ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ନଗ୍ନଚିତ୍ର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆମୁଳଚୂଳ ପରିବର୍ତ୍ତନ ସହ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି। ଶିକ୍ଷା ଅଧିକାର ଆଇନ ପ୍ରଣୟନ କରି ପ୍ରାଥମିକ ଶିକ୍ଷାରୁ କେହି ଯେମିିତି ବଞ୍ଚିତ ନ ହେବେ ସେଥି ପ୍ରତି ଗୁରୁତ୍ବ ଦିଆଯାଉଛି। ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ “ସଭିଏଁ ପଢ଼ନ୍ତୁ ସଭିଏଁ ବଢନ୍ତୁ” ଡିଣ୍ଡିମ ବାଜୁଛି। ହେଲେ ଶିକ୍ଷା ବିଭାଗର ଅଦୂରଦର୍ଶିତା ଅପରିଣାମଦର୍ଶୀ ପଦକ୍ଷେପ ଯୋଗୁଁ କେତେକ କ୍ଷେତ୍ରରେ ପ୍ରାଥମିକ ଶିକ୍ଷା ବ୍ୟାଘାତ ହେଉଛି ଓ ପ୍ରଥମ ରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ କୋମଳମତି ଶିକ୍ଷାର୍ଥୀ ବିଦ୍ୟାଳୟ ପାଠ ପଢ଼ା ରୁ ବଞ୍ଚିତ ହେଉଛନ୍ତି। ଏଭଳି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଚରମ ବିଭ୍ରାଟ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଦିବାସୀ ସଂଖ୍ୟାଲଘୁ ଅଧ୍ୟୁଷିତ ଟି ଗୋବିନ୍ଦପୁର ପଞ୍ଚାୟତର କାଳିବୋରେଇ କନ୍ଧଜକର ଓ କପାବାଡ ଗ୍ରାମରେ ଦେଖାଦେଇଛି। ଏହି ତିନି ଗୋଟି ଗ୍ରାମର ପ୍ରାଥମିକ ଶିକ୍ଷା ନିମିତ୍ତ କାଲିବୋରେଇ ଗ୍ରାମରେ ୧୯୭୨ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିଲା। ତିନିଖଣ୍ଡ ଗ୍ରାମର ଆଦିବାସୀ ସଂଖ୍ୟାଲଘୁ ସମ୍ପ୍ରଦାୟର ଛୋଟ ଛୋଟ ଶିଶୁ ଶିକ୍ଷାର୍ଥୀ ମାନେ ଘାଟି ପାହାଡ଼ ରାସ୍ତାରେ ଆସି ପାଠ ପଢୁଥିଲେ। କପାବାଡ଼ ଓ କନ୍ଧଜକର ଗ୍ରାମରୁ କାଳିବୋରେଇ ଗ୍ରାମକୁ ଦୁଇ କିମିରୁ ଅଧିକ ଦୂରରୁ ଆସି ଶିକ୍ଷାର୍ଥୀ ମାନେ ପାଠ ପଢୁଥିଲେ। କିନ୍ତୁ ୨୦୧୯ ରେ ଆବଶ୍ୟକ ଉପସ୍ଥାନ ଥିବା ସତ୍ତ୍ବେ ଭୁଲ ରିପୋର୍ଟ ପ୍ରଦାନ ଯୋଗୁଁ କାଳିବୋରେଇ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷାବିଭାର ଆବଶ୍ୟକ ଉପସ୍ଥାନ ନ ଥିବା ଦର୍ଶାଇ ବନ୍ଦ କରିଦେଲେ। ଓ ସାଢ଼େ ଦୁଇକିମି ଦୂରରେ ଥିବା ଟିଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିଦେଲେ। ଫଳରେ ଦୁଇ ରୁ ପାଞ୍ଚ କିମି ଦୂରକୁ ଆସି ତିନିଗୋଟି ଗ୍ରାମର ଛାତ୍ର ଛାତ୍ରୀଙ୍କ ଯାତାୟତ ସମସ୍ୟା ସୃଷ୍ଟି ହେବା ସହ ଅନେକ ଶିଶୁ ପାଠ ପଢ଼ାରୁ ବଞ୍ଚିତ ହୋଇଛନ୍ତି ଓ ଡ୍ରପ ଆଉଟ୍ ସଂଖ୍ୟା ବଢ଼ିଛି। ଘାଟି ପାହାଡ଼ ଜଙ୍ଗଲ ନାଳ ଆଦି ପାଦଚଲା ରାସ୍ତାରେ ଛୋଟ ଛୋଟ ଶିଶୁ ଟି ଗୋବିନ୍ଦପୁର ବିଦ୍ୟାଳୟକୁ ଆସୁନାହାନ୍ତି। କାଳିବୋରେଇ ରୁ ଟି ଗୋବିନ୍ଦପୁର ରାସ୍ତାରେ ୩୨୬ ନଂ ଜାତୀୟ ରାଜପଥର ତପ୍ତପାଣି ଘାଟି ପଡୁଥିବାରୁ ସେହି ରାସ୍ତାରେ ଦୈନନ୍ଦିନ ଛୋଟ ବଡ ସଡ଼କ ଦୁର୍ଘଟଣା ଘଟୁଛି ଫଳରେ ପିଲାଏ ଦୁର୍ଘଟଣା କୁ ଡରି ସ୍କୁଲ ଆସୁନାହାନ୍ତି । ସମ୍ପ୍ରତି ତିନି ଗୋଟି ଗ୍ରାମର ୪୫ ଜଣ ଛାତ୍ରଛାତ୍ରୀ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢିବାକୁ ଅଛନ୍ତି ଓ ବିଦ୍ୟାଳୟ ପୁନର୍ବାର ଖୋଲିଲେ ସେମାନେ ନାମ ଲେଖାଇବେ ବୋଲି ଅଭିଭାବକ ଓ ଗ୍ରାମବାସୀ ପିଲାଙ୍କ ତାଲିକା ଦେଇ ପ୍ରକାଶ କରିଛନ୍ତି। ଆଜି ଏହି ମର୍ମରେ ତିନି ଖଣ୍ଡ ଗ୍ରାମବାସୀ ଓ ଟି ଗୋବିନ୍ଦପୁର ପଞ୍ଚାୟତ ପକ୍ଷରୁ ଭୌଗଳିକ ଓ ଯାତାୟତ ସମସ୍ୟା ରାଜପଥ ଦୁର୍ଘଟଣା ଦୃଷ୍ଟିରୁ କାଳିବୋରେଇ ସରକାରି ପ୍ରାଥମିକ ବିଦ୍ୟାଳୟ ପୁନର୍ବାର ଖୋଲିବା ସହ ସବୁ ବଞ୍ଚିତ ଶିକ୍ଷାର୍ଥୀ ମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବାକୁ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସରପଞ୍ଚ କବିତା ଗମାଙ୍ଗ ନାଏବ ସରପଞ୍ଚ ସାୟ ଗମାଙ୍ଗ ସମିତି ସଭ୍ୟା ଊର୍ବି ଦଳେଇ କନ୍ଧ ଜାନି ସଲମନ ମଣ୍ଡଳ ପବିତ୍ର ମଣ୍ଡଳ କନ୍ଧ ବଡରଇତ ପବିତ୍ର ମଣ୍ଡଳ ରାମଜାନି ମଣ୍ଡଳ କେଶବ ପୂଜାରୀ ପୂର୍ବତନ ସରପଞ୍ଚ ମଙ୍ଗଳା ଗମାଙ୍ଗ ପୂର୍ବତନ ସମିତିସଭ୍ୟ ସଞ୍ଜୀବ ସର୍ଦ୍ଧାର ପ୍ରମୁଖ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ଶିଶୁ ଶିକ୍ଷାର୍ଥୀଙ୍କ ଅଭିଭାବକ ଓ ତିନି ଗ୍ରାମବାସୀଙ୍କ ଦସ୍ତଗତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ ସହ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଆକୁଳଚନ୍ଦ୍ର ଚୌଧୁରୀଙ୍କ ସହ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ