ଆନ୍ଧ୍ରରେ ତାଲା…… ଓଡିଶାରେ ଖୋଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ର୍ରସାଦ ପଣ୍ଡା) : ଆନ୍ଧ୍ର ପ୍ରଦେଶରେ ପୋଡା ପ୍ରଣାଳୀରେ ଚାଲିଥିବା ସମସ୍ତ କାଜୁ ଉତ୍ପାଦନ କେନ୍ଦ୍ରକୁ ଆନ୍ଧ୍ର ସରକାର କଡାକଡି ଭାବେ ବନ୍ଦ କରିଦେବାପରେ ଆନ୍ଧ୍ରସୀମାନ୍ତରେ ଥିବା ଓଡିଶାର ଗଜପତି ଜିଲ୍ଲାରେ ଛତୁ ଫୁଟିଲାପରି କାଜୁ ଉତ୍ପାଦନ କେନ୍ଦ୍ର ଖୋଲିବାରେ ଲାଗିଛି । ଏହି କେନ୍ଦ୍ର ଖୋଲିବା ପୂର୍ବରୁ ସମସ୍ତ ସରକାରୀ ନିତନିୟମକୁ ମାନବୁ ବୋଲି ଦର୍ଶାଇ କାଜୁ ଉତ୍ପାଦନ କେନ୍ଦ୍ର ଖୋଲୁଛନ୍ତି । ହେଲେ ଖୋଲିବାପରେ କୌଣସି ନୀତି ନିୟମକୁ ମାନୁନାହାନ୍ତି । ଯଦ୍ୱାରା କି ଦିନକୁ ଦିନ ପରିବେଶ ଦୂଷିତ ହେବାରେ ଲାଗିଛି । ଆନ୍ଧ୍ରରେ ତାଲା ଏବଂ ଓଡିଶାରେ ଏପରି କିପରି ଖୋଲା ଯାଉଛି ସେଥିନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ସ୍ମରଣ ଯୋଗ୍ୟ, ସରକାର ନିୟମ ଅନୁସାରେ କାଜୁ ଉତ୍ପାଦନ କେବଳ ସିଝା ପ୍ରଣାଳୀରେ ହୋଇପାରିବ । ହେଲେ ଏହାକୁ କେହି ମାନିବାକୁ ନାରାଜ । ଏଠାରେ ପ୍ରାୟ ସମସ୍ତ କାଜୁ ଉତ୍ପାଦନ କେନ୍ଦ୍ରରେ ପୋଡା ପ୍ରଣାଳୀରେ ହିଁ ଚାଲିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ପଡୋଶୀ ଆନ୍ଧ୍ର ପ୍ରଦେଶରେ ଏହି ନିୟମକୁ କଡାକଡିଭାବେ ପାଳନ କରାଯାଉଥିବା ଯୋଗୁଁ ସେଠାରେ ଗଢି ଉଠୁଥିବା କାଜୁ ଉତ୍ପାଦନ କେନ୍ଦ୍ର ଗୁଡିକରେ ତାଲା ପଡି ଯିବାରୁ ସେମାନେ ସବ ବର୍ତ୍ତମାନ ଓଡିଶାକୁ ଚାଲି ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସେମାନେ ନୂତନ ଭାବେ ନିଜ ନିଜର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ସିଝା ପ୍ରଣାଳୀ ଅପେକ୍ଷା ପୋଡା ପ୍ରଣାଳୀରେ ଅଧିକ ସହଜ ଓ କମ୍ ଖର୍ଚ୍ଚ ଏବଂ ଆଧିକା ଲାଭ ଯୋଗୁଁ ଅର୍ଥ ଲୋଭରେ ପୋଡା ପ୍ରଣାଳୀକୁ କାଜୁ ବ୍ୟବସାୟୀମାନେ ଆପଣେଇ ନେଉଛନ୍ତି । ଏହାଦ୍ୱାରା ପରିବେଶ ଦୂଷିତ ହେବା ସହ ଜନସାଧାରଣଙ୍କର ସ୍ୱସ୍ଥ୍ୟହାନୀ ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହିପରି କାଜୁ ଉତ୍ପାଦନ କେନ୍ଦ୍ରମାନଙ୍କରେ ପୋଡାଯାଉଥିବା ପ୍ରଣାଳୀ ଯୋଗୁଁ କେହି ହେଲେ ଗୁରତ୍ୱ ଦେଉନଥିବା ଯୋଗୁଁ ପ୍ରଶାସନ ମଧ୍ୟ ଏକ ପ୍ରକାର ଆଖି ବୁଜି ଦେଇଥିବା ଭଳି ମନେହେଉଛି । ଜିଲ୍ଲାର ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଥିବା ଗୋଷାଣି ଓ କାଶୀନଗର ବ୍ଲକର ବିଭିନ୍ନ ସ୍ଥାନରେ ଏପରି ଭାବେ ବହୁ କାଜୁ ଉତ୍ପାଦନ କେନ୍ଦ୍ର ଆନ୍ଧ୍ର ବ୍ୟବସାୟୀଙ୍କ ନିଜସ୍ୱ ଅର୍ଥ ଓ ପ୍ରତ୍ସାହନରେ ଏଠାକାର ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ କରାଯାଉଛି । ଏହା ସୀମାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ସରକାରୀ ନିୟମ ଉଲଂଘନ କାରୀ ବ୍ୟବସାୟୀଙ୍କୁ ଏହା ଖୁବ୍ ସୁହାଉଛି । ତେବେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ବିଶେଷ କରି କାଶୀନଗର ଓ ଗୋଷାଣି ବ୍ଲକ ଅଞ୍ଚଳରେ ଏଭଳି କାଜୁ ଉତ୍ପାଦନ କେନ୍ଦ୍ର ଚାଲୁ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ