ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ ନେଇ ଲୋକାୟୁକ୍ତରେ ମାମଲା
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯିବା ନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ନେଇ ଏଲ.ୱାଇ – ୧୧୮୩/୨୦୨୦ରେ ଲୋକାୟୁକ୍ତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ପଞ୍ଚାୟତର ସାନବେତରା ଗ୍ରାମର ସତ୍ୟାନନ୍ଦ ନାୟକ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ମଧୁଶାସନ ପଞ୍ଚାୟତ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦ୍ଦେଶ ପ୍ରଦାନ ପାଇଁ ଏକ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇଛି । ସେହି ହିତାଧିକାରୀ ତାଲିକାରେ ସରକାରୀ ନିୟମକୁ ସଂପୂର୍ଣ୍ଣ ଉପେକ୍ଷା କରାଯାଇ କୋଠାଘର, ବହୁତଳ ପ୍ରାସାଦ ଥିବା ଏବଂ ଧନି ଲୋକଙ୍କ ଭଳି ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରାଯାଇଛି । ଲୋକାୟୁକ୍ତ ଏହି ଅଭିଯୋଗ ଉପରେ ଗରଦପୁର ବ୍ଲକର ବିଡିଓ, ମଧୁଶାସନ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନୋଟିସ ପ୍ରଦାନ କରିବା ସହ ଆସନ୍ତା ସେପ୍ଟେମ୍ବରମାସ ୧୪ତାରିଖ ସୁଦ୍ଧା ଲୋକାୟୁକ୍ତଙ୍କ ନିକଟରେ ସେମାନଙ୍କର ଉତ୍ତର ରଖିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏହି ନୋଟିସ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ପ୍ରାପ୍ତ ହେବା ପରେ ଆବାସ ଯୋଜନାର ପ୍ରକୃତ ଜାଲିଆତି ଲୋକଲୋଚନକୁ ଆସିଯିବା ଭୟରେ ସେ କେତେକ ଅସାମାଜିକ ଯୁବକଙ୍କୁ ହାତବାରିସି କରି ଏସମ୍ପର୍କରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିବା ଶ୍ରୀ ନାୟକଙ୍କୁ ଧମକଚମକ ଦେଉଥିବା ସହ ଆକ୍ରମଣ କରିବା ଓ ଅସୁବିଧାରେ ପକାଇବାକୁ ଷଡଯନ୍ତ୍ର ଚଳାଇଥିବା ଶ୍ରୀ ନାୟକ ପାଟକୁରା ଥାନା ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଶ୍ରୀ ନାୟକଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ସେ ଦାବି କରିଛନ୍ତି ।