ଅଭୁଲା ସ୍ମୃତି
ଛାଇ ଆଲୁଅର
ଖେଳ ଏ ଜୀବନ
ସଞ୍ଜ ଆସୁଅଛି ନଇଁ,
ଅଭୁଲା ସେଦିନ
କିଭଳିଆ ଥିଲା
ଆଉ ଥରେ ଦିଅ ଚାହିଁ ।
ଯେତେ ବି ଚାହିଁଲେ
ବୁଝେନା ଏ ମନ
ଲୁହ ଆସଇ ଜକେଇ,
ଫେରେନା ସେଦିନ
ଭାବି ରାତି ଦିନ
ଆନମନା ଯାଏ ହୋଇ ।
କାହାକୁ କହିବି
କିଏ ବୁଝାଇବ
ସମୟ ଖେଳୁଛି ଖେଳ,
ସମୟ ସ୍ରୋତରେ
ସର୍ବେ ଅସହାୟ
ଖେଳିବାକୁ ନାହିଁ ବେଳ ।
ଆଜି ବେଳ ନାହିଁ
କାଲି ଦେଖାହେବ
ଭାଗ୍ୟ ଯଦି ହେଲା ସାହା,
କାଲି ସକାଳକୁ
କିଏ ସେ ଦେଖିଛି
ନ ଥିଲେ କାଳର ଦୟା ।
ଯଦି ଦୟା ହେଲା
ଦେଖା ବି ହୋଇଲା
କାଲି କଥା ଛାଡିଦେଇ,
ଆଜିର ଦିନକୁ
ସଦୁପଯୋଗରେ
କାଲିକି ହସିବୁ ତୁହି ।
ସେହି ହସ ହେବ
ସ୍ମୃତି ଚିରଦିନ
ଥାଆ କି ନ ଥାଆ ତୁହି,
ଆଜି ମଲେ ସିନା
କାଲିକି ଦି ଦିନ
ସ୍ମୃତି କଥା କହୁ ଥାଇ ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ