ଆଜାଦୀ କା ଅମୃତ ମହୋତ୍ସବ

ସୁବାଷ କୁମାର ତାରଣିଆଁ
ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ସାରା ଦେଶରେ ଅଗଷ୍ଟ ୧୩ରୁ ୧୫ ତାରିଖ ତିନିଦିନ ଧରି ପାଳିତ ହୋଇଥିଲା ଆଜାଦୀ କା ଅମୃତ ମହୋତ୍ସବ । ଏଥିପାଇଁ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଐତିହାସିକ ଦିବସ ଅବସରରେ ଦେଶର ପ୍ରତ୍ୟେକଟି ନାଗରିକ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଦେଶ ପାଇଁ ପ୍ରାଣବଳୀ ଦେଇ ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ଏହି ଉତ୍ସବ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ସାଧାରଣ ଜନତା ନିଜ ନିଜ ଘରେ ତିନିଦିନ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇଥିଲେ, ଘରେ ଘରେ ଛାଇ ହୋଇଯାଇଥିଲା ଜାତୀୟ ପତାକା । ଏଥିପାଇଁ ରାଜ୍ୟବାସୀଙ୍କୁ ମାଗଣାରେ ମିଳିଥିଲା ୩୦ ଲକ୍ଷ ତ୍ରିରଙ୍ଗା । ସେହିପରି ଗତ ଜାନୁୟାରୀ ୨୬ ତାରିଖରେ ସାରା ଦେଶରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସର ସ୍ମୃତିକୁ ରୋମନ୍ଥନ କରିବା ସହିତ ସ୍ୱାଧୀନତା ଦିବସରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ମହାମନିଷୀ ମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇ, ସେହିସବୁ ସଂଗ୍ରାମୀମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ଏହି ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ଏହିସବୁ ମହୋତ୍ସବ ପାଳନ କରୁଥିବା ବେଳେ ଏହି ମହୋତ୍ସବର ଗଳାବାଟ ଦେଇ ଯେପରି ବ୍ରିଟିଶମାନଙ୍କ କ୍ରୁର ଶାସନକୁ ଆମେ ଅନୁସରଣ କରିବା ଭଳି ମନେ ହେଉଛି । ଗତ ଜୁଲାଇ ୨୦ ତାରିଖରେ ରାଜସ୍ଥାନର ଜାଲୋର ଜିଲ୍ଲାର ସୁରାନା ଗାଁରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକଙ୍କ ପାଇଁ ରଖାଯାଇଥିବା ଜଳ ପାତ୍ରକୁ ଇନ୍ଦ୍ର ମେଘୱାଲା ନାମକ ୯ ବର୍ଷର ଦଳିତ ଛାତ୍ର ଛୁଇଁ ଦେବାରୁ ଶିକ୍ଷକ ଉକ୍ତ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଛାତ୍ରଟିର ମୁହଁ ଓ କାନରେ ଗଭୀର ଆଘାତ ଲାଗିଥିଲା । ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ଯୋଗୁ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ତାଙ୍କୁ ଜିଲ୍ଲା ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ଡ଼ାକ୍ତର ଉଦୟପୁରର ଏକ ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ । ପ୍ରାୟ ଏକ ସପ୍ତାହ ଚିକିତ୍ସିତ ହେବା ପରେ ସ୍ୱାସ୍ଥ୍ୟରେ ଉନ୍ନତି ନ ହେବାରୁ ତାଙ୍କୁ ଅହମଦାବାଦକୁ ନିଆଯାଇଥିଲା । ସେଠାରେ ମଧ୍ୟ ଅବସ୍ଥା ସୁଧୁରି ନଥିଲା । ଚିକିତ୍ସିତ ଅବସ୍ଥାରେ ଛାତ୍ରଟିର ମୃତ୍ୟୁ ଘଟିଥିଲା । ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୁର୍ଲ୍ଲଭପୁର ଗ୍ରାମରେ । ଉକ୍ତ ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ କିଶାନଙ୍କ ୨୫ ବର୍ଷର ପୁତ୍ର କୁନୁ କିଛିବର୍ଷ ତଳେ ନିଜ ଜାତିର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ଉଭୟ ଅଲଗା ହୋଇ ରହୁଥିଲେ । ଏହାପରେ କୁନୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରୁ ଜଣେ ମୁଣ୍ଡା ସମ୍ପ୍ରଦାୟ ମହିଳାଙ୍କୁ ବିବାହ କରି ଘରକୁ ଆଣିଥିଲେ । ନୀଚ ଜାତିରେ ବିବାହ କରିବାରୁ ଗାଁଲୋକେ କୁନୁଙ୍କୁ ଗ୍ରହଣ ନ କରିବାରୁ କୁନୁ ପତ୍ନୀଙ୍କୁ ନେଇ ଅଲଗା ରହୁଥିଲେ । କିଛିଦିନ ପରେ କୁନୁ ଅସୁସ୍ଥ ହେବାରୁ ପତ୍ନୀ କୁନୁଙ୍କୁ କଟକ ବଡ଼ ମେଡ଼ିକାଲ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କୁନୁଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଜାତି, ପରିବାର ପାଇଁ ଅଛୁଆଁ ଥିବାରୁ କୁନୁଙ୍କ ମୃତ ଦେହକୁ ସାହି ପଡ଼ିଶା ଛୁଇଁ ନଥିଲେ । ଏପରିକି ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ଚାରିକାନ୍ଧ ମିଳିନଥିଲା । ଫଳରେ ଅଛୁଆଁ ଓ ଅଲୋଡ଼ା ହୋଇ ଘର ଅଗଣାରେ ପଡ଼ି ରହିଥିଲା କୁନୁଙ୍କ ମୃତ ଶରୀର । ଏହି ଖବର ପାଇ ସ୍ଥାନୀୟ ଅଞ୍ଚଳର ଦୁଇଜଣ ସାମ୍ବାଦିକ ଓ ଜଣେ ଆଇନଜୀବୀଙ୍କ ସହାୟତାରେ କୁନୁଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।ରାଜଧାନୀ ଭୁବନେଶ୍ୱରରେ ସ୍କୁଲ୍ ଫି ପୈଠକୁ କେନ୍ଦ୍ର କରି ଭରତପୁର ଥାନା ଅନ୍ତର୍ଗତ ଘାଟିକିଆସ୍ଥିତ ଆପିଜୟ ଘରୋଇ ବିଦ୍ୟାଳୟରେ ବନ୍ଧା ପଡ଼ିଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିବା ବେଳେ ବିଦ୍ୟାଳୟର ଏପରି ଆଚରଣ ଓ ଉଚ୍ଚାରଣ ଅଭିଭାବଙ୍କୁ ଚକିତ କରିଥିଲା । ସ୍କୁଲ୍ ଫି ପୈଠକୁ କେନ୍ଦ୍ର କରି କିଛିଦିନ ଧରି ଅଭିଭାବକ ଓ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ସ୍କୁଲ୍ ଫି ଦେବାରେ ବିଳମ୍ବ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ୩୪ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଲାଇବ୍ରେରୀ ଘରେ ଅଟକ ରଖିଥିଲେ । ଦୀର୍ଘ ୫ ଘଣ୍ଟା ଅଟକ ରଖିବା ପରେ ଛାତ୍ରଛାତ୍ରୀମାନେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ କବଳରୁ ମୁକୁଳି ଥିଲେ । ଏପରିକି ସ୍କୁଲ୍‌ରେ ପାଠ ପଢିବାକୁ ମଧ୍ୟ ସୁଯୋଗ ଦେଇନଥିଲେ । ଛାତ୍ରଛାତ୍ରୀମାନେ ଘରକୁ ଫେରିବା ପରେ ଏଭଳି ବର୍ବୋରଚିତ ଘଟଣା ବିଷୟରେ ଅଭିଭାବକମାନଙ୍କୁ ଜଣାଇବା ପରେ, ଅଭିଭାବକମାନେ ଏହି ଅମାନବୀୟ କାର୍ଯ୍ୟ ବିରୋଧରେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ