‘ଆଭ୍ରେଜ୍ କହି ରିଜେକ୍ଟ କରି ଦେଉଥିଲେ ନିର୍ଦ୍ଦେଶକ’
ମୁମ୍ବାଇ : ମାୟାନଗରୀ ମୁମ୍ବାଇରେ ଆସିବା ପରଠାରୁ ସିଲ୍ଭର ସ୍କ୍ରୀନ୍ ପର୍ଯ୍ୟନ୍ତର ଯାତ୍ରା ସେତେ ସହଜ ନୁହେଁ, ଯେତିକି ଆମେ ଚିନ୍ତା କରିଥାଉ । ବଲିଉଡରେ ପ୍ରବେଶ କରିବା ଲାଗି ବହୁ କଠିନ ପରିସ୍ଥିତି ଦେଇ ସଫଳତା ମିଳିଥାଏ ତାହା ରାକୁଲ ପ୍ରୀତ୍ଙ୍କ ଷ୍ଟଗଲ୍ ଲାଇଫ୍ରୁ ଜଣାପଡ଼େ । ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’ରେ ମୁଖ୍ୟ ଭୂମିକା ନିଭାଇଥିବା ବଲିଉଡ୍ ଅଭିନେତ୍ରୀ ରାକୁଲ ପ୍ରୀତ୍ ବର୍ତ୍ତମାନର ଜଣେ ଚର୍ଚ୍ଚିତ ଚେହେରା ମଧ୍ୟରୁ ଗୋଟିଏ । କିନ୍ତୁ ସେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବହୁ କଠିନ ପରିସ୍ଥିତି ଦେଇ ଗତି କରିଥିବା ସାକ୍ଷାତ୍କାରରେ ମିଡ଼ିଆକୁ କହିଛନ୍ତି । ପ୍ରାରମ୍ଭରେ ବହୁ ନିର୍ମାତା ଏବଂ କାଷ୍ଟିଂ ଡାଇରେକ୍ଟର ତାଙ୍କୁ ନେଇ ଖରାପ ଟିପ୍ପଣୀ ଦେଇ ରିଜେକ୍ଟ କରିଦେଉଥିବା ସେ କହିଛନ୍ତି । ଏଭଳିକି ଜଣେ କେହି ତାଙ୍କୁ କହିଥିଲେ ଯେ, ତୁମେ ଦେଖିବାକୁ ସୁନ୍ଦର ଅଛ, କିନ୍ତୁ ତୁମ ଚେହେରା ଆଭେରେଜ୍ ଥିବା ମଧ୍ୟ କହିବାକୁ ପଛାଇନଥିଲେ । ରାକୁଲ ନିଜ ସହିତ ହୋଇଥିବା ଏହି ବଡି ସେମିଂ ଏକ୍ସପିରିୟନ୍ସକୁ ନେଇ ମନଖୋଲି ମିଡ଼ିଆ ସାମ୍ନାରେ ପ୍ରକାଶ କରିଥିଲେ । ସେ ଏଭଳି କମେଣ୍ଟରେ କେବେ ହେଲେ ବିଚଳିତ ହୋଇନାହାନ୍ତି । ସେ କୁହନ୍ତି, “ଠିକ୍ ଅଛି, ଜଣକୁ ମୁଁ ପସନ୍ଦ ନ ଆସିପାରେ । କିନ୍ତୁ ମୁଁ ନିଜକୁ ବହୁତ ପସନ୍ଦ କରେ ଏବଂ ଭଲ ପାଏ ମଧ୍ୟ । ତାହା ହିଁ ମୋ ପାଇଁ ଗର୍ବର କଥା।” ଦକ୍ଷିଣ-ଭାରତୀୟ ଫିଲ୍ମରେ ନିଜର ନାଆ କମାଇସାରିଥିବା ରାକୁଲ ଦିବ୍ୟା ଖୋସ୍ଲା କୁମାରଙ୍କ ନିଦେ୍ର୍ଦଶନାରେ ନିର୍ମିତ ‘ୟାରିଆଁ’ ଫିଲ୍ମ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ । ଏହା ପରେ ସେ କେବେ ହେଲେ ପଛକୁ ଚାହିଁନାହାନ୍ତି । ଏଯାବତ୍ ସେ ‘ଦେ ଦେ ପ୍ୟାର୍ ଦେ’, ‘ମରଜାୱା’ ଭଳି ଫିଲ୍ମରେ କାମ କରିସାରିଲେଣି । ରାକୁଲଙ୍କ ହାତରେ ବର୍ତ୍ତମାନ କାଶ୍ଭୀ ନାୟାରଙ୍କ ଆଗାମୀ ଫିଲ୍ମର ଅଫର୍ ରହିଛି ।