ଅମର୍ଦ୍ଧା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ଦାବି ‘ସ୍ୱାଭିମାନ ପଦଯାତ୍ରା’କୁ ବାଲେଶ୍ୱରରେ ସ୍ୱାଗତ
ବାଲେଶ୍ୱର, (ସରୋଜ ପଣ୍ଡା):ଅପର୍ଦ୍ଦାରୋଡ଼ ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ’ ପକ୍ଷରୁ ଗତ ୨୬ ତାରିଖରୁ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଠାରୁ ଭୂବନେଶ୍ୱରର ରାଜଭବନ ଅଭିମୁଖେ ଆରମ୍ଭ ହୋଇଥିବା ‘ସ୍ୱାଭିମାନ ପଦଯାତ୍ରା’ ଶୁକ୍ରବାର ବାଲେଶ୍ୱର ଅତିକ୍ରମ କରିଛି । ସହରର ଫକୀର ମୋହନ ଗୋଲେଇ ଠାରେ ଅଭିଯାତ୍ରୀ ଦଳଙ୍କୁ ସ୍ୱାଗତ-ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସାମାଜିକ ସଂଗଠନ ‘ଭଏସ ଅଫ ବାଲେଶ୍ୱର’ର ମୁଖ୍ୟ ତଥା ଉତ୍ତର ଓଡିଶା ପର୍ଯ୍ୟଟନ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅରଜିତ ଘୋଷାଲ ଯୋଗଦେଇ ଅମର୍ଦ୍ଧା ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବିର ଯଥାର୍ଥତା ସମ୍ପର୍କରେ ସୂଚନା ଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ୬୦୦ ଏକର ଜମିରେ ଏସିଆ ମହାଦେଶର ସର୍ବବୃହତ ଏହି ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଇଥିଲା । ଏସିଆର ଦୀର୍ଘତମ ରନ୍-ୱେ ଥିବା ଏହି ଏୟାର ଷ୍ଟ୍ରିପ୍ ମରାମତି ଅଭାବରୁ ଏବେ ବ୍ୟବହାର ଅନୁପଯୋଗୀ ହୋଇ ପଡିରହିଛି । ଏହାକୁ କେନ୍ଦ୍ର ସରକାର ‘ଉଡାଣ’ ଯୋଜନାରେ ସାମିଲ ନେଇ ଘୋଷଣା କରିଥିଲେ ବି ଏହା କାର୍ଯ୍ୟକ୍ଷମ ହେବାରେ ଅନିଶ୍ଚିତତା ଦେଖାଦେଇଛି ବୋଲି ଶ୍ରୀ ଘୋଷାଣ କହିଥିଲେ । ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଯୁବ ସଂଗଠକ ଅସୀତ ଦାସ ପ୍ରମୁଖ ଏହି ପଦଯାତ୍ରା ଅଭିଯାନକୁ ସମର୍ଥନ ଜଣାଇବା ସହ ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ସ୍ୱର ଉତ୍ତୋଳନ ପାଇଁ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ସହର ଅତିକ୍ରମ ବେଳେ ସୁଶାନ୍ତ ସାହୁ, ନିଶିତ ବାରିକ, ତାପସ ଦାସ, ସ୍ମୃତିତୀର୍ଥ ମହାନ୍ତି, ସରୋଜ ସାହୁ, ତାପସ ସାମଲ, ତପନ ସିଂ, ଅଜୟ ଦାସ, ସୁଶୀଲ ଜେନା ପ୍ରମୁଖ ଏଥିରେ ସାମିଲ ହୋଇ ଉତ୍ତର ଓଡିଶା ପର୍ଯ୍ୟଟନ ବିକାଶ ପରିଷଦ ଦାବି ପୂରଣ ପାଇଁ ସମର୍ଥନ ଜଣାଇବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏଥିରେ ଶ୍ରମିକ ନେତା ଶାନ୍ତନୁ ଦାସ, ତରୁଣ ରାଉତ, ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଅମର୍ଦ୍ଧା ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବିକୁ ସମର୍ଥନ ଜଣାଇଥିଲେ ।ଏହି ପଦଯାତ୍ରା ଭୁବନେଶ୍ୱର ପହଞ୍ଚିବା ପରେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।