ଆଜାଦ୍କୀ ଅମୃତ ମହୋତ୍ସବ ଶାରୀରିକ ଓ ମାନସିକ ସୁସ୍ଥତା ଜୀବନକୁ ସମୃଦ୍ଧ କରିଥାଏ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶାରୀରିକ ଓ ମାନସିକ ସୁସ୍ଥତା ପ୍ରତିଟି ମଣିଷର ଜୀବନକୁ ସମୃଦ୍ଧ କରିଥାଏ । ଏଣୁ ଆମ ଦେଶର ପ୍ରତିଟି ନାଗରିକ ପ୍ରତ୍ୟେହ ଯୋଗ, ବ୍ୟାୟାମ ଓ ଶାରୀରିକ କାର୍ଯ୍ୟର ଅଭ୍ୟାସ ଅନ୍ତତଃ ୧ ଘଣ୍ଟା କରିବା ଉଚିତ୍ । ଶରୀର ଫିଟ୍ ରହିଲେ ଆମ ଦେଶ ବି ହୋଇପାରିବ ଫିଟ୍ । ଏଭଳି ସୁସ୍ଥତାର ମନ୍ତ୍ର ଆଜାଦ୍ କୀ ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଛାତ୍ର, ଛାତ୍ରୀଙ୍କୁ ବାଣ୍ଟିଛନ୍ତି । ସୂଚନାଯୋଗ୍ୟ, ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କୀ ଅମୃତ ମହୋତ୍ସବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟର ପରିସରରେ ଏନ୍ଏସ୍ଏସ୍, ଏନ୍ସିସି ଛାତ୍ର, ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର (ଖୋର୍ଦ୍ଧା) ଏବଂ ଜାତୀୟ ସେବା ସଂସ୍ଥା (ଏନ୍ଏସ୍ଏସ୍) ଖୋର୍ଦ୍ଧାର ମିିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ. ବିନୀତା ମହାନ୍ତି, ସମ୍ମାନିତ ଅତିଥି ରୂପେ ନେହେରୁ ଯୁବକେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ନବୀନ କୁମାର ନାୟକ, ଜାତୀୟ ସେବା ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶିକା କୁମାରୀ ସରିତା ପଟେଲ, ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଅଧିକାରୀ ସୁଶାନ୍ତ କୁମାର ପଟ୍ଟନାୟକ, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିପିନ୍ କୁମାର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର କୁଳମଣି ମଲ୍ଲିକ ଏବଂ ଶୁଭେନ୍ଦ୍ର ନାଥ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।