ଆଜି ୨ୟ ପର୍ଯ୍ୟାୟ ଭୋଟ – ହିଂଜିଳି ବିଧାନସଭା ଆସନ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୦ ହଜାର ୨୬୫ ଭୋଟର
ହିଂଜିଳିକାଟୁ, (ଶେଷଦେବ ସାହୁ) : ଚଳିତ ସାଧାରଣ ନିର୍ବାଚନ ସକାଶେ ଗୁରୁବାର ଦିନ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଆସିକା ଲୋକସଭା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ ଟି ବିଧାନସଭା ଆସନରେ ଭୋଟର ମାନେ ନିଜର ବହୁ ମୂଲ୍ୟବାନ ମତଦାନ କରି ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଭାବେ ପରିଚିତ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭୋଟ ଅନୁଷ୍ଠିତ ହେବ । ନିର୍ବାଚନ ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ହିଂଜିଳି ବିଧାନସଭା ଆସନରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୦ ହଜାର ୨୬୫ ଭୋଟର ।(ପୁରୁଷ ଭୋଟର – ୧ ଲକ୍ଷ ୧୬ ହଜାର ୯୩୫, ମହିଳା ଭୋଟର ୧ ଲକ୍ଷ ୩ ହଜାର ୩୧୫ ଓ ତୃତୀୟ ଲିଙ୍ଗ ୧୫ ଭୋଟର) ହିଂଜିଳି ବ୍ଳକର ସମୁଦାୟ ୨୧ ଟି ପଂଚାୟତ, ଶେରଗଡ଼ ବ୍ଳକର ୨୨ ଟି ପଂହଚାୟତ ଓ ହିଂଜିଳିକାଟୁ ପୌରାଂଚଳର ୨୧ ଟି ୱାର୍ଡ଼କୁ ନେଇ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଚଳିତ ଥର ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧିନୁ ମିଶାଇ ମୋଟ ୯ ଜଣ ପ୍ରାର୍ତୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଅସନରେ ବିଜେଡ଼ିର ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୮ ଜଣ ନୁଆଁ ଚେହେରା । କଂଗ୍ରେସରୁ ବରିଷ୍ଟ ଆଇନଜିବୀ ତଥା ହିଞ୍ଜିଳିକାଟୁ ମାର୍ଚ୍ଚେଂଟ ଏସୋସିଏସନ ଓ ତରାତାରିଣୀ ମଜଦୁର ସଙ୍ଘର ସଭାପତି ଶମ୍ଭୁ ପାଣିଗ୍ରାହୀ, ବିଜେପିରୁ ବରିଷ୍ଟ ଆଇନଜିବୀ ତଥା ବିଜେପିର ମୁଖପାତ୍ର ତଥା ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟ, ବହୁଜନ ସମାଜପାର୍ଟିର ଭାସ୍କର ଚୌଧୁରୀ, ଏସୟୁସିଆଇ(ସି)ର ଡ଼ି. ତିରୁପତି ଦୋରା, ଆମ୍ବେଦକର ଜାତୀୟ କଂଗ୍ରେସର ରଂଜନ କୁମାର ଆପଟ, ସ୍ୱାଧିନ ପ୍ରୟାର୍ଥୀ ବାବୁଲା ସାହୁ, ସି. ଲକ୍ଷ୍ମୀ ଆଚାରୀ, ଓ ସୁକାନ୍ତ କିଶୋର ପଣ୍ଡା ପ୍ରମୁଖ ମୈଦାନରେ ଅଛନ୍ତି ।
ଚଳିତ ସାଧାରଣ ନିର୍ବାଚନରେ ହିଂଜିଳି ବିଧାନସଭା ଆସନରେ ୨୨୪ ଟି ବୁଥ କରାଯାଇଛି । ୨୨୪ ଟି ବୁଥରେ ୧୪୮୮ ଜଣ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି । ୨୨୪ ଟି ବୁଥ ମଧ୍ୟରୁ ହିଂଜିଳିକାଟୁ ପୌରାଂଚଳରେ ୧୫ ଟି, ହିଂଜିଳିକାଟୁ ବ୍ଳକରେ ୧୦୩ ଟି ଓ ହିଂଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକରେ ୧୦୬ ଟି ବୁଥରେ ଭୋଟର ମାନେ ନିଜ ନିଜର ମତଦାନ କରିବେ ।୨୨୪ ଟି ବୁଥ ମଧ୍ୟରୁ ଗୋଟିଏ ବୁଥକୁ ପିଙ୍କ୍ ବୁଥ ଭାବେ ନିଆଯାଇଛି । ସେଥି ମଧ୍ୟରୁ ୧୫ ଟି ସମ୍ବେଦନଶୀଳ ବୁଥ ଭାବେ ନିଆଯାଇଛି । ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୦ ଟି ବୁଥରେ ୱେବ କାଷ୍ଟିଂଙ୍ଗ ବ୍ୟବସ୍ଥା କରାଯାଇଥିବା ବେଳେ ଅବଶିଷ୍ଟ ୫ ଟି ବୁଥରେ ଭିଡ଼ିଓଗ୍ରାଫିର ବ୍ୟବସ୍ଥା କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହିଂଜିଳି ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୨୦ ହଜାର ୨୬୫ ଭୋଟରଙ୍କ ମଧ୍ୟରୁ ହିଂଜିଳି ବ୍ଳକର ୧ ଲକ୍ଷ ୧୬ ହଜାର ୨୬୫ ଭୋଟର ଥିବା ବେଳେ ଶେରଗଡ଼ ବ୍ଳକରେ ୧ ଲକ୍ଷ ୩ ହଜାର ୮୪୦ ଭୋଟର ରହିଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପୋଲିସ ଫୋର୍ସ ଓ ବହୁ ପୁଲିସ ଅଧିକାରୀଙ୍କୁ ନିୟୋଜନ କରାଯାଇଛି ।


