉ ଅନାଟନ ଭିତରେ ସରକାରୀ ଦପ୍ତର ପର୍ଯ୍ୟନ୍ତ ଶୁଭୁନି ଦିନ ମଜୁରିଆ ମାନଙ୍କ ସ୍ୱର । ବାତ୍ୟା ପ୍ରଭାବରେ ଏବେବି ମଧ୍ୟ ଶୁଖୁନି ଅଭାବି ଆଖିରୁ ଲୁହ । ଫନି ବିତିବା ଆଜିକୁ ୧୧ ଦିନ ହୋଇଥିଲେ ମଧ୍ୟ ସରକାରୀ ତଦନ୍ତ ଅଭାବରୁ ବାଦ୍ ପଡିଛନ୍ତି ଅନେକ ନିରିହ ଜନସାଧାରଣ । ଏହିପରି ଏକ ଦଃୁଖଦ ଚିତ୍ର ଦଷ୍ଟି ଗୋଚର ହୋଇଛି ନାଉଗାଁ ବ୍ଲକ ଅନ୍ତର୍ଗତ ତହସିଲ କାର୍ଯ୍ୟାଳୟ ମଧ୍ୟରେ । ନାଉଗାଁ ତହସିଲର ଉପର ମହଲାରେ ବସିଥିବାର ଦେଖିବାକୁ ମିଳିଥିଲା ଜଣେ ମହିଳା ଏବଂ ଅତି ଦୟନୀୟ ଭାବରେ ଶୋଇଥିଲେ ତାର ଦୁଇ ଛୋଟ ଛୁଆ । ବାରମ୍ବାର କହୁଥିଲେ ମୁଁ ଅଭାବୀ ଲୋକ ଜରି ଖଣ୍ଡେ ମଧ୍ୟ ପାଇନି । ସକାଳୁ ଆସି ବସିଛି ଯେ ଦିନ ଦ୍ୱିପହର ହେଲାଣି ବାବୁ ମାନେ ମୋ କଥା କିଛି ଶୁଣୁ ନାହାନ୍ତି । ପ୍ରକାଶ ଯୋଗ୍ୟ ଯେ ସେ ମହିଳା ଜଣକ ହେଉଛନ୍ତି ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ଗ୍ରାମର ଅଂଜନା ସାମଲ । ଦୁଇ ଝିଅ ଗୋଟିଏ ପୁଅ ସ୍ୱାମୀ ରଂଜିତ କୁମାର ସାମଲ ଏବଂ ୯୦ ବର୍ଷ ବୟସର ଶ୍ୱଶୁରଙ୍କୁ ନେଇ ପରିବାର । ବାତ୍ୟା ଫନି ଆସି ଉଜାଡି ଦେଇଛି ଚଳୁଥିବା ୨ ବଖରା ଚାଳଘର । ଭାଙ୍ଗି ଦେଇଛି ସୁଖ ସଂସାର । ସ୍ୱାମୀ ରଂଜିତ୍ ଗୋଟିଏ ହାଇଦ୍ରାବାଦର ବେସରକାରୀ ସଂସ୍ଥାରେ କାମ କରୁଛନ୍ତି । ଘରେ ବୁଢା ଶ୍ୱଶୁରକୁ ୩ ଜଣ ଛୋଟ ପିଲା । ବାତ୍ୟା ଫନି ପ୍ରଭାବରୁ ଚାଳ ଛପର ଉଡି ଯାଇଥିବା ହେତୁ ପର ଘର ଆଉ ବାରଣ୍ଡାରେ ଅତିଦୟନୀୟ ଭାବରେ ମୁଣ୍ଡ ଗୁଂଜିବାକୁ ପଡୁଛି । ଅଭାବୀ ଦିନ ମଜୁରିଆ ଶ୍ରେଣୀର ହୋଇଥିଲେ ମଧ୍ୟ ସରକାରଙ୍କ ତରଫରୁ ପକ୍କା ଘର ଖଣ୍ଡେ ପାଇ ପାରିନାହାନ୍ତି । ଅଂଜନାଙ୍କ କହିବା ଅନୁଯାୟୀ ତିରୁଣା ଗ୍ରାମରେ ସରକାରଙ୍କ ତରଫରୁ ତଦନ୍ତ କରାଯାଇଥିଲେ ମଧ୍ୟ ସେ ତଦନ୍ତରୁ ବଂଚିତ ହୋଇଛନ୍ତି । ତେଣୁ ସରକାରଙ୍କ ତରଫରୁ ପଲିଥିନ୍ ପରି ମୌଳିକ ସୁବିଧାରୁ ବଂଚିତ ହୋଇ ବହୁତ ହଇରାଣ ହେଉଛନ୍ତି ବୋଲି ସେ ଦଃୁଖର ସହ ପ୍ରକାଶ କରିଛନ୍ତି । ଏ ସଂର୍ପକରେ ନାଉଗାଁ ତହସିଲଦାରଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହୀଁ । ନାଉଗାଁ ତହସିଲଦାର ମହୋଦୟା ତୁରନ୍ତ ତଦନ୍ତ କରି ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଗୋପବନ୍ଧୁ ଅଗ୍ରଗାମୀ ପରିଷଦର ସଂପାଦକ ପ୍ରସନଜିତ ସାହୁ, କମ୍ରେଡ୍ ସୁବାସ ସ୍ୱାଇଁ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ