ଆନ୍ତକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭିଜନ-୨୦୨୪ ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା) :ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରତିଭାବାନ ଖେଳାଳି ଅନ୍ୱେଷଣ ପାଇଁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଜିଲାସ୍ତରୀୟ ଆନ୍ତକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭିଜନ-୨୦୨୪ । ଏହି ପରିପ୍ରେକ୍ଷୀରେ ଜିଲା କ୍ରୀଡ଼ା ସଂଘ ପକ୍ଷରୁ ଗତ ଡିସେମ୍ବର ୧୩ ତାରିଖରୁ ସ୍ଥାନୀୟ ପରମିଟ ପଡ଼ିଆରେ ଆରମ୍ଭ ହୋଇଥିଲା ଆନ୍ତ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଜିଲାର ବିଭିନ୍ନ ଅଞ୍ଚଳରୁ ଏଥିରେ ୧୦ ଗୋଟି ଦଳ ଅଂଶଗ୍ରହଣ କରି ମୋଟ ୨୧ଟି ମ୍ୟାଚ ଖେଳିଥିଲେ । ତେବେ ‘ୟୁ ଏଣ୍ଡ ମି କ୍ଲବ’ ଓ ‘ସମ୍ରାଟ କ୍ଲବ’ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ସମ୍ରାଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ ହରାଇ ୨୬୧ ରନ ସଂଗ୍ରହ କରିଥିଲା । ଜବାବରେ ୟୁ ଏଣ୍ଡ ମି ୪୫.୩ ଓଭରରେ ୬ ଉଇକେଟ ହରାଇ ୨୬୨ ରନ କରି ଚାମ୍ପିୟନ ଘୋଷିତ ହୋଇଥିଲା । ୟୁ ଏଣ୍ଡ ମିର ଖେଳାଳି ସବ୍ୟସାଚୀ ଆଚାର୍ଯ୍ୟ ‘ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ସମ୍ରାଟ କ୍ଲବର ନୌତ୍ତମ ଭଞ୍ଜ ‘ମ୍ୟାନ ଅଫ ଦି ସରିଜ’ ହୋଇଥିଲେ । ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଜିଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ରଙ୍କ ସମେତ ସୁଜୟ କୁମାର ଆଚାର୍ଯ୍ୟ, ଅମର କୁମାର ମହାନ୍ତି, ପଦ୍ମଲୋଚନ ଲେଙ୍କା, କାର୍ତ୍ତିକ ଚନ୍ଦ୍ର ନାୟକ, ତରୁଣ କୁମାର ଚାଟାର୍ଜୀ, ସଂଜୟ କୁମାର ଲେଙ୍କା, ସାଦିକ ଅଲି ଖାଁ, ସୁକାନ୍ତ କୁମାର ନାୟକ, ରବୀନ୍ଦ୍ର କୁମାର ସାହୁ, ନିମାଇ ଚରଣ ରାଉତ, ଜନ୍ମଜୟ ଦେ, ଜଗଦ୍ଦୀଶ ଚନ୍ଦ୍ର ବେହେରା ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇ ଚମ୍ପିୟନ ଦଳ ଓ ରନର୍ସ ଅପ ଦଳକୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ । କ୍ରିକେଟ କ୍ଷେତ୍ରରେ ଓଡ଼ିଶାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଓସିଏ ପକ୍ଷରୁ ଭିଜନ-୨୦୨୪ ଆରମ୍ଭ ହୋଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ଏହା ଏବେ ଦ୍ୱିତୀୟ ବର୍ଷରେ ପହଞ୍ôଚଛି । ୨୦୨୪ ପର୍ଯ୍ୟନ୍ତ ପ୍ରତିବର୍ଷ ଏହି ଭଳି ଟୁର୍ଣ୍ଣାମେଣ୍ଟ ଜାରି ରହିବ । ଏଥିରୁ ଶ୍ରେଷ୍ଠ କ୍ରିକେଟ ଖେଳାଳି ରାଜ୍ୟ ସ୍ତରୀୟ ଟିମକୁ ଚୟନ କରାଯିବ । ଏଥି ସହିତ ପ୍ରତ୍ୟେକ ଜିଲାର ଖେଳାଳିଙ୍କୁ ନେଇ ରାଜ୍ୟ କ୍ରିକେଟ ଏକେଡେମୀ ଜରିଆରେ ରାଜ୍ୟ ସ୍ତରରରେ ୮ରୁ ୧୮ ବର୍ଷ ମଧ୍ୟ କ୍ରିକେଟ ଖେଳାଳି ଚୟନ କରାଯିବ ବୋଲି ଜିଲା କ୍ରୀଡ଼ା ସଂଘର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।