ଆଭ୍ୟନ୍ତରରେ ବଢିବ ବର୍ଷା : ଆଇଏମ୍ଡି ଡିଜି
୧୭ରୁ ପୁଣି ବର୍ଷା ସମ୍ଭାବନା
ଭୁବନେଶ୍ୱର, (ୱାଇଏନ୍ଏସ୍): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ସୋମବାର ସକାଳେ ଚାନ୍ଦବାଲି ଦେଇ ଅତିକ୍ରମ କରିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ତେବେ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା କମିବା ସହ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏଥିସହ ଆସନ୍ତା୧୭ ସୁଦ୍ଧା ଉତର ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି । ଏହା ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରି ୧୮ ତାରିଖ ସକାଳ ପାଖାପାଖି ଉତର ଓଡ଼ିଶା ଉପକୂଳରେ ପହଂଚିବ । ତେଣୁ ଏହାର ପ୍ରଭାବରେ ୧୭ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ । ତେବେ ଅଧିକ ପରିମାଣରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।ସୋମବାର ସଂଧ୍ୟା ସୁଦ୍ଧା ତାଳଚେରରେ ସର୍ବାଧିକ ୧୬୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି କଟକରେ ୯୪ ମିମି , ବୌଦ୍ଧରୁ ୯୦ ମିମି , ଅନୁଗୁଳରୁ ୭୪ ମିମି , ସୁବର୍ଣ୍ଣପୁରରୁ ୬୮ ମିମି , ଦାରିଙ୍ଗିବାଡିରରେ ୪୦ ମିମି , ନୟାଗଡ ଓ ବଲାଙ୍ଗୀରରେ ୩୫ ମିମି, ଭବାନୀପାଟଣାରେ ୩୪ ମିମି , ଭୁବନେଶ୍ୱରରେ ୩୨.୧ ମିମି , ସମ୍ବଲପୁରରେ ୨୫ ମିମି ବର୍ଷା ରେକର୍ଡ ହୋଇଛି । ଶ୍ରୀ ମହାପାତ୍ର କହିଛନ୍ତି, ଗଭୀର ଅବପାତଟି ଆଜି ସକାଳେ ଚାନ୍ଦବାଲିର ଦକ୍ଷିଣକୁ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଚାନ୍ଦବାଲି ପାଖରୁ ପ୍ରାୟ ୩୦ କିମି ଦୂରରେ ଓ କେନ୍ଦୁଝରରୁ ପ୍ରାୟ ୧୦୦ କିମି ଦକ୍ଷିଣ-ପୂର୍ବ ଦିଗରେ ଏହା ଉପକୂଳ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଅଛି । ଏହାର ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସେ କହିଛନ୍ତି, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ବରଗଡ଼ ଓ ଅନୁଗୋଳ ଆଦି ଜିଲ୍ଲାରେ ଆଜି ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ଗଭୀର ଅବପାତଟି ଆସନ୍ତା ୨୪ ଘଂଟା ମଧ୍ୟରେ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସକାଳ ବେଳକୁ ଉତର ଛତିଶଗଡ଼ ଉପରେ କେନ୍ଦ୍ରୀଭୂତ ହେବ ଏବଂ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଆସନ୍ତାକାଲି ଓଡ଼ିଶାରେ ବର୍ଷାର ପରିମାଣ କମିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।