ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧଦିବସ ପାଳିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଆସ ଭଲ ମଣିଷ ହେବା, ମଣିଷକୁ ଭଲ ପାଇବା, ଭଲ ସମାଜ ଗଠନ କରିବା । ଏହା ଥିଲା ପଞ୍ଚସଖାର ଅନ୍ୟତମ ସଖା ତଥା ବକୁଳବନ ବିଦ୍ୟାଳୟର ପୁରୋଧା ପ୍ରବୀଣ ଶିକ୍ଷକ ଆଚାର୍ଯ୍ୟ ହରିହରଙ୍କର ବାର୍ତ୍ତା ବୋଲି ମତବ୍ୟକ୍ତ କରିଛନ୍ତି ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ଅଧ୍ୟକ୍ଷା ମିନତୀ ରାଉତରାୟ । ଆଚାର୍ଯ୍ୟ ହରିହରଙ୍କର ଶ୍ରାଦ୍ଧ ଦିବସ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ଥିବା ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଅଧ୍ୟକ୍ଷା ମିନତୀ ରାଉତରାୟଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଆଚାର୍ଯ୍ୟଙ୍କ ଭାଷା ପ୍ରୀତି, ଛାତ୍ରବତ୍ସଳ ଏବଂ ତାଙ୍କ ଅବଦାନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ ଆଚାର୍ଯ୍ୟଙ୍କ ବିଚାରଧାରାକୁ ପାଳନ କରିବାକୁ ଅଧ୍ୟାପକ, ଅଧ୍ୟାପିକାମାନେ ଉପଦେଶ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ମକରଧର ମିଶ୍ର, ଅଧ୍ୟାପିକା ଅନୁସୂୟା ମିଶ୍ର, ମୁକ୍ତିଲତା ପାଲ, ଚିନ୍ମୟୀ ପାତ୍ର, ଶାଶ୍ୱତୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।