ଆନ୍ଦୋଳନକାରୀଙ୍କୁ ମୁକ୍ତି ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗ୍ରାମପୁଞ୍ଜର ଜିନ୍ଦଲ ଇସ୍ପାତ ପ୍ରକଳ୍ପ ଅଞ୍ଚଳରୁ ପୋଲିସ୍ ପ୍ରତ୍ୟାହାର କରିବା, ଢିଙ୍କିଆ ଗ୍ରାମବାସୀଙ୍କୁ ପାନବରଜ ଭଙ୍ଗା ବିରୁଦ୍ଧରେ ସହଯୋଗର ହାତ ବଢାଇଥିବା ଆନ୍ଦୋଳନକାରୀ ଦେବେନ୍ଦ୍ର ସ୍ୱାଇଁ, ନରେନ୍ଦ୍ର ମହାନ୍ତି, ମୁରଲୀଧର ସାହୁ ପ୍ରମୁଖ ନେତାଙ୍କ ଉପରୁ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରି ସେମାନଙ୍କୁ ନିସର୍ତ୍ତରେ ଖଲାସ କରିବା, ଆହତ ଗ୍ରାମବାସୀମାନଙ୍କୁ ମାଗଣାରେ ଚିକିତ୍ସା କରିବା, ଗ୍ରାମବାସୀମାନଙ୍କ ମୌଳିକ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଜଣାଇ ଲୋକଙ୍କ ଉପରେ ବର୍ବର ଲାଠି ପ୍ରହାର କରିଥିବା ପୋଲିସ୍ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ସର୍ବୋପରି ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ପାଇଁ ଏକ ସର୍ବଦଳୀୟ କମିଟି ଗଠନ କରିବା ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ଏକ ୪ଜଣିଆ ପ୍ରତିନିଧି ଦଳ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ୍ କରି ଏକ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ସେମାନେ ୨୦୦୫ ମସିହା ପୋସ୍କୋ ପ୍ରକଳ୍ପ ବିରୋଧୀ ଆନ୍ଦୋଳନର ନେତା ଅଭୟ ସାହୁ ଓ ନାରୀନେତ୍ରୀ ମନୋରମା ଖଟୁଆଙ୍କ ସମେତ ଅନ୍ୟାନ୍ୟ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଥିବା ମକଦ୍ଦମାଗୁଡ଼ିକୁ ବିନା ସର୍ତ୍ତରେ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କ ପାଖରେ ଅନୁରୋଧ କରାଯାଇ ତାଙ୍କର ହସ୍ତକ୍ଷେପ ଲୋଡ଼ାଯାଇଛି । ଗତ ସପ୍ତାହରେ ଜଗତସିଂହପୁର ଏସ୍‌ପିଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଜିନ୍ଦଲ ମାଲିକଙ୍କ ଗୁଣ୍ଡ ସାଜି ସାଧାରଣ ଲୋକଙ୍କୁ ନାଲିଆଖି ଦେଖାଇ ଜୋର ଜବରଦସ୍ତ ତାଙ୍କର ୧୧୪୬ଟି ପାନବରଜ ଭାଙ୍ଗିବା ପାଇଁ ଯେଉଁଭଳି ଉଗ୍ରମୁଖା ହୋଇ ସାଧାରଣ ଲୋକଙ୍କୁ ଲାଠିମାରି ଲହୁଲୁହାଣ କଲେ, ତାହା ଗଣତାନ୍ତ୍ରିକ ଇତିହାସରେ ନିନ୍ଦନୀୟ ବୋଲି ଏହି ସ୍ମାରକପତ୍ରରେ ଦର୍ଶାଯାଇଛି । ମାନ୍ୟବର ରାଜ୍ୟପାଳ ଏ ଦିଗରେ ତୁରନ୍ତ ମୁଖ୍ୟ ଶାସନ ସଚିବ, ପୋଲିସ୍ ମହାନିର୍ଦ୍ଦେଶକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଡ଼କାଇ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି । ଆବଶ୍ୟକ ପଡ଼ିଲେ ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ ମାନବିକ ଅଧିକାରକର୍ମୀ ଓ ସର୍ବଦଳୀୟ ରାଜନୈତିକ ଦଳର ନେତୃମଣ୍ଡଳୀଙ୍କୁ ନେଇ ଏକ ନିରପେକ୍ଷ କମିଟି ଗଠନ କରି ଢିଙ୍କିଆ ଅଞ୍ଚଳରେ ପାନବରଜ ଭଙ୍ଗା, ଜିନ୍ଦଲ ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଓ ନାଗରିକ ଅଧିକାର କ୍ଷୁର୍ଣ୍ଣ ଉପରେ ଏକ ନିରପେକ୍ଷ ତଦନ୍ତ କିରବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଏହି ସ୍ମାରକପତ୍ରରେ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ସମାଜବାଦୀ ପାର୍ଟି ଶିଳ୍ପ ପ୍ରତିଷ୍ଠାର ବିରୋଧୀ ନୁହେଁ, କିନ୍ତୁ ମଣିଷର ଶବ ଉପରେ ଶିଳ୍ପ ପ୍ରତିଷ୍ଠାକୁ ଦଳ ବିରୋଧ କରେ । ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଆଧୁନିକ ଗଣତନ୍ତ୍ର ପାଇଁ କର୍ପୋରେଟ ସ୍ୱାର୍ଥରେ ଆଜି ବାଧକ ସାଜିଛି । ତେଣୁ ମାନ୍ୟବର ରାଜ୍ୟପାଳ ସାମ୍ବିଧାନିକ ମୁଖ୍ୟ ଭାବରେ ନାଗରିକ ଅଧିକାରକୁ ସୁରକ୍ଷା ଦେବାକୁ ଏହି ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି । ଏହି ଦଳରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ରାଜ୍ୟ ଯୁବ ଜନସଭା ସଭାପତି ସୁବ୍ରତ ଲେଙ୍କା ଓ ଯୁବନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଶ୍ରୀ ବେହେରାଙ୍କ ନେତୃତ୍ୱରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ