‘ଆମର ଦରକାର ଚାଷୀ ସରକାର’
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ କଷ୍ଟୋପଲବ୍ଧ ସଂଗ୍ରାମ କରି ଦେଶକୁ ସ୍ୱାଧୀନ କରିଥିଲେ ଆଜିର ନେତାମାନେ ତାର କଡ଼ାକର ମୂଲ୍ୟ ରଖିନାହାଁନ୍ତି । ନିର୍ବାଚିତ ପ୍ରତିନିଧିମାନେ ଯେଉଁଥିପାଇଁ ନିର୍ବାଚିତ ହେଉଛନ୍ତି ସେମାନେ ସେ ଦାୟିତ୍ୱ ନିର୍ବାହ କରୁନାହାଁନ୍ତି । ଅମଲାତନ୍ତ୍ରର କାମ ହେଉଛି ଗରିବୀ ଲୋକଙ୍କ ରକ୍ତର ଟିକସରେ ଦରମା ନେଇ ପୁଣି ସେମାନଙ୍କୁ ଶୋଷଣ କରିବା । ଏହି ଅତ୍ୟାଚାରର ସବୁଠି ବେଶି ଶୋଷଣର ଶିକାର ହେଉଛନ୍ତି ଚାଷୀ । ସ୍ୱାଧୀନତାର ୭୫ ବର୍ଷ ପରେ ୭୫ ଭାଗ ଚାଷୀ ଶୋଷଣର ଶିକାର ହେଉଛନ୍ତି । ସରକାରୀ କର୍ମଚାରୀ ଓ ନେତା ଦେଶର ସମ୍ପତ୍ତିର ସବୁ ସରପୁଳି ଖାଇ ଘିଅମହୁରେ ଭାସିଲା ବେଳେ ଚାଷୀଟି ଚାଷରେ କ୍ଷତି ସହି ଆତ୍ମହତ୍ୟା କରୁଛି । ଚାଷୀ ଆତ୍ମହତ୍ୟା କଲା ପରେ ନେତା କହୁଛନ୍ତି ଏହା ଚାଷଜନିତ ଘରୋଇ କଳି । ବ୍ରିଟିଶ ଶାସନରେ ବନ୍ୟା, ବାତ୍ୟା ବିତ୍ପାତରେ ଯେଭଳି ଏହା ବିରୁଦ୍ଧରେ ମିଛ ରିପୋର୍ଟ ଦିଆଯାଉଥିଲା, ଆଜି ସମାନ ଢାଞ୍ଚାରେ ସେଭଳି ହେଉଛି । ଗଲାକାଲିର ଅତ୍ୟାଚାରୀ ବିଦେଶୀ ଶାସନ ଆଉ ଦେଶୀ ଶାସନ ଭିତରେ କ’ଣ ଫରକ ଅନୁଭବ କରୁଛନ୍ତି ବୋଲି ଉଦ୍ଯାପନୀ ସମାବେଶରେ ଚାଷୀଙ୍କୁ ପ୍ରଶ୍ନ କରିଥିଲେ ଅକ୍ଷୟ କୁମାର । ନେତା, ଅମଲାଙ୍କ ଦ୍ୱାରା ଉତ୍ପୀଡ଼ନ ବ୍ୟବସ୍ଥାକୁ ଉପାଡ଼ି ଫିଙ୍ଗିଦେବାକୁ ଚାଷୀମାନଙ୍କୁ ଆହ୍ୱାନ କରି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ, ଭୋଟ କି ଚୋଟର ପରୀକ୍ଷା ଆମେ ଧାମନଗରରେ କରିଥିଲୁ । ଏଥର ସାରା ଓଡ଼ିଶାରେ ଭୋଟ କି ଚୋଟର ପରୀକ୍ଷା ହେବ । ତମାମ ଓଡ଼ିଶାର ଚାଷୀ, ଛାତ୍ର, ଯୁବକ, ମହିଳାଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ହେବ ଆଜି ଆମର ଏ ସ୍ଥିତି କାହିଁକି? କାହିଁକି ଆମେ ବିଶାଳ ଅମଲାତନ୍ତ୍ର ଓ ମାଳ ମାଳ ନେତାଙ୍କୁ ମୋଟା ଦରମା ଦେଇ ପୋଷିଲା ପରେ ଆମ ସ୍ଥିତି ସୁଧୁରିନାହିଁ । ଏଥର ଭୋଟ କେନ୍ଦ୍ରକୁ ଯିବା ପୂର୍ବରୁ ହିସାବ ହେବ ଯେଉଁମାନଙ୍କୁ ଶୋଷଣ ଓ ଉପେକ୍ଷା କରି ଚାଷୀକୂଳକୁ ରସାତଳଗାମୀ କରିଛନ୍ତି, ସେମାନଙ୍କୁ କ୍ଷମତାର ଚୌକିରୁ ଅପସାରଣ କରାଯିବ । ଆଉ ବେଶି ଲମ୍ବାଦିନ ଚାଷୀ ବିରୋଧୀଙ୍କୁ କ୍ଷମତାର ଚୌକିରେ ବସାଇ ଦେବୁନାହିଁ । ୧୫ ଦିନ ଧରି ସାରା ଓଡ଼ିଶାରେ ଆମର ଦରକାର ଚାଷୀ ସରକାର ଅଭିଯାନ ଚଳାଇଥିବା ଚାଷୀନେତା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରି ଏ ବକ୍ତବ୍ୟ ରଖିଛନ୍ତି ଅକ୍ଷୟ କୁମାର । ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ଭାଷଣରେ କହିଲେ ଯେ, ଦେଶର ଲାଠି ଖୋଳି ବନ୍ଧୁକ ଶକ୍ତି ଠାରୁ ଜଣେ ଭଗତ ସିଂ ଉଦାମ ସିଂର ପ୍ରେରଣାଦାୟୀ ଆତ୍ମା ବେଶି ବଳିୟାନ । ଆମକୁ ସ୍ୱାଧୀନ ଭାରତର ନୂଆ ଡ଼ାୟାର ମାନଙ୍କ ବିରୁଦ୍ଧରେ ଯୁବଛାତ୍ର ସମାଜକୁ ଜାଗ୍ରତ କରିବାକୁ ପଡ଼ିବ । ସ୍ୱାଧୀନ ଭାରତରେ ଓଡ଼ିଶା ମାଟିରେ ବ୍ୟବସ୍ଥା ପରିବତ୍ତର୍ନର ଲଢେଇ ପାଇଁ ଆମକୁ ଯୁବ, ଛାତ୍ର କୃଷକ ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ବୁଝାଇବାକୁ ପଡ଼ିବ ଯେ, ଆମ ସ୍ୱାଧୀନତା, ଆମ ସମ୍ପଦ ଆମ ଲୋକଙ୍କ ଦ୍ୱାରା ଭୁଲୁଣ୍ଠିତ । ଏହି ଶୋଷଣ ବ୍ୟବସ୍ଥା ସମାପ୍ତ ପାଇଁ ୭୦ଭାଗକୁ ଏକାଠି ହେବାକୁ ପଡ଼ିବ । ଉଚ୍ଚ ନ୍ୟାୟାଳୟର ଅଧିବକ୍ତା କ୍ଷୀରୋଦ ରାଉତ କହିଥିଲେ ଯେ, ଯେଉଁମାନେ ସାମ୍ବିଧାନିକ ବିଧିବ୍ୟବସ୍ଥାର ରକ୍ଷକ ସେମାନେ ଆଇନର ଗଳିବାଟ ଦେଇ ଲୋକଙ୍କୁ ବର୍ଗୀ ମରହଟ୍ଟା ପରି ଲୁଣ୍ଠନ କରୁଛନ୍ତି । କେବଳ ଲୋକେ ସଂଗଠିତ ହୋଇ ସଶକ୍ତ ପ୍ରତିବାଦ କରି ଏମାନଙ୍କୁ ନିର୍ବାଚନରେ ପରାସ୍ତ କଲେ ଶାସକବର୍ଗ ଭିତରେ ଭୟ ସୃଷ୍ଟି ହେବ । ସୂଚନା ଅଧିକାର ଆନ୍ଦୋଳନ ଆବାହକ ପ୍ରଦୀପ ପ୍ରଧାନ କହିଥିଲେ ଯେ, କେବଳ ଡଙ୍କାରୀ ପାହାଡ଼ କିମ୍ବା ଓମ୍ଫେଡ଼ ନୁହେଁ, ଓଡ଼ିଶା ସରକାରଙ୍କ ପ୍ରତିଟି ଅଙ୍ଗ ଦୁର୍ନୀତିରେ ନାକ ପର୍ଯ୍ୟନ୍ତ ବୁଡ଼ିଛନ୍ତି । ବିଶାଳ ଖଣି ଦୁର୍ନୀତି ପଛରେ ଇଡି, ସିବିଆଇ କେରାଣ୍ଡି ଧରି ଦୁର୍ନୀତି ବିରୋଧି ଅଭିଯାନ ଚଳାଇଛନ୍ତି ବୋଲି ବାହାଦୂର ମାରୁଛନ୍ତି । ପୂର୍ବତନ ସାଂସଦ ତଥା ବିଧାୟକ ରାମଚନ୍ଦ୍ର ହାଁସଦା ରାଜ୍ୟ ସରକାରଙ୍କ ଅପାରଗତାକୁ ସମାଲୋଚନା କରି ନବୀନ ଓ ବିଜେଡ଼ି ଓଡ଼ିଶାବାସୀଙ୍କ ବିକଶିତ ସ୍ୱପ୍ନକୁ ଧୂଳିସାତ କରିଛନ୍ତି ବୋଲି କହିଥିଲେ । ସମାଜ ବିଜ୍ଞାନୀ ରଣଜିତ ପଟ୍ଟନାୟକ କହିଲେ ଯେ, ଓଡ଼ିଶାର ଅପାର ସମ୍ଭାବନାକୁ ଯେଉଁମାନେ ନଷ୍ଟ କରି ଓଡ଼ିଆଙ୍କୁ ଗରିବ ଓ ଦାଦନ କରିଛନ୍ତି, ଯଦି ଜନାକ୍ରୋଶ ସୃଷ୍ଟି କରାଯାଇ ସେମାନଙ୍କୁ କ୍ଷମତାରୁ ବହିଷ୍କାର କରନାଯାଏ, ତେବେ ଉତ୍ତରପିଢି ଆମକୁ କ୍ଷମା ଦେବ ନାହିଁ । ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ ଓ ରଶ୍ମୀରଞ୍ଜନ ସ୍ୱାଇଁ କହିଥିଲେ ଯେ, ତୃଣମୂଳସ୍ତରରେ ଚାଷୀ ସରକାର ପ୍ରତିଷ୍ଠା ପାଇଁ ଯେଉଁ ଅଭିଯାନ ଚାଲିଛି ତାହାକୁ ତେଜିୟାନ କରାଯିବ । ଏଥର ଛତିଶଗଡ଼, ଆନ୍ଧ୍ର ପରି ଓଡ଼ିଶାର ଚାଷୀମାନେ କ୍ଷମତା ରାଜନୀତିରେ ବଡ଼ ଧରଣର ଓଲଟପାଲଟ କରିବେ । ଯୁବଛାତ୍ର ସଂଗଠନର ମନୱାର ଅଲ୍ଲୀ କହିଥିଲେ ଯେ, ଓଡ଼ିଶାର ଯୁବକମାନଙ୍କ ଉପରେ ଯେଉଁ ଗୁରୁଦାୟିତ୍ୱ ପଡ଼ିିଛି ତାହା ସେମାନଙ୍କୁ ନିଶ୍ଚୟ ନିର୍ବାହ କରିବାକୁ ପଡ଼ିବ । ଅନ୍ୟମାନଙ୍କ ମଧ୍ୟରେ ଡ. କୁଳମଣି, ରାଜେନ୍ଦ୍ର ମିଶ୍ର, ସୁରେଶ ମାନସିଂହ, ଦୀନେଶ ଦାସ, ରଣଜିତ ପଟ୍ଟନାୟକ, ଅଶ୍ୱିନୀ ଜେନା, ଭରତ ଚନ୍ଦ୍ର ସ୍ୱାଇଁ ଓ ନିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।