ଆଜି ବିଶ୍ୱ ଜନସଂଖ୍ୟା ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଜୁଲାଇ ମାସ ୧୧ ତାରିଖ । ବିଶ୍ୱ ଜନସଂଖ୍ୟା ଦିବସ ରୂପେ ସାରା ବିଶ୍ୱ ଉକ୍ତ ଦିନଟିକୁ ପାଳନ କରିଥାଏ । ଏହି ଦିବସ ପାଳନର ଅନେକ ମହତ୍ୱ ଓ ଗୁରୁତ୍ୱ ରହିଥିଲେ ସୁଦ୍ଧା କାଁ ଭାଁ ସ୍ଥାନରେ ହାତଗଣତି କିଛି ଅନୁଷ୍ଠାନ ଦିବସଟିକୁ ପାଳନ କରିଥାନ୍ତି । ସେତେଟା ଏହା ଉପରେ ଉତ୍ସାହଜନକ ରୂପେ ଜନସଚେତନତା ଉଦ୍ଦେଶ୍ୟରେ ପ୍ରଚାର ଓ ପ୍ରସାର ହେଉ ନଥିବା ପରି ମନେହୁଏ । ନିକଟରେ ଆମ ଦେଶ ଭାରତ ବିଶ୍ୱର ୧ନମ୍ବର ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହୋଇସାରିଛି । ଚିନ୍‌କୁ ପଛରେ ପକାଇ ଆମେ ବିଶ୍ୱର ୧ନମ୍ବର ସ୍ଥାନ ଅଧିକାର କରିସାରିଲେଣି । ଜନସଂଖ୍ୟା ବୃଦ୍ଧି କିପରି ସନ୍ତୁଳନ ହୋଇପାରିବ ଏ ନେଇ ଆଖି ଆଗରେ ରଖି ସରକାର ଅନେକ ଯୋଜନା ମଧ୍ୟ କରିଛନ୍ତି । ଆମେ ଦୁଇ, ଆମର ଦୁଇ, ଛୋଟ ପରିବାର, ସୁଖୀ ପରିବାରର ସ୍ଲୋଗାନ୍ ମଧ୍ୟ ଦିଆଯାଇଛି । କିନ୍ତୁ କ’ଣ ହେବ? ଫଳ ଶୂନ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ଜନସଂଖ୍ୟା । ଯାହାକୁ ନେଇ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଚିନ୍ତା ପ୍ରକଟ କରିଛନ୍ତି । ଦୈନନ୍ଦିନ ଜୀବନରେ ଦେଖୁଥିବା ଜନ ବିସ୍ଫୋରଣର ଏକ କରୁଣ ସାଙ୍ଘାତିକ ଚିତ୍ରକୁ ରଙ୍ଗ ଓ ତୂଳୀରେ ନିଖୁଣ ରୂପେ ଆଙ୍କି ସାରା ବିଶ୍ୱକୁ ଦେଇଛନ୍ତି ଜନସଚେତନତାର ବଳିଷ୍ଠ ବାର୍ତ୍ତା । ଏଥିରେ ଦର୍ଶାଇଛନ୍ତି ଗୋଟିଏ ସ୍କୁଟରରେ ସାରା ପରିବାରର ବିକଳ ଓ ଭୟଙ୍କର ଯାତ୍ରାର ଦୃଶ୍ୟ । ଅର୍ଥାତ୍ ଜନସଂଖ୍ୟା ବୃଦ୍ଧି କମିବାର ଆଉ ନାଁ ଧରୁନି । ସତେ ଯେପରି ଅଣଆୟତ ହୋଇ ପଡ଼ିଲାଣି ଜନ୍ମ ନିୟନ୍ତ୍ରଣ । ଯଦି ଏବେଠାରୁ ନିୟନ୍ତ୍ରଣ କରା ନଯାଏ ତେବେ ଏହା ଆଣବିକ ବୋମାଠାରୁ ବିପଜ୍ଜନକ ହୋଇଯିବ ଜନବିସ୍ଫୋରଣ । ବିଗିଡ଼ିଯିବ ଏ ସୁନ୍ଦର ପୃଥିବୀ । ଅଳ୍ପଦିନରେ ଏହା ଧ୍ୱଂସ ହୋଇଯିବ । ଏନେଇ ପ୍ରତିଟି ସ୍ତରରେ ଉଦ୍ୟମ ହେବା ନିତାନ୍ତ ଜରୁରୀ ବୋଲି ସେ କହିଛନ୍ତି । ଶାନ୍ତନୁଙ୍କ ଏହି ସମୟୋପଯୋଗୀ ସଚେତନତା ବାର୍ତ୍ତା ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ