ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟା: କଙ୍ଗନା
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବୟାନ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି କଙ୍ଗନା ବଲିଉଡ୍ ଉପରେ ନିଜ ଅସେନ୍ତାଷ ପ୍ରକାଶ କରିଛନ୍ତି। କଙ୍ଗନା କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ଆମ ସମସ୍ତଙ୍କୁ ଭାଙ୍ଗି ଦେଇଛି। କିନ୍ତୁ କେତେକ ଲୋକ ଏହାର ଓଲଟା କଥା କହିବାରେ ମଧ୍ୟ ମାହିର ଅଛନ୍ତି। ସେମାନେ କହୁଛନ୍ତି, ଯାହାର ମସ୍ତିଷ୍କ ଦୁର୍ବଳ ସେମାନେ ଅବସାଦର ଶିକାର ହୁଅନ୍ତି ଓ ଆତ୍ମହତ୍ୟା କରିଥାନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ଇଞ୍ଜିନିୟରିଂରେ ଟପ୍ କରୁଛି, ରାଙ୍କ ହୋଲ୍ଡର, ତାଙ୍କ ମସ୍ତିଷ୍କ କିପରି ଦୁର୍ବଳ ହୋଇପାରେ? ସେ ତାଙ୍କର ଶେଷ କେତେକ ପୋଷ୍ଟରେ କହୁଛନ୍ତି, ତାଙ୍କ ଫିଲ୍ମ ଦେଖନ୍ତୁ, ନଚେତ ତାଙ୍କୁ ଇଣ୍ଡଷ୍ଟ୍ରୀରୁ ବାହାର କରି ଦିଆଯିବ। ତାଙ୍କର କେହି ବି ଗଡଫାଦର ନାହାନ୍ତି। ସୁଶାନ୍ତ ନିଜ ୬ ବର୍ଷର କ୍ୟାରିଅରରେ ‘କାଇ ପୋ ଚେ’ ଭଳି ସିନେମା ଦେବା ପରେ କେହି ତାଙ୍କର ପ୍ରଶଂସା କଲେନି। କିମ୍ବା କୌଣସି ପୁରସ୍କାର ମିଳିଲାନି ବୋଲି କଙ୍ଗନା ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ‘ଛିଛୋରେ’ ଭଳି ଫିଲ୍ମକୁ କୌଣସି ପୁରସ୍କାର ଦିଆଯାଇ ନ ଥିବା ବେଳେ ‘ଗଲି ବୟ’ ଭଳି ଏକ ବେକାର ସିନେମାକୁ ଅନେକଗୁଡ଼ିଏ ପୁରସ୍କାର ଦିଆଯାଉଛି। ଆମେ ଆପଣମାନଙ୍କୁ କିଛି ବି ମାଗୁ ନାହୁଁ। କିନ୍ତୁ ଆମେ ଯେଉଁ କାମ କରୁଛୁ ଅତିକମରେ ତାହାର ତ ପ୍ରଶଂସା କରନ୍ତୁ। ମୋର ହିଟ୍ ସିନେମାକୁ କାହିଁକି ଫ୍ଲପ୍ ଘୋଷିତ କରାଗଲା? ମୋ ଉପରେ କାହିଁକି ୬ଟି ମାମଲା କରାଗଲା? ଲୋକେ ମତେ ମେସେଜ୍ କରି କହୁଛନ୍ତି, ତୁମ ପାଇଁ ଏହା ଏକ ଖରାପ ସମୟ। ଏମିତି କିଛି ପଦକ୍ଷେପ ନିଅନି। ମୋ ମସ୍ତିଷ୍କରେ ସେମାନେ ଏପରି ଜିନିଷ କାହିଁକି ଭର୍ତ୍ତି କରୁଛନ୍ତି? ଏହା ସୁଶାନ୍ତଙ୍କ ଆତ୍ମହତ୍ୟା ନୁହେଁ, ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟା। ସୁଶାନ୍ତ କେବଳ ଗୋଟିଏ ଭୁଲ୍ କଲେ, ସେ ଲୋକମାନଙ୍କ କଥା ମାନିଗଲେ। ସେ ମୂଲ୍ୟହୀନ ବୋଲି ଲୋକେ ଯାହା କହୁଥିଲେ, ସେ କଥାରେ ସୁଶାନ୍ତ ପଡ଼ିଗଲେ। ଇତିହାସ କିଏ ଲେଖିବ ବୋଲି ତାଙ୍କ ମା’ ଯାହା କହିଥିଲେ ସୁଶାନ୍ତ ତାହା ଶୁଣି ନ ଥିଲେ ବୋଲି କଙ୍ଗନା କହିଛନ୍ତି।