ଆଧାର କାର୍ଡ ଅଦ୍ୟାତନ କରିବା ଜରୁରି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):UIDAIଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଜନ ସାଧାରଣ ନିଜନିଜର ଆଧାର କାର୍ଡ ଗୁଡିକ ବିନା ମୂଲ୍ୟରେ ଅପଡେସନ୍ ବା ଅଦ୍ୟାତନ କରାଇବା ଜରୁରୀ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଓସ୍ବାନ ଦ୍ବାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୫ ତାରିଖ ଠାରୁ ଏହି ଅପଡେସନ୍ କାର୍ଯ୍ୟ ଆରମ୍ଭ ହୋଇଛି ଯାହା ଆଗାମୀ ଜୁନ୍ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ବିନା ମୂଲ୍ୟରେ ନିଜର ଆଧାର କାର୍ଡ ଅପଡେସନ୍ କରାଇ ନିଅନ୍ତୁ ବୋଲି ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ଜନସାଧାରଣଙ୍କୁ ଜଣାଇଥିଲେ । ଜନ ସାଧାରଣ ସେମାନଙ୍କର ଆଧାରକାର୍ଡ ଅପଡେସନ୍ ବିନା ମୂଲ୍ୟରେ ନିଜ ମୋବାଇଲ୍ ଦ୍ବାରା କରାଇ ପାରିବେ । ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ ଡାଟାଏଣ୍ଟ୍ରି ଅପରେଟର ମାନଙ୍କ ଠାରେ ମଧ୍ୟ ବିନା ମବଲ୍ୟରେ ଅପଡେସନ୍ କରିପାରିବେ । ସେବାକେନ୍ଦ୍ର ଗୁଡିକରେ ଜନ ସାଧାରଣ ୫୦ ଟଙ୍କା ଦେୟ ଦେଇ ଅପଡେସନ୍ କରାଇ ପାରିବେ । ନୂତନ ଭାବେ ଆଧାର କାର୍ଡ କରୁଥିବା ବ୍ୟକ୍ତି ବିଶେଷ ବିନା ମୂଲ୍ୟରେ ଆଧାର କାର୍ଡ ନିମନ୍ତେ ପଞ୍ଜିକରଣ କରାଇ ପାରିବେ । ଯେଉଁ ମାନେ ୧୦ ବର୍ଷ ପୂର୍ବରୁ ଆଧାରକାର୍ଡ କରିଛନ୍ତି ସେମାନଙ୍କ କାର୍ଡରେ ଥିବା ଭୂଲ ତଥ୍ୟକୁ ସଂଶୋଧନ କରାଇ ପାରିବେ ଏବଂ ଅପଡେସନ୍ କରି ପାରିବେ ତେବେ ଯାଇ ନିଜ ଆଧାର କାର୍ଡ ସଠିକ ହୋଇ ବଲବତ୍ତର ରହିବ । ନିଜର ପରିଚୟ ପତ୍ର, ଠିକଣା ପ୍ରମାଣ ପତ୍ର ଅପଲୋଡ୍ କରିଲେହିଁ ଆଧାର କାର୍ଡର ତଥ୍ୟ ସଠିକ ହୋଇ ପାରିବ । ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟ ଚାଲୁ ରହିଛି ।ଯୋଗାଣ ସହାୟକଗଣଙ୍କ ତତ୍ତ୍ବାବଧାନରେ ପଞଚାୟତ ସ୍ତରରେ ନିଯୁକ୍ତ ଅପରେଟର ମାନଙ୍କ ଦ୍ବାରା ଏହି କାର୍ଯ୍ୟ ଚାଲିଛି । ଜିଲ୍ଲାର ସମସ୍ତ ୫୯୭ ଗୋଟି ଗ୍ରାମ ପଞ୍ଚାୟତର ମୋ ସେବା କେନ୍ଦ୍ରରେ ଏହି କାର୍ଯ୍ୟ ତ୍ବରାନ୍ବୀତ ହେଉଛି ।ବୈଠକରେ ଜନ ସାଧାରଣ କିଭଳି ନିଜ ନିଜ ମୋବାଇଲ ରେ ଦେୟମୁକ୍ତ ସେବା ନେଇ ଅପଡେସନ୍ କରିପାରିବେ ସେଥି ସକାଶେ ଏକ ଭିଡିଓ ପ୍ରଦର୍ଶନ କରାଯାଇ ସମସ୍ତ ବ୍ଲକ୍, ପଞ୍ଚାୟତରେ ଯୋଡି ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲ୍ଲାର ୩୬ ଲକ୍ଷ ଜନସାଧାରଣ ଥିବା ବେଳେ ତନ୍ମଧ୍ୟରୁ ୨୫ ଲକ୍ଷ ଲୋକଙ୍କ ଠାରେ ମୋବାଇଲ୍ ରହିଛି । ଆଧାର ଆପଡେସନ୍ ସକାଶେ ମୋବାଇଲ ନମ୍ବର ଜରୁରି । ଯେଉଁ ମାନଙ୍କର ମୋବାଇଲ ନମ୍ବର ବଦଳିଛି ସେମାନେ ଆଧାର କେନ୍ଦ୍ରକୁ ଯାଇ ନିଜର ମୋବାଇଲ ନମ୍ବର ସଂଯୋଗ କରି ଏହି ସେବା ଉପଲବ୍ଧ କରିପାରିବେ ।ଜନ ସାଧାରଣଙ୍କ ଅବଗତି ସକାଶେ ସଚେତନ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି । ଦୈନିକ କେତେ ଅପଡେସନ୍ କରାଯିବ ତାହାର ଲକ୍ଷ୍ୟଧାର୍ଯ୍ୟ କରାଯାଇ ପ୍ରତ୍ୟେକ ଦିନର ତଥ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷାମୁଣ୍ଡା, ଜିଲ୍ଲା ମହିଳା ଓ ଶିଶୁ ବିକାଶ ଅଧିକାରୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କଲ୍ୟାଣୀ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ବ୍ଲକ୍ ଶିକ୍ଷାଧିକାରୀ ସୀତାରାମ ପାତ୍ର, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ପ୍ରବନ୍ଧକ ଗୁରୁ ପ୍ରସାଦ ଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ