ଅଲାରନାଥଙ୍କ ବିଜେ ବୃତାନ୍ତ

ପୁରୀଠାରୁ ସାତପଡ଼ା ରାସ୍ତାରେ ୨୨ କିଲୋମିଟର ଗଲେ ପଡ଼େ ବ୍ରହ୍ମଗିରି । ଏଠାରେ ଠାକୁର ଅଲାରନାଥ ବିଜେ କରିଛନ୍ତି । ସେ ଏଠାରେ କେବେଠୁ ପୂଜା ପାଉଛନ୍ତି ତା’ର ସଠିକତାର କିଛି ପ୍ରମାଣ ନାହିଁ । ତେବେ ଏହା ନିଶ୍ଚିତ ସତ୍ୟଯେ, ଶ୍ରୀକ୍ଷେତ୍ରରେ ଦାରୁବ୍ରହ୍ମମାନେ ପୂଜା ପାଇବାର ବହୁପୂର୍ବରୁ ସେ ଏଠାରେ ପୂଜା ପାଉଛନ୍ତି ବୋଲି କୁହାଯାଇପାରେ ।
ବ୍ରହ୍ମଗୁରି ହିଁ ଅଲାରନାଥ ଅଧିସ୍ଥାନ । ଏସ୍ଥାନଟିର ନାମକରଣର ତାତ୍ପର୍ଯ୍ୟ ନିଶ୍ଚିତଭାବେ ଅଛି । ସତ୍ୟ ଯୁଗରେ ଏ ସ୍ଥାନଟି ଅତ୍ୟନ୍ତ କୋମଳ, ପବିତ୍ର, ଶାନ୍ତି ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶରେ ଆକର୍ଷଣୀୟ ଥିଲା ଏବଂ ଏଥିପାଇଁ ତପସ୍ୟା ନିମନ୍ତେ ସ୍ୱୟଂ ବ୍ରହ୍ମା ଏଠାରେ ଅବତୀର୍ଣ୍ଣ ହୋଇଥିଲେ ବା ଫଳ ପାଇଥିଲେ । ସେ ବ୍ରହ୍ମନାରାୟଣଙ୍କୁ ଏଠାରେ ଶିଳାରୂପେ ପ୍ରକଟ ହେବାକୁ ଅନୁରୋଧ କରିଥିଲେ । ଏଣୁ ତାଙ୍କ ଅନୁରୋଧ ରକ୍ଷାକରି ବ୍ରହ୍ମନାରାୟଣ ଶିଳାବ୍ରହ୍ମରୂପେ ଏଠରେ ପ୍ରକଟ ହେଲେ । ‘ଶିଳା’କୁ ଗିରିରୂପେ ଗ୍ରହଣ କଲେ ବ୍ରହ୍ମଶିଳା ବା ଶିଳାବ୍ରହ୍ମହିଁ ବ୍ରହ୍ମଗିରି ।
ଏଠାରେ ଶିଳାବ୍ରହ୍ମ ପ୍ରଥମେ ଆଲୟୋର ବା ଆଲକାର ବ୍ରାହ୍ମଣଙ୍କ ଦ୍ୱାରା ରାତ୍ର ପଦ୍ଧତିରେ ପୂଜା ପାଉଥିଲେ । କିମ୍ବଦନ୍ତୀ ଅନୁସାରେ ଏଇ ଶିଳାବିଗ୍ରହ ଆଲଲ୍ୟ ବା ଆଲକାର ବା ଅଲବାର ମାନଙ୍କଦ୍ୱାରା ପୂଜା ପାଉଥିବାରୁ ଏବଂ ସେ ତାଙ୍କର ଇଷ୍ଟଦେବତା ଥିବାରୁ ସେମାନଙ୍କର ସଂପ୍ରଦାୟର ନାମକୁ ଧରି ଏ ଠାକୁର କ୍ରମଶଃ ଆଲବାରନାଥ-ଆଲାରନାଥ-ଅଲାରନାଥ ଭାବେ ପରିଚିତ ଓ ପ୍ରସିଦ୍ଧିଲାଭ କଲେ । ‘ନାଥ‘ ଶବ୍ଦଟି ଏଠାରେ ପ୍ରଭୁ ବା ସ୍ୱାମୀ ଅର୍ଥରେ ବ୍ୟବହୃତ ହୋଇଅଛି ।
ଏହି ‘ଅଲାରନାଥ ହିଁ ଶ୍ରୀମନ୍ନାରାୟଣ । ସେହିଁ ଶ୍ରୀକ୍ଷେତ୍ରରେ ଦାରୁବ୍ରହ୍ମର ପୂର୍ବରୂପ ଚତୁର୍ଭୁଜ ଶିଳାବିଗ୍ରହ ଯିଏ କି ନୀଳମାଧବ ରୂପେ ବିଶ୍ୱାବସୁଦ୍ୱାରା ‘ଝଡତନାରାୟଣ ବାଶବରୀନାରାୟଣ’ ରୂପେ ପୂଜା ପାଉଥିଲେ । ସେହିଁ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ରହ୍ମନାରାୟଣ ଯିଏକି ଆଲୋୟାରଙ୍କ ଦ୍ୱାରା ‘ଜନାର୍ଦ୍ଧନ ନାରାୟଣ’ ରୂପେ ପୂଜାପାଉଥିଲେ, ଏଥିରୁ ଅନୁମତି ହୁଏ ଯେ, ଏମାନେ ସମସ୍ତେ ଏକ ଓ ଅଭିନ୍ନ । ଶିଳାବିଗ୍ରହ ରୂପେ ନୀଳମାଧବହିଁ ଅଲାରନାଥ ଏବଂ ଅଲାରନାଥ ହିଁ ଦାରୁବ୍ରହ୍ମ ଜଗନ୍ନାଥ ଏକଥା ନିମ୍ନକାହାଣୀରୁ ସ୍ପଷ୍ଟ ହୁଏ ।
ଶବରରାଜା ବିଶ୍ୱାବସୁ ନୀଳକନ୍ଦରରେ ଚତୁର୍ଭୁଜ ଶିଳାବିଗ୍ରହ ନୀଳମାଧବଙ୍କୁ ଗୋପନୀୟ ଭାବେ ପୂଜା କରୁଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କ ସହାୟତାରେ ତାଙ୍କୁ ଆବିଷ୍କାର କଲେ ଏବଂ ଅତ୍ୟନ୍ତ ପ୍ରୀତିହୋଇ ନିଜ ରାଜଧାନୀ ମାଳବ ବା ଉଜ୍ଜୟନୀକୁ ପ୍ରତ୍ୟାବର୍ତନ କଲେ । ସେଠାରେ ସେ ଗୋପନ ରହସ୍ୟ ପ୍ରକାଶ କଲେ । ଏଥିରେ ରାଜ୍ୟବାସୀ ଉତ୍ଫୁଲ ହୋଇ ଠାକୁରଙ୍କ ଦର୍ଶନପାଇଁ ଉଦ୍ବେଗ ଓ ଉତ୍କଣ୍ଠା ପ୍ରକାଶକଲେ । ରାଜା ସେମାନଙ୍କୁ ନେଇ ନୀଳକନ୍ଦର ଫେରନ୍ତେ ଦେଖିଲେ ଯେ, ପ୍ରଭୁ ସେଠୁ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ଏହାର କାରଣ ଏହାଥିଲା ଯେ, ସେଠାରେ ନୀଳମାଧବ ଗୋପନୀୟ ଭାବେ ପୂଜା ପାଉଥିଲେ । ତାଙ୍କର ଏ ଆବିଷ୍କାର ତାଙ୍କ ଗୋପନୀୟତା ଉପରେ ଆଞ୍ଚ ଆଣିଲେ । ତେଣୁ ସେ ଅନ୍ତର୍ଦ୍ଧାନ ହେଲେ ।
ଏଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ବହୁତ କଷ୍ଟପାଇଲେ । ଠାକୁରେ ତାଙ୍କୁ ସ୍ୱପ୍ନାଦେଶ ଦେଲେ ଯେ, ବାଙ୍କୀ ମୁହାଣରେ ଏକ ଦାରୁଲାଗିଛି । ସେ ତାକୁ ସଂଗ୍ରହ କରନ୍ତୁ ଏବଂ ସେଥିରୁ ଦାରୁବିଗ୍ରହ ନିର୍ମାଣ କରି ମନ୍ଦିରରେ ପ୍ରତିଷ୍ଠା କରି ପୂଜା କରନ୍ତୁ । ସେ ଦାରୁମାଧ୍ୟମରେ ପୂଜାପାଇବେ । ରାଜା ତାହାହିଁ କଲେ । ସେବେଠୁ ଶ୍ରୀକ୍ଷେତ୍ରରେ ପୂଜା ପାଇଲେ ଦାରୁଦେବତା ।
ଏ ଶିଳାବିଗ୍ରହ ଅନ୍ତର୍ଦ୍ଧାନ ହୋଇଗଲେ କୁଆଡ଼େ ? ଆଗରୁ ବ୍ରହ୍ମଗିରିରେ ସତ୍ୟ ଯୁଗରୁ ଶିଳାବ୍ରହ୍ମ ପ୍ରକଟ ହେବା କଥା କହିଛେ । ଏହିଶିଳା ବିଗ୍ରହକୁ ଆଲଲ୍ୟ ବା ଅଲାବାର ବ୍ରାହ୍ମଣମାନେ ଜନାର୍ଦ୍ଦନ ନାରାୟଣଙ୍କ ରୂପେ ପୂଜା କରୁଥିଲେ । ଏହି ଆଲଲ୍ୟ ବା ଆଲବାର ବ୍ରାହ୍ମଣମାନଙ୍କ ମଧ୍ୟରେ ମୀନକେତନ ପଣ୍ଡା ନାମଧେୟ ଜଣେ ପରମ ବିଷ୍ଣୁଭକ୍ତ ଥିଲେ । ତାଙ୍କରି ଭକ୍ତିରେ ବାୟାହୋଇ ମାୟାରେ ନୀଳକନ୍ଦରର ଅନ୍ତର୍ଦ୍ଧିତ ହୋଇଥିବା ବିଗ୍ରହ ତାଙ୍କର ପାଖରେ ବନ୍ଧା ପଡ଼ିଲେ । ଏଇ ଠାକୁର ହିଁ ଅଲାରନାଥ । ଏନେଇ ଏକ କାହାଣୀ ଅଛି ।
ସବୁଦିନ ଏ ଆଲଲ୍ୟ ବ୍ରାହ୍ମଣ ଠାକୁରଙ୍କୁ ପୂଜାପରେ କ୍ଷୀରୀ ଅର୍ପଣ କରନ୍ତି । ଦିନେ ସମୟାଭାବରୁ ଠାକୁରଙ୍କର ପୂଜା ଦାୟିତ୍ୱ ତାଙ୍କ ଆବୋଧ ଶିଶୁ ସନ୍ତାନ ମଧୁସୂଦନଙ୍କୁ ଏ ଦାୟିତ୍ୱ ଦେଇ ଭିକ୍ଷାବୃତି ରେ ଚାଲିଗଲେ । ସେତେବେଳକୁ କ୍ଷୀରୀ ଚୁଲିରେ ବସିଥାଏ । ବିଚରା ମଧୁସୂଦନ ପିତାଙ୍କ କଥାନୁଯାୟୀ ଠାକୁରଙ୍କର ନୀତି ବଢ଼ାଇବାକୁ ଯାଏ । ସେ ଜଣେ ନିୟମିତ ସେବକ ନଥିଲେ ହେଁ ପିତାଙ୍କୁ ଅନୁଧ୍ୟାନ କରି କିଛିଟା ନୀତି ଆପଣେଇ ନେଇଥାଏ । ସେହି କାରଣରୁ ସେ ଠାକୁରଙ୍କର ପୂଜାନୀତି ଯଥାକଥା ସାରିଦେଲା । ଏବେ କ୍ଷୀରୀ ଭୋଗ କରିବା ବେଳ । ରୋଷଘରକୁ ଯାଇଦେଖେ କ୍ଷୀରୀ ହାଣ୍ଡିଚୁଲି ଉପରେ । ଦହଡ଼ ବା ତତଲା କ୍ଷୀରୀ । ସେ ତାକୁ ଓହ୍ଲାଇ ପାରିବ ନାହିଁ । ତାଠି ଭୟ ରହିଲା । ତେବେ ତା’ ସରଳ ବିଶ୍ୱାସରେ ପିତାଙ୍କ ସମ ଅଲାରନାଥଙ୍କଠି ପ୍ରବଳ ଭକ୍ତି ଭାବ ଯୋଗୁଁ ତାଙ୍କ ଉଦ୍ଦେଶ୍ୟରେ ନିବେଦିଲା:ପ୍ରଭୁ, ମୁଁ ପିଲାଲୋକ । ଏ ଦହଡ଼ କ୍ଷୀରୀ ହାଣ୍ଡି ମୁଁ ଓହ୍ଲାଇ ତୁମକୁ ଭୋଗ ଦେଇପାରିବିନାହିଁ । ଦୟାକରି ଆପଣ ନିଜେ ଆସି ଏ କ୍ଷୀରୀ ଖାଇ ନିଅନ୍ତୁ… । ଏତିକି କହି ସେ ରୋଷଘରର କବାଟ ଆଉଜେଇ ଦେଲା ଏବଂ ବାହାରେ ଅପେକ୍ଷା କଲା । ସେହି ସମୟରେ ସେ ମନରୁ ଫାନ୍ଦି ଗୀତଟିଏ ଗୁଣୁଗୁଣୁ ହୋଇ ଗାଉଥିଲା :
ଆସ ଅଲାରେ ଖାଅ କ୍ଷୀରୀ
ବାପା ଯାଇଛି ଭିକ୍ଷାକରି
ମୋତେ ନ ଆସେ ପୂଜାକରି
ଆସ ଅଲାରେ ଖାଅ କ୍ଷୀରୀ
କିଛି ସମୟ ଅନ୍ତରରେ ସେ କବାଟ ଖୋଲିଦେଖେ ଯେ, ଠାକୁରେ ଦହଡ଼ ବା ତତଲା କ୍ଷୀରୀକୁ ତରତରରେ ହାପୁଡ଼ି ଚାଲିଛନ୍ତି । ସେ ଯେମିତି ମଧୁସୂଦନକୁ ଦେଖିଛନ୍ତି ଗୋପନୀୟତା ବାଧାପ୍ରାପ୍ତ ହେଲାରୁ ଘାବରେଇ ଗଲେ ଏବଂ ସେ ଦହଡ଼ କ୍ଷୀରୀରୁ କିଛି ତାଙ୍କ ମୁଖ, ଡ଼ାହାଣ ହାତ ଓ ଛାତିରେ ପଡ଼ିଗଲା ଯାହାକି ଠାକୁରଙ୍କର ସେ ଯାଗା ଗୁଡ଼ିକ ଫୋଟକା ହୋଇ ଏଯାବତ ଘା’ର ଦାଗ ରହିଗଲା । ତେବେ ସେ ସରଳ ଓ ଅବୋଧ ଶିଶୁଟିର ଭକ୍ତିରେ ଓ ବିଶ୍ୱାସରେ ଠାକୁରେ ଆଘାତ ଦେଇ ନାହାନ୍ତି । ତାକୁ ଆଶୀର୍ବାଦ ଦେଇ ସେ ଅନ୍ତର୍ଦ୍ଧାନ ହୋଇଗଲେ । କିନ୍ତୁ ଠାକୁରଙ୍କର କ୍ଷୀରୀ ଖିଆ ପ୍ରଘଟ ହେବାରୁ ସେଠି କ୍ଷୀରୀ ଖାଇବାକୁ ଓ ଠାକୁର ଦର୍ଶନକୁ ପ୍ରବଳ ଜନସମାଗମ ହେଲା । ପୁନଶ୍ଚ ଗୋପନୀୟତା ନରହିବା କାରଣରୁ ଠାକୁରେ ବୋଧହୁଏ ଶ୍ରୀକ୍ଷେତ୍ର ଦାରୁବିଗ୍ରହଙ୍କୁ ବିଜେକଲେ । ତେବେ ଅଣସର ଏବଂ ମହାଅଣସର ବେଳେ ଯଥାକ୍ରମେ ୧୫ଦିନ ବା ୪୫ଦିନପାଇଁ ଠାକୁରେ ସେଠାରେ ଅଲାରନାଥ ଓରଫ ଶ୍ରୀଜଗନ୍ନାଥ ବିକଳ୍ପ ରୂପେ ଦର୍ଶନ ଦେଲେ । ଏଣୁ ଏହି ସମୟରେ ସେଠାରେ ପ୍ରବଳ ଭିଡ଼ ହୁଏ ।
ଅଣସରବେଳେ ଯେଉଁମାନେ ପୂରୀକୁ ଆସନ୍ତି, ସେମାନେ ଜିଉମାନଙ୍କ ଦର୍ଶନପାଆନ୍ତି ନାହିଁ । ସେମାନଙ୍କ ମୂଳଅବସ୍ଥାନରେ ପଟିଦିଅଁମାନେ ପୂଜାପାଆନ୍ତି । ଜିଉମାନେ ଅଣସର ଗୃହରେ ଆବଦ୍ଧ ରହିଥାଆନ୍ତି । ଏହି ସମୟରେ ତାଙ୍କର ପୁନରୁଦ୍ଧାର ବା ନବନିର୍ମାଣ କାର୍ଯ୍ୟ ଚାଲିଥାଏ । ଏଣୁ ଭକ୍ତମାନଙ୍କ ମନରେ ତାଙ୍କୁ ଦର୍ଶନ ନକରି କିଛି କିଛି ଅବଶୋଷ ରହିଯାଏ ।
ଏକଦା ମହାରାଷ୍ଟ୍ରୀ ଜଣେ ଭକ୍ତ । ନାମ ଅଲାରବନ୍ଦରାର୍ଯ୍ୟ । ଅଣସର ସମୟରେ ପୂରୀଆସି ଜିଉମାନଙ୍କୁ ଦେଖା ନପାଇବାରୁ ପ୍ରାଣ ବିସର୍ଜନ ନିମନ୍ତେ ସମୁଦ୍ରକୁ ଯିବାବେଳେ ଅନ୍ତର୍ଯ୍ୟାମୀ ଜଗନ୍ନାଥ ଏକଥା ଜାଣିପାରିଲେ । ତାଙ୍କ ପାଇଁ ତାଙ୍କ ହୃଦୟରେ ଦୟା ବିଗଳିତ ହେଲା । ସେ ସଙ୍ଗେ ସଙ୍ଗେ ମଶାଣିଆ ମହାବୀରଙ୍କୁ ନିର୍ଦ୍ଦେଶ ଦେଲେ: ତୁମେ ତାଙ୍କୁ ଏଥିରୁ ନିବୃତ କରାଅ । ତାଙ୍କ ଜୀବନ ରଖ ।
ମହାବୀର ଏକ ବିରାଟକାୟ ହନୁମାନ ରୂପେ ତତ୍କ୍ଷଣାତ ବାହାରିଲେ ଏବଂ ତାଙ୍କୁ ପଛରୁ ଏମିତି ବିଚଳିତ ଓ ଘାବରିଆ କରିଦେଲେ ଯେ, ସେ ସମୁଦ୍ର ପଥ ଭୁଲି ହାଜରହେଲେ ବ୍ରହ୍ମଗିରି ପାଖାପାଖି । ସେଠାରେ ସେ ଅଗ୍ନି ସଂଯୋଗ କରି ଆତ୍ମହତ୍ୟ କରିବାକୁ ଗଲାବେଳେ ଶ୍ରୀଜଗନ୍ନାଥ ପଙ୍ଗୁରୁପେ ଦର୍ଶନ ଦେଇ ଶୁନ୍ୟବାଣୀ ଦେଲେ ଯେ : ହେ ଭକ୍ତ, ମୁଁ ତୁମ ଅନ୍ତରର କଥା ବୁଝିପାରୁଛି । ଅଣସରବାସରେ ଥିବାରୁ ମୁଁ ତୁମକୁ ଦର୍ଶନ ଦେଇପାରୁନାହିଁ । ଏଥିପାଇଁ ଦୁଃଖ କରନାହିଁ । କିନ୍ତୁ ଜାଣ ଯେ, ମୋର ମୂଳ ବିଗ୍ରହ ନୀଳମାଧବ, ଏବେ ବ୍ରହ୍ମଗିରିରେ ଅଲାରନାଥ ରୂପେ ବିଦ୍ୟମାନ । ତୁମେ ସେଠିକି ଯାଅ । ତାଙ୍କୁ ଦର୍ଶନ କର ଏବଂ ତାଙ୍କରି ଦର୍ଶନ ମାଧ୍ୟମରେ ମୋତେ ଦେଖିପାରିବ ଓ ମନବାଞ୍ଚିତ ଫଳ ପାଇବ ।
ଏବେ ଅଲାର ବନ୍ଦାଚାର୍ଯ୍ୟ ତାହାହିଁ କଲେ । ସେ ଆତ୍ମହତ୍ୟରୁ ବିରତ ନେଲେ । ବ୍ରହ୍ମଗିରି ଯାଇ ଆଲାରନାଥଙ୍କ ଦର୍ଶନ କଲେ । କେତେକଙ୍କ ମତରେ ଏହି ଅଲାରବନ୍ଦାଚାର୍ଯ୍ୟଙ୍କ ନାମାନୁସାରେ ଠାକୁରଙ୍କର ନାମ ଅଲାରନାଥ ହୋଇଛି । ଅବଶ୍ୟ ଏନାମ କରଣ ଆହୁରି ଗବେଷଣା ସାପେକ୍ଷ ।
ଶୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଅର୍ଥାତ୍ ୧୫୦୯ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟଦେବ ଶ୍ରୀକ୍ଷେତ୍ର ଆସିଥିଲେ । ସେ ଏଠାରେ ୧୮ବର୍ଷ ଅତିବାହିତ କରି ଏଇ ପୁରୀଧାମରେ ଇହଧାମ ସମ୍ବରଣ କରିଥିଲେ । ସେ ତାଙ୍କ ସମସ୍ତ ରହଣିକାଳରେ ଅଣସର ବା ମହା ଅଣସରବେଳେ ବ୍ରହ୍ମଗିରି ଯାଆନ୍ତି । ସେଇଠି ନାମ ସଂକୀର୍ତନ କରନ୍ତି । ତାଙ୍କ ମତରେ ଅଲାରନାଥହିଁ ଜଗନ୍ନାଥ । ଅଲାରନାଥଙ୍କ ପ୍ରତି ଚୈତନ୍ୟଙ୍କ ଅନାବିଳ ଭକ୍ତିର ନିଦର୍ଶନ କରୁଥିବା ପ୍ରସ୍ତର ଖଣ୍ଡିରେ ତାଙ୍କ ପଦଚିହ୍ନ ଏବେ ବିଦ୍ୟମାନ ।
ଉପରୋକ୍ତ କାହାଣୀ ସୂଚିତ କରାଏ ଯେ, ଅଲାରନାଥହିଁ ଶ୍ରୀ ଜଗନ୍ନାଥ । ସେହିଁ ଅଣସର ବା ମହାଅଣସରବେଳେ ଜୀଉମାନଙ୍କର ସମଭାଗ ପୁଣ୍ୟଫଳ ପାଇଁ ବିକଳ୍ପ ଦର୍ଶନ ।
ଅଲାରନାଥଙ୍କ ମୂଳମନ୍ଦିର କେବେ ନିର୍ମତି ହୋଇଥିଲା ସେଥିପାଇଁ ପାଠନୀରବ । ତେବେ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଅଲାରନାଥଙ୍କର ଏକ ମନ୍ଦିର ଥିଲା । ଯାହାର ଜୀର୍ଣ୍ଣୋଦ୍ଧାର ଗଙ୍ଗବଂଶ ୪ର୍ଥ ନରପତିଙ୍କ ଦ୍ୱାରା ଖ୍ରୀ ୧୧୨୮ରେ ହୋଇଥିଲା । ବର୍ତମାନ ଦଣ୍ଡାୟମାନ ହୋଇଥିôା ମନ୍ଦିରଟି ଷୋଡ଼ଶ ଶତାବ୍ଦୀର ବୋଲି ନିଶ୍ଚିତ ହୋଇଛି । ଏହାର ଚାରୁକଳା ଅତୀବ ଚମକ୍ରାର ଏବଂ ଏହାର ଉଚ୍ଚତା ୫୦ ଫୁଟ । ଏହାର ଜଗମୋହନ ଓ ନାଟ୍ୟମନ୍ଦିର ସମେତ ଚତୁଃ ପାଶ୍ୱର୍ରେ ୭୩ଠି ଦେବ ବିଗ୍ରହ ତଥା ଦୋଳବେଦୀ ଚନ୍ଦନପୁଷ୍କରିଣୀ କୂପ ଓ ଆନୁଷଙ୍ଗିକ ପରିବେଶ ଦେଖିବାକୁ ମିଳେ ।
ଅଲାରନାଥଙ୍କ ବିଗ୍ରହଟି କଳାମୁଗୁନି ପଥରରେ ନିର୍ମିତ । ଏହାର ଉଚ୍ଚତା ୬ଫୁଟ୍ । ବିଭିନ୍ନ ପୁରାଣମତେ ନୀଳମାଧବଙ୍କ ବିଗ୍ରହର ଯେଉଁ ରୂପ ବର୍ଣ୍ଣନା କରାଯାଇଛି, ତାହାହିଁ ଅଲାରନାଥଙ୍କଠି ଦୃଷ୍ଟି ଗୋଚର ହୁଏ । ମୂର୍ତିଟି ଏକ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ବଳିତ ତୋରଣ ମଧ୍ୟରେ ବିଦ୍ୟମାନ । ଏହି ତୋରଣର ପାଦ ପୀଠାରେ ବିଗ୍ରହାଙ୍କର ଉଭୟପାଶ୍ୱର୍ରେ ଶ୍ରୀଦେବୀ ଓ ଭୂଦେବୀ (ରୁକ୍ମିଣୀ ଓ ସତ୍ୟଭାମା) ଆସୀନ ହୋଇଛନ୍ତି, ମଧ୍ୟ ଭାଗରେ ଚାମର ଧାରିଣୀ ଲଲିତା ଓ ବିଶାଖା, ଉଦ୍ଧ୍ୱର୍ଭାଗରେ ବ୍ରହ୍ମା ଓ ଶିବ ଏବଂ ଶ୍ରୀଚରଣ ତଳେ ଗରୁଡ଼’ ଯୋଡ଼ ହସ୍ତ ମୁଦ୍ରାରେ ଆସୀନ, ଅଲାରନାଥହିଁ ଚତୁର୍ଭୁଜ ଶଙ୍ଖେ, ଚକ୍ର, ଗଦା ଓ ପଦ୍ମଧାରୀ ବିଗ୍ରହ । ସର୍ବାଙ୍ଗରେ ସୂକ୍ଷ୍ମକଳା । ପୁଣ୍ଡରିକ ସଦୃଶ ନେତ୍ରଯୁଗାଳ, କର୍ଣ୍ଣରେ ମକରକୁଣ୍ଡଳ, ଗଳାରେ ଗଜମୋତି ରତ୍ନାହାର, ସ୍କନ୍ଧରେ ଯଜେ୍ଞାପବୀତ, ହାତରେ ବାହୁଟି, ଅଙ୍ଗୁଳିମାନଙ୍କରେ ଅଙ୍ଗୁରୀୟ ଏବଂ ପାଦରେ ନୁପୁର ଇତ୍ୟାଦି ଆଭୂଷଣ ବିରାଜାମାନକରନ୍ତି । ତାଙ୍କ ମୁଖ, ଦକ୍ଷିଣହସ୍ତ ଓ ହୃଦୟରେ ପୂର୍ବବର୍ଣ୍ଣିତ ତିନୋଟି ଘାର ଚିହ୍ନ । ସେ ହେଉଛନ୍ତି ଶୁକ୍ଲାମୂରଧର ବିଷ୍ଣୁ’ । ପୂର୍ବେ ଆଲଲ୍ୟ ବ୍ରାହ୍ମଣମାନେ ତାଙ୍କୁ ପଞ୍ଚରାତ୍ର ବିଧି ବା ପଦ୍ଧତିରେ ପୂଜା କରୁଥିଲେ । ଏବେ ଏ ପୂଜା ଶ୍ରୀ ଜଗନ୍ନାଥଙ୍କ ବିଧିଦ୍ୱାରା ପ୍ରଭାବିତ ।
ଠାକୁରଙ୍କ ଠାରେ ଭୋଗରେ କ୍ଷୀରୀ ସହ ଅନ୍ନ, ଡ଼ାଲମା, ଡ଼ାଲି, ବେସର, ମହୁର ଏବଂ ଶାଗ ଇତ୍ୟାଦି ଲାଗିକରାଯାଏ । ତେବେ ଭକ୍ତମାନଙ୍କ ପାଇଁ କ୍ଷୀରୀହିଁ ମୁଖ୍ୟ ଆକର୍ଷଣ । ଆଲଲ୍ୟ ବ୍ରାହ୍ମଣଙ୍କ କାରଣରୁ ଅଲାରନାଥଙ୍କ ବିଗ୍ରହ ପ୍ରତିଷ୍ଠା କାଳରୁ ଏ କ୍ଷୀରୀ ଭୋଗ ଥିଲା ପ୍ରଥମ ଓ ମୁଖ୍ୟ । ଏହାର ଶ୍ରୀମନ୍ଦିରର ମହାପ୍ରସାଦ ନିର୍ମାଲ୍ୟ ସଦୃଶ ଭକ୍ତଙ୍କପ୍ରତି ଏକ ଆଶା ଓ ଆକର୍ଷଣ ।
ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଦୈନିକ ଏବଂ ବାର୍ଷିକ ପୂଜାନୀତିପରି ଏଠାରେ ସବୁକିଛି ଯଥାବିଧିଚାଲେ । ତେବେ ଅଣସର ବା ମହାଅଣସର ବେଳେ ଶ୍ରୀମନ୍ଦିର ସେବାରେ ଯେଉଁ ବ୍ୟତିକ୍ରମ ଥାଏ, ଏଠାରେ ନଥାଏ । ଅନ୍ୟପକ୍ଷରେ ଠାକୁରମାନଙ୍କର ଅଣସରଜନିତ କାରଣରୁ ଅଲାରନାଥଙ୍କ ବିକଳ୍ପ ଦର୍ଶନରେ ସମଫଳ ପ୍ରାପ୍ତି ହେତୁ ଏଠି ଭକ୍ତମାନଙ୍କର ପ୍ରବଳ ଭିଡ଼ଥାଏ । ଏହି ସମୟରେ ଏଠାକାର ପରିବେଶ ଦିନରାତି ଚଳଚଞ୍ଚଳ ଥାଏ । ସଂକୀର୍ତନ, ପାଲା, ଦାସକାଠିଆ ଏବଂ ସମଧର୍ମୀ ଅନ୍ୟାନ୍ୟ ସାଂସ୍କୃତିକ ତଥା ଧାର୍ମିକ କାର୍ଯ୍ୟକ୍ରମରେ ସ୍ଥାନଟି ମୁଖରିତ ଥାଏ ।
ଅଲାରନାଥଙ୍କ ଅପରୂପମୂର୍ତି, ଶ୍ରୀ ଚୈତନ୍ୟଙ୍କ ଭକ୍ତିର ସ୍ମୃତି ବହନ କରୁଥିବା ପ୍ରସ୍ତରଖଣ୍ଡି ଏବଂ ମୁକ୍ତିର ନିର୍ମାଲ୍ୟ:କ୍ଷୀରୀ ଭୋଗ ଯୁଗେ ଯୁଗେ ଏଠାକୁ ଭକ୍ତମାନଙ୍କୁ ଆକର୍ଷଣ କରୁଥିବ, ବିଶେଷକରି ଏହି ଅଣସର ବା ମହାଅଣସର ବେଳେ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖଯାଗାରେ ଅଲାରନାଥଙ୍କ ସେ କଳା ମଚମତ ମୁଖ ଉଦ୍ଭାସିତ ହୋଇଉଠୁଥିବ । ସେ ଅଲାରନାଥ ଅନାଥର ନାଥ ଏ ଦୁଃଖୀରଙ୍କୀଙ୍କର ଦୁଃଖ ଏମିତି ଶୁଣୁଥାନ୍ତୁ, ଏହାହିଁ ଭିକ୍ଷା ।

ବିପିନି ବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ