ଆଇପିଏଲ କ୍ରିକେଟ ମ୍ୟାଚକୁ ନେଇ ଚାଲିଥିଲା ଟଙ୍କା ବାଜି ୬ ଜଣ ଯୁବକ ଗିରଫ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ବୁଧବାର ଦିନ ସାନଖେମୁଣ୍ଡି ବ୍ଳକ ପୋଡାମାରୀ କଲେଜ ପଡିଆ ଠାରେ ଆଇପିଏଲ କ୍ରିକେଟ ମ୍ୟାଚ ମୋବାଇଲ ରେ ଯୁବକଙ୍କ ମଧ୍ୟରେ ଟଙ୍କା ବାଜି ଚାଲିଥିବା ବେଳେ ପୋଲିସ ଚଢାଉ କରିଥିଲା । ପୋଲିସ ଏହି ମାମଲାରେ ୬ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ ଲକ୍ଷ ୪୫ ହଜାର ଟଙ୍କା ଓ ୬ ଗୋଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିବା ପାଟପୁର ପୋଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ଦଳେଇ ସୂଚନା ପ୍ରଦାନ କରିଛନ୍ତି । ଗିରଫ ମାନଙ୍କ ମଧ୍ୟରେ ପୋଡାମାରୀ ଗ୍ରାମର ଚନ୍ଦନ ପ୍ରଧାନ , ବି . ରୋଶନ ପାତ୍ର , ଚନ୍ଦନ ରାଉତ , କାଳିଆ ସାହୁ ରହିଥିବା ବେଳେ ତାଳପୁର ଗ୍ରାମର ଉତ୍ତମ ନାୟକ ଓ ଡେଙ୍ଗାଓସ୍ତା ଗ୍ରାମର ସନ୍ଦୀପ କୁମାର ଗୁପ୍ତା ବୋଲି ଜଣା ପଡ଼ିଛି । ଆଇପିଏଲ ମ୍ୟାଚକୁ ନେଇ ଏବେ ସବୁଠାରେ ଦେଖାଦେଇଛି ଟଙ୍କା ବାଜି । ବିଶେଷକରି ଶିକ୍ଷିତ ବର୍ଗ ଠାରୁ ଆରମ୍ଭ କରି ଯୁବପିଢି ମାନେ ଟଙ୍କା ବାଜି ମାରି ଫୋନ ମାଧ୍ୟମରେ ଟଙ୍କା କାରବାର କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ଆଇପିଏଲର ୧୫ ସଂସ୍କରଣର ଗତକାଲି ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଥିବା ମ୍ୟାଚକୁ ନେଇ ପୋଡାମାରୀ ଠାରେ କିଛି ଯୁବକଙ୍କ ମଧ୍ୟରେ ଚାଲିଥିଲା ସଟା । ତେବେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶକ୍ରମେ ଏସ୍ ଆଇ ଟୁନା ପିଡିକା ସନ୍ଧ୍ୟାକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ଅତର୍କିତ ଭାବେ ଚଢାଉ କରି ଯୁବକଙ୍କୁ କାବୁ କରିଥିଲା । ଘଟଣାରେ ପୋଲିସ ଉକ୍ତ ଯୁବକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଓ ମୋବାଇଲ ଜବତ କରିଥିଲା । ଏନେଇ ପାଟପୁର ଥାନା ନଂ – ୧୨୪/୨୨ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗୁରୁବାର ଦିନ କୋର୍ଟଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅପରାହ୍ନରେ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ