ଅର୍ଥ ଅଭାବ ଯୋଗୁଁ ଦିନ ମଜୁରିଆଙ୍କ ଚିକିତ୍ସାରେ ପ୍ରଶାସନର ଅବହେଳା
ଜି.ଉଦୟଗିରି, (ପ୍ରିୟବ୍ରତ ସାହୁ):ଅର୍ଥ ଅଭାବ ଯୋଗୁଁ ଜଣେ ଦିନ ମଜୁରିଆଙ୍କ ଚିକିତ୍ସା ହୋଇପାରୁନି।ଆଉ ଦିନକୁ ଦିନ ସେପଟେ ପେଟ ଫୁଲିବାରେ ଲାଗିଛି। ପେଟ ଫୁଲୁଥିବାରୁ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ଅନ୍ୟପଟେ ହାତ, ଦେହ, ଗୋଡ଼ ସୁଖୀ ସୁଖୀ ଯାଉଛି।ଆଉ ଚାଲବୁଲ କରିବା ପାଇଁ ସକ୍ଷମ ହୋଇପାରୁନଥିବା ବେଳେ ଅଧିକାଂଶ ସମୟରେ ଶଯ୍ୟାଶାୟୀ ହୋଇ ରହୁଛନ୍ତି ଜଣେ ଦିନ ମଜୁରିଆ।ଆମେ କହୁଛୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କିରୁକୁଟୀ ପଞ୍ଚାୟତ ନାହୁଡିସରୁ ଗ୍ରାମର ରିପୁନ ପ୍ରଧାନଙ୍କ କଥା। ରିପୁନଙ୍କ ପରିବାର କହିଲେ ସ୍ତ୍ରୀ ଓ ୨ଟି ପୁଅ ଗୋଟେ ଝିଅ।ଆଉ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ହେତୁ ଝାଟି ମାଟିର ଘରଟିଏ ରହିଛି।ପ୍ରତିଦିନ କୁଲି ମଜୁରୀ ଯାଇ ରିପୁନ ନିଜ ପରିବାର ପ୍ରତି ପୋଷଣ କରନ୍ତି ।ହେଲେ ଆଜକୁ ଦୁଇରୁ ତିନି ମାସ ତଳେ ରିପୁନ ପ୍ରଧାଙ୍କର ପେଟ ଆପେ ଆପେ ଫୁଲିବା ଆରମ୍ଭ ହୋଇଥିଲା।ଜାହାରିଫଳରେ ରିପୁନ ଦୁର୍ବଳତା ଅନୁଭବ କରିବା ସହ କୌଣସି କାମ କରିପାରିଲେ ନାହିଁ।ଆଉ ସେ ଏହାର ଚିକିତ୍ସା ନିମନ୍ତେ ପ୍ରଥମେ ଦାରିଙ୍ଗବାଡି ମେଡ଼ିକାଲ ଓ ପରେ ଫୁଲବାଣୀ ରୁ ବ୍ରହ୍ମପୁର ଆଉ ସେଠୁ କଟକ ଏସ ସି ବି ମେଡ଼ିକାଲ କଲେଜକୁ ଚିକିତ୍ସା ପାଇଁ ଯାଇଥିଲେ।ଆଉ ସେଠି ଡାକ୍ତର ରିପୁନଙ୍କର ଲିଭର ଖରାପ ହୋଇଯାଇଥିବାରୁ ପେଟରେ ପାଣି ଜମିଯାଇ ଫୁଲୁଛି ବୋଲି କହିଥିଲେ।ହେଲେ ଚିକିତ୍ସା ପାଇଁ ସେଭଳି ଅର୍ଥ ନଥିବା ହେତୁ କିଛି ଔଷଧ ଧରି ରିପୁନକୁ ଘରକୁ ଫେରାଇ ଆଣିଲେ ଗ୍ରାମର ସମ୍ପର୍କୀୟ ଲୋକ ।ଆଉ ଏବେ ରିପୁନ ଯନ୍ତ୍ରଣା ଭୋଗ କରିବା ସହ ଶରୀରର ସମସ୍ତ ଅଙ୍ଗ ଧୀରେ ଧୀରେ ସୁଖୀ ଯାଉଥିବାରୁ ଦିନକୁ ଦିନ ସେ ଅତ୍ୟଧିକ ଦୁର୍ବଳ ଅନୁଭବ କରୁଛନ୍ତି।ଆଉ ବସା ଉଠା କରିବା ତାଙ୍କ ପକ୍ଷେ ସମ୍ଭବ ହେଉନଥିବା ବେଳେ ଅନ୍ୟର ସାହାଯ୍ୟ ଲୋଡ଼ିବାକୁ ପଡ଼ୁଛି।ଆଉ ଇଛା ନଥିଲେ ବି ଯନ୍ତ୍ରଣା ହେତୁ ରିପୁନ ଖଟରେ ଶଯ୍ୟାଶାୟୀ ହୋଇ ପଡିରହୁଛନ୍ତି। ଏଭଳି ସ୍ଥଳେ ସ୍ତ୍ରୀ ରଞ୍ଜିତା ପ୍ରଧାନ ଏବେ କୁଲି ମଜୁରୀ ଯାଇ ନିଜ ପରିବାରର ପ୍ରତି ପୋଷଣ କରିବା ସହ ସ୍ୱାମୀର ସେବା କରୁଛନ୍ତି।ଆଉ ନିଜର ତିନିଟି ପୁଅ ଝିଅକୁ ଦାନା ଯୋଗାଇ ଆସୁଥିବା ବେଳେ ସ୍ୱାମୀର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷେ ମଧ୍ୟ ସମ୍ଭବ ହେଉନାହିଁ।ତେଣୁ ସରକାର ଟିକେ ସହାୟତା ଯୋଗାଇ ଦିଅନ୍ତୁ ବୋଲି ସ୍ତ୍ରୀ ରଞ୍ଜିତାଙ୍କ ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି।ତେବେ ଏ ନେଇ ଆମେ ଦାରିଙ୍ଗବାଡି ବିଡ଼ିଓଙ୍କୁ ଭେଟିଥିଲୁ ହେଲେ ସେ କେମେରା ଆଗରେ କିଛି କହିବେନି ବୋଲି କହିବା ସହ ସୂଚନା ଦେଇଥିଲେ ଯେ ଏନେଇ ଆମ ପାଖରେ ରିପୁନ ଅଥବା ତାଙ୍କ ପରିବାର ଲୋକ କେହି ମଧ୍ୟ କୌଣସି ଅଭିଯୋଗ କରିନାହାନ୍ତି।ଆଉ ବ୍ଲକ ପକ୍ଷରୁ ସେଭଳି କୌଣସି ସହାୟତା ମଧ୍ୟ ପ୍ରଦାନ କରାଯାଇପାରିବ ନାହିଁ।ତେଣୁ ସେମାନେ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରନ୍ତୁ ବୋଲି ବିଡ଼ିଓ ଅଭୀମନ୍ୟୁ ବେହେରା କହିଛନ୍ତି। ତେବେ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା। ଆଉ ସେହିସବୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦିଗରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସହାୟତା ଦିଗରେ ପ୍ରଶାସକଙ୍କ ପ୍ରମୁଖ ଭୂମିକା ମଧ୍ୟ ରହିଛି।ହେଲେ ସରକାରୀ ସହାୟତାକୁ ଅନାଇ ବସିଥିବା ରିପୁନକୁ କେବେ ଯେ ସହାୟତା ମିଳିବ ତାହା ଦେଖିବା ବାକି ରହିଲା।


