ଆନ୍ନାଙ୍କ ଅନଶନ: ଆରମ୍ଭ ହେଲା ବହୁପ୍ରତୀକ୍ଷିତ ଲୋକପାଳଙ୍କ ସନ୍ଧାନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ସଂସଦରେ ଲୋକପାଳ ବିଲ ପାସ୍ ହେବାର ଅନେକ ବର୍ଷ ପରେ ମଧ୍ୟ ଏ ପର୍ଯ୍ୟନ୍ତ ଦେଶକୁ ଲୋକପାଳ ମିଳିପାରି ନାହିଁ। ନିକଟରେ ସମାଜସେବୀ ଆନ୍ନା ହଜାରେ ପୁଣି ଥରେ  ଲୋକପାଳ ନିଯୁକ୍ତିକୁ ନେଇ ଅନଶନ କରିଥିଲେ ଏବଂ ତାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଆଶ୍ଵାସନା ଦେଇ ଅନଶନରୁ ଓହରିବା ପାଇଁ ମନାଇବାରେ ସଫଳ ହୋଇଛନ୍ତି। ଫଡନବିସଙ୍କ ପକ୍ଷରୁ ଆନ୍ନାଙ୍କୁ ଆଶ୍ଵାସନା ଦିଆଯାଇଛି ଯେ ଖୁବ୍ ଶୀଘ୍ର ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି କରାଯିବ। ଏହି ପରିପ୍ରେକ୍ଷୀରେ ଏବେ ଲୋକପାଳ ସନ୍ଧାନ ଆରମ୍ଭ ହୋଇ ଯାଇଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟର ବର୍ତ୍ତମାନ କିମ୍ବା ଅବସରପ୍ରାପ୍ତ ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟର କୌଣସି ବର୍ତ୍ତମାନ କିମ୍ବା ଅବସରପ୍ରାପ୍ତ ବିଚାରପତି କିମ୍ବା ଭ୍ରଷ୍ଟାଚାର ବିରୋଧୀ ନୀତି, ଲୋକ ପ୍ରଶାସନ, ଭିଜିଲାନ୍ସ, ବିତ୍ତ ଓ କାନୁନ ଏବଂ ପ୍ରବନ୍ଧନରେ ଅତି କମରେ ୨୫ ବର୍ଷର ନିଷ୍କଳଙ୍କ ରେକର୍ଡ ରଖିଥିବା କୌଣସି ବ୍ୟକ୍ତି ଲୋକପାଳ ପଦରେ  ବସିବାକୁ ଯୋଗ୍ୟ।

ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ହେଲେ ଚୟନ ସମିତିର ଅଧ୍ୟକ୍ଷ

ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଲୋକପାଳ ପଦ ପାଇଁ ପ୍ରାର୍ଥୀଙ୍କ ସନ୍ଧାନ ଶେଷରେ ଆରମ୍ଭ ହୋଇ ଯାଇଛି, ଯାହା ବହୁତ ବର୍ଷ ଧରି ପଡ଼ି ରହିଥିଲା। ଚୟନ ସମିତିର ଅଧ୍ୟକ୍ଷ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କୁ କରାଯାଇଛି। ଲୋକପାଳର ନାୟିକ ସଦସ୍ୟ ହେବା ପାଇଁ ଆବେଦକଙ୍କୁ ସୁପ୍ରିମକୋର୍ଟର ବର୍ତ୍ତମାନ କିମ୍ବା ପୂର୍ବତନ ପ୍ରଧାନ ବିଚାରପତି କିମ୍ବା କୌଣସି କୋର୍ଟର ବର୍ତ୍ତମାନ କିମ୍ବା ପୂର୍ବତନ ମୁଖ୍ୟ ବିଚାରପତି ହୋଇଥିବା ଉଚିତ୍। ଅନ୍ୟ ପଟେ ଅଣ ନ୍ୟାୟିକ ସଦସ୍ୟ ହେବା ପାଇଁ ଭ୍ରାଷ୍ଟାଚାର ନିରୋଧୀ ସମ୍ବନ୍ଧିତ କ୍ଷେତ୍ରରେ ୨୫ ବର୍ଷର ଅଭିଜ୍ଞତା ରଖିଥିବା ଆବଶ୍ୟକ। ଏହି ସବୁ ନିୟମ ଲୋକପାଳ ଅଧିନିୟମ ମୁତାବକ ନିର୍ଦ୍ଧାରିତ କରାଯାଇଛି।

ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷ

ଅଧ୍ୟକ୍ଷ ପଦ ପାଇଁ ଆବେଦକ କୌଣସି ନିର୍ବାଚିତ ପ୍ରତିନିଧି କିମ୍ବା କୌଣସି ବି ବ୍ୟବସାୟ କରୁଥିବା କିମ୍ବା କୌଣସି କ୍ଷେତ୍ରରୁ ହୋଇନଥିବେ।  ଏହା ବ୍ୟତୀତ ପ୍ରାର୍ଥୀ କୌଣସି ଟ୍ରଷ୍ଟ କିମ୍ବା ଲାଭ ଜନକ ପଦରେ ନଥିବେ। ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ ଏବଂ ତାଙ୍କ ବେତନ ମୁଖ୍ୟ ବିଚାରପତିଙ୍କ ସହ ସମାନ ରହିବ। ଅଧ୍ୟକ୍ଷ ହେବା ପରେ  ଉକ୍ତ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦ ପ୍ରାପ୍ତ କରିବାର  ଅନୁମତି ମିଳିବ ନାହିଁ। ଏହା ସହିତ ସେ କୌଣସି ପ୍ରକାର ଲାଭଜନକ ପଦରେ ନିଯୁକ୍ତ ହୋଇ ପାରିବେ ନାହିଁ। ଏହା ବ୍ୟତୀତ ଲୋକପାଳର ଅଧ୍ୟକ୍ଷ ପଦ ଛାଡିବା ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଂସଦ କିମ୍ବା  ରାଜ୍ୟ ବିଧାନସଭା ନିର୍ବାଚନ ଲଢି ପାରିବେ ନାହିଁ। ଏହି ପଦ ପାଇଁ ସର୍ବନିମ୍ନ ବୟସ ସୀମା ୪୫ ବର୍ଷ ରହିଛି। ଚୟନ ପରେ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ପାଞ୍ଚ ବର୍ଷ ଅଥବା  ୭୦ ବର୍ଷର ଆୟୁ ପୂରା କରିବା ପର୍ଯ୍ୟନ୍ତ ଲୋକପାଳରେ ରହି ପାରିବେ।

ଜାନୁଆରୀରେ ହୋଇଥିଲା ଚୟନ ସମିତି ବୈଠକ

ଭ୍ରଷ୍ଟାଚାର ବିରୋଧୀ କାର୍ଯ୍ୟକର୍ତ୍ତା ଅାନ୍ନା ହଜାରେ ଲୋକପାଳ ନିଯୁକ୍ତିରେ ବିଳମ୍ବ ହେଉଥିବା ବିରୋଧରେ ଆନ୍ଦୋଳନର ଆଉ ଏକ ଅଭିଯାନ  ଅାରମ୍ଭ କରିଥିଲେ। ଏହା ପରେ ଲୋକପାଳ ପାଇଁ ବିଜ୍ଞାପନ ଜାରି କରାଯାଇଥିଲା।  ସେ ନିଜର ଆନ୍ଦୋଳନ ଲୋକପାଳ ଗଠନ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ଯାଇ ଶେଷ କରିଛନ୍ତି। ଏହି ମହତ୍ଵପୂର୍ଣ୍ଣ ସମ୍ମାନଜନକ ପଦ ପାଇଁ ବହୁତ ଆଲୋଚନା ପରେ ଲୋକସଭା ନିର୍ବାଚନ ଠିକ ପୂର୍ବରୁ ଆବେଦନ ଆମନ୍ତ୍ରିତ କରାଯାଉଛି।

ଚୟନ ସମିତିରେ ଅଛନ୍ତି ଏହି ବ୍ୟକ୍ତିତ୍ଵ

ନଅ ସଦସ୍ୟ ବିଶିଷ୍ଟ ଲୋକପାଳ ଚୟନ ସମିତିର ପ୍ରଥମ ବୈଠକ ଏହାର ଗଠନର ଚାରି ମାସ ପୂର୍ବେ ହୋଇଥିଲା।  ସମିତିରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ, ପ୍ରସାର ଭାରତୀର ଅଧ୍ୟକ୍ଷ ଏ. ସୁର୍ଯ୍ୟ ପ୍ରକାଶ ଓ ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ)ର ପ୍ରମୁଖ ଏ.ଏସ. କିରଣ କୁମାର ସଦସ୍ୟ ରୂପେ ସାମିଲ ଅଛନ୍ତି।

ନିୟମ ମୁତାବକ  ଲୋକପାଳ କମିଟିରେ ଜଣେ ଅଧ୍ୟକ୍ଷ ବ୍ୟତୀତ ଆଠ ଜଣ ସଦସ୍ୟ ରହିବାର ପ୍ରାବଧାନ ରହିଛି। ଏଥିରୁ ଚାରି ଜଣ ନ୍ୟାୟିକ ସଦସ୍ୟ ହେବା ଉଚିତ୍। ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଲୋକପାଳ ଅନୁସୂଚିତ ଜାତି, ଜନଜାତି, ଅନ୍ୟ ପଛୁଆ ବର୍ଗ, ଅଳ୍ପସଂଖ୍ୟକ ସମୁଦାୟ ଓ ମହିଳାଙ୍କ ସଂଖ୍ୟା ୫୦ ପ୍ରତିଶତରୁ କମ ହେବା ଉଚିତ୍ ନୁହଁ। ଚୟନ ପରେ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ପାଞ୍ଚ ବର୍ଷ ଅଥବା  ୭୦ ବର୍ଷର ଆୟୁ ପୂରା କରିବା ପର୍ଯ୍ୟନ୍ତ ଲୋକପାଳରେ ରହି ପାରିବେ। ଅଧ୍ୟକ୍ଷ ପଦ ଏବଂ ଅନ୍ୟ ସଦସ୍ୟ ପଦ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ଫେବୃଆରୀ ୨୨ ରହିଛି। ବିଜ୍ଞାପନ ଗତ ମାସର ଅନ୍ତିମ ତାରିଖରେ ଆଠ ସଦସ୍ୟ ବିଶିଷ୍ଟ ଲୋକପାଳ ଚୟନ ସମିତିର ବୈଠକ ପରେ ଜାରି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ