ଅର୍ଥ ଆତ୍ମସାତ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପ୍ରାଥମିକ କୃଷି ସମବାୟ ସମିତିରେ ବୀମାଭୁକ୍ତ ଚାଷୀମାନଙ୍କୁ ଋଣଛାଡ ନହେବା ଓ ଏହି ମଣ୍ଡିରେ ଧାନ ବିକ୍ରୟ କରୁଥିବା ଚାଷୀମାନଙ୍କୁ ଅଖା ବାବଦ ଅର୍ଥ ପ୍ରଦାନ କରାନଯାଇ ଆତ୍ମସାତ କରାଯାଉଥିବା ବାରୋ ପଂଚାୟତର ପୂର୍ବତନ ସରପଂଚ,ନିୟନ୍ତ୍ରିତ ବଜାର କମିଟିର ପୂର୍ବତନ ଉପାଧ୍ୟକ୍ଷ ତଥା ଭାରତ କୃଷକ ସମାଜର ସଦସ୍ୟ ଭାଗିରଥୀ ଜେନା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଏବଂ କେନ୍ଦ୍ରାପଡା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କର ଅଭିଯୋଗ ହେଉଛି ବାରୋ ପ୍ୟାକ୍ସର ସଭ୍ୟଭୁକ୍ତ ଚାଷୀମାନେ ୨୦୧୮ ମସିହାରେ ଖରିଫ ଧାନଚାଷ ପାଇଁ ସମିତିର ୧୪ଶହ ଚାଷୀ କୃଷିଋଣ ନେଇଥିବା ବେଳେ ସେମାନଙ୍କ ବୀମାରାଶି ଚୋରମଣ୍ଡଳ କମ୍ପାନୀରେ ଜମା କରାଯାଇଥିଲା । ମାତ୍ର ବର୍ତ୍ତମାନ ଦେଖାଯାଇଛି ଯେ ୯ଶହରୁ ଉର୍ଦ୍ଧ୍ୱ ସମିତିର ଋଣଗ୍ରସ୍ତ ଚାଷୀଙ୍କ ଋଣ ଛାଡ କରାଯାଇଥିବା ବେଳେ ଅନ୍ୟ ୪ଶହରୁ ଉର୍ଦ୍ଧ୍ୱ ଚାଷୀଙ୍କ ଋଣ ଛାଡ କରାଯାଇନାହିଁ । ସେହି ଚାଷୀମାନେ ସମିତିକୁ ବାରମ୍ବାର ଦୈାଡି ନୟାନ୍ତ ହୋଇଥିଲେବି ସେମାନଙ୍କ ସମସ୍ୟାର ସମାଧାନ ହେଉନାହିଁ । ବରଂ ଦଲାଲମାନଙ୍କ ଦ୍ୱାରା ସେହି ଚାଷୀମାନଙ୍କୁ ଅର୍ଥ ଉତ୍କଚ ମଗାଯାଉଥିବା ଅଭିଯୋଗ ହୋଇଛି । ସେହିଚାଷୀମାନଙ୍କ ନାମ ନିର୍ଦ୍ଦିଷ୍ଠ ସମୟରେ ସିସିବିକୁ ପଠାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଗରିବ,ଅଶିକ୍ଷିତ ନିରୀହ ଚାଷୀମାନଙ୍କୁ ଏହାଦ୍ୱାରା ନିର୍ଯ୍ୟାତିତ ଓ ଶୋଷିତ କରାଯାଉଛି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଏତଦଭିନ୍ନ ସରକାରୀ ନୀୟମ ଅନୁଯାଇ ମଣ୍ଡିରେ ଧାନ ବିକ୍ରୀ କରୁଥିବା ଚାଷୀମାନଙ୍କୁ ଅଖା ବଦଳ କିମ୍ବା ଅଖା ବାବଦ ଅର୍ଥ ମିଳିବା କଥା କିନ୍ତୁ ଏହି ସମିତିରେ ଆଜି ପର୍ଯ୍ୟନ୍ତ କୈାଣସି ଚାଷୀଙ୍କୁ ତାହା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଏଠାରେ ସମସ୍ତ ସରକାରୀ ନୀତି ନିୟମକୁ ବଳି ଦିଆଯାଇ ଗରୀବ ଚାଷୀମାନଙ୍କ ଅର୍ଥକୁ ହରିଲୁଟ କରାଯାଇଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଏହାଛଡା ଦୀର୍ଘ ୩୫ବର୍ଷରୁ ଉର୍ଦ୍ଧ୍ୱ ହେବ ବାରୋ ସମିତିର ସମ୍ପାଦକ ଏଠାରେ ବେଆଇନ ଭାବେ ରହି ଅନେକ ଅନୀୟମିତତାରେ ସଂପୃକ୍ତ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେଣୁ ଏହାର ତଦନ୍ତ କରାଯାଇ ହକରୁ ବଂଚିତ ଚାଷୀମାନଙ୍କୁ ତୁରନ୍ତ ସେମାନଙ୍କ ସହାୟତା ରାଶି ଯୋଗାଇ ଦେବାକୁ ଶ୍ରୀ ଜେନା ଦାବି କରିଛନ୍ତି ।