‘ଆଜିକାଲି’ର ପୂର୍ବତନ ସମ୍ପାଦିକା ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ

ବାଲେଶ୍ୱର, (ସରୋଜ ପଣ୍ଡା):ଦୈନିକ ଓଡ଼ିଆ ଖବରକାଗଜ ‘ଆଜିକାଲି’ର ପୂର୍ବତନ ସମ୍ପାଦିକା ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଗୋପାଗାଁ ସ୍ଥିତ କାର୍ଯ୍ୟାଳୟ ପରିସରରେ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଆଜିକାଲି ସଭାଗହରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଆଜିକାଲିର ପରିଚାଳନା ସମ୍ପାଦକ ଉଦ୍ୟୋଗୀ ଲକ୍ଷ୍ମୀନାରାୟଣ ମହାନ୍ତି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗୀୟା ମହାନ୍ତିଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ସ୍ୱତନ୍ତ୍ର ବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ ସଫଳତା ପଛରେ ସ୍ୱର୍ଗୀୟା ମହାନ୍ତିଙ୍କ ବିଶେଷ ସମ୍ପୃକ୍ତି ରହିଥିଲା ବୋଲି ଉଲ୍ଳେଖ କରିଥିଲେ । ତାଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନର ସଫଳତା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ ଜ୍ୟେଷ୍ଠଭ୍ରାତା ବିପ୍ଳବ କୁମାର ମହାନ୍ତି, ଆଜିକାଲିର ପ୍ରକାଶକ କିଶୋର ଦାସ, ସମାଜ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ, କାଉନସିଲର ରଞ୍ଜିତା ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଆଜିକାଲିର ପ୍ରତିଷ୍ଠାତା ବିସ୍ମୟ ମହାନ୍ତିଙ୍କ ଅକାଳ ବିୟୋଗ ପରେ ଏହାର ପରିଚାଳନା ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ବୋଲି କହିଥିଲେ । ତେବେ ଏହାର ସମ୍ପାଦନା ଦାୟିତ୍ୱ ହାତକୁ ନେଇ ଅତ୍ୟନ୍ତ ଦକ୍ଷତାର ସହ ପରିଚାଳନା କରି ସେ ସମସ୍ତଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି ବୋଲି ବକ୍ତାମାନେ ମତ ପକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ଭାଗବତ ସାହୁ, ସାମ୍ବାଦିକ ପ୍ରଶାନ୍ତ ନାଥ ଓ ଗଙ୍ଗାଧର ରାଉତ, କୃତିବାସ ପଟ୍ଟୟକ, ଆଇନଜୀବୀ ସମରେନ୍ଦ୍ର ନାଥ ଦାସ, ଭାବଗ୍ରାହୀ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ରହି ସ୍ୱର୍ଗୀୟା ମହାନ୍ତିଙ୍କ ଜୀବନାଦର୍ଶ ଓ ଗୁଣାବଳୀର ସ୍ମୃତିଚାରଣ କରିଥିଲେ । ଶେଷରେ ସାମ୍ବାଦିକ ରାମନାରାୟଣ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତର୍ମୟୀ ପଟ୍ଟନାୟକ, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ନିର୍ମାଲ୍ୟ ମହାନ୍ତି, ଡ. ଶ୍ରୀମାନ ଶ୍ରୀଚନ୍ଦନ, ଇଂ ନିହାରିକା ମହାନ୍ତି ପ୍ରମୁଖଙ୍କ ସମେତ ସ୍ୱର୍ଗୀୟା ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରବର୍ଗ ଓ ଆତ୍ମୀୟ ସଜ୍ଜନ ତଥା ବନ୍ଧୁବାନ୍ଧବମାନେ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ