ଆଦିବାସୀ ପରିବାର ମୁହଁରେ ହସ ଫୁଟାଇଲା ରେଡ୍ ସ୍ୱସ୍ତିକ୍ ସୋସାଇଟି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଜାଡ଼ରେ ଥରୁଛି ଓଡ଼ିଶା । ଦିନକୁ ଦିନ ପାରଦ ତଳକୁ ତଳ ଖସୁଛି । ଥଣ୍ଡା ପବନ ସାଙ୍ଗକୁ ହାଡ଼ଭଙ୍ଗା ଜାଡ଼ର ଯନ୍ତ୍ରଣା ସହିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଏ ଜାଡ଼ରୁ ମୁକ୍ତି ପାଇଁ ଅନେକ ଅଭାବୀ ପରିବାର ପକ୍ଷେ ଶୀତବସ୍ତ୍ର ଅଥବା କମ୍ବଳ ଖଣ୍ଡିଏ କିଣିବା ଅତ୍ୟନ୍ତ କଷ୍ଟ । ଯାହା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଘଙ୍ଗାପାଟଣା ଗ୍ରାମ ଆଦିବାସୀ ସାହିରେ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ଅଭାବୀ ପରିବାର ପକ୍ଷେ କମ୍ବଳ ବା ଶୀତବସ୍ତ୍ର ଖଣ୍ଡିଏ କିଣିବା ସାତସପନ ଥିବାବେଳେ ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ଏମାନଙ୍କ ମୁହଁରେ ହସ ଫୁଟାଇ ପାରିବାକୁ ସକ୍ଷମ ହୋଇପାରିଛି । ଏକଶହ ଅଭାବୀ ଆଦିବାସୀ ପରିବାରକୁ ଜରୁରୀକାଳୀନ ପରିସ୍ଥିତିରେ ସୋସାଇଟି ପକ୍ଷରୁ କମ୍ବଳ ଯୋଗାଇ ଦିଆଯାଇଛି । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ସୋସାଇିଟିର ସମ୍ପାଦକ ଦେବାଶିଷ ପଟ୍ଟନାୟକ, ସାମାଜିକ କର୍ମୀ ତଥା ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ସ୍ଥାନୀୟ ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।


