ଆମର ମଡେଲ୍ କ’ଣ ଏ ମାଗିଖିଆ ସରକାର

ମୁକ୍ତି ସଂଗ୍ରାମର ମନ୍ତ୍ରଦାତା ମହାତ୍ମା ଗାନ୍ଧୀଙ୍କର ମାତ୍ର ୪ଟି ଶଦ୍ଦର ଗୋଟିଏ ସ୍ଲୋଗାନ୍ ଦିନେ ଦେଶବାସୀଙ୍କୁ ଦୋହଲାଇ ଦେଇଥିଲା କୁଟିଖାଅ – କାଟିପିନ୍ଧ । ଏବେ ଏ ଦୁର୍ଗତଦେଶ ଆଉ ରବିନ୍ଦ୍ରନାଥଙ୍କର ଦୁର୍ଭାଗାଦେଶ ନୁହେଁ ବଂର ସ୍ୱାଧୀନଦେଶର କ୍ଷମତାସିଂହାସନ ଅକ୍ତିଆର କରିଥିବାବେଳେ ନ୍ୟସ୍ତସ୍ୱାର୍ଥ ଅମଣିଷମାନଙ୍କର ଜୁଲମରେ ଅଶାନ୍ତ ଅସ୍ଥିର । ସ୍ୱାଧୀନତା ପ୍ରକୃତରେ କେବଳ ମରିଚୀକା । ଯେଉଁଠୁ ଶୋଷିତପାଇଁ ବୁନ୍ଦେ ଜଳ ଘରେନାହିଁ କିମ୍ବା କ୍ଷୁଧାର୍ତ ପାଇଁ ମୁଠାଏ ଦାନା ମିଳେନାହିଁ – ଅଥଚ ଦିନେ ଦି’ଦିନ ପରି ଯଦି ଗୋଟାଏ ପ୍ରାକୃତିକ ବିପର୍ଯ୍ୟୟ ଆମ ମୁଣ୍ଡଉପରେ ଟିଣାପିଟି ଉଡିଗଲା, ତା’ହେଲେ ସେଇ ବିପର୍ଯ୍ୟୟକୁ ସୁବର୍ଣ୍ଣସୁଯୋଗ ମନେକରି ଆମ ଆଂଚଳିକ ଶାସନମୁଖ୍ୟମାନେ କେନ୍ଦ୍ରଆଡକୁ ଅଙ୍ଗୁଠି ଦେଖାଇ ତଲବ କରନ୍ତି – ହଜାରହଜାର କୋଟିଟଙ୍କାର ଅନୁଦାନ ଆସେ ଦି’ହଜାର କୋଟିଟଙ୍କାର ସହାୟତା, କିନ୍ତୁ ସେ ସହାୟତା ପରେ ବି ଆଂଚଳିକ ଶାସନମୁଖ୍ୟମାନେ କହନ୍ତି – ଆହୁରିଦିଅ – ଆହୁରିଦିଅ । ପ୍ରକୃତରେ କେହି କ’ଣ ଅସଲ ହିସାବ ଫରଦ କେବେହେଲେ ଲେଉଟାନ୍ତି । ଆମର ଉପରମୁହାଁ ରାଜନୈତିକ ମାତବରମାନେ ହେଲିକେପ୍ଟରର ଖିଡିକିବାଟେ ତଳବାଲାଙ୍କ ନାହିଁନଥିବା ଦୁଃଖଦୃର୍ଦ୍ଦଶାର ଦୃଶ୍ୟଗୁଡିକୁ ଦେଖିଦେଖି ଫେରିଯାଆନ୍ତି – ଯେମିତି ବଣଭୋଜୀରୁ ବାହୁଡିଯାଆନ୍ତି – ଦୂରାଗତ ଭ୍ରମଣକାରୀଦଳ । ସେମାନଙ୍କ ତଥାକଥିତ ଜନଦରଦୀ ବିବୃତିଗୁଡିକ ଖବରକାଗଜରେ ରଂଗବୋଳାହୋଇ ଛପାଯାଏ । ଏହି ସୁଯୋଗରେ ସେମାନଙ୍କ ବାହାଦୁରୀଗୁଡାକୁ ବିଜ୍ଞପ୍ତି ରୂପେ ବ୍ୟବହାର କରିବାକୁ ମଧ୍ୟ ଏଠି କୋଟିକୋଟି ଟଙ୍କା ଅତି ଆରାମରେ ଖର୍ଚ୍ଚ କରିଦିଆଯାଏ । ହେଲେ ଏଇ ସମୟରେ ରିଲିଫ୍କେନ୍ଦ୍ରର ଲମ୍ବାଧାଡିରେ ଛିଡାହୋଇଥିବା ସେ ସବାଶେଷ ଚେହେରାଟିକୁ କେହି କ’ଣ କେବେ ଦେଖିଛନ୍ତି କି? ଲକ୍ଷ୍ୟକଲେ ଠିକ୍ ଜାଣିହେବ ଯେ – ସେଇ ସବାଶେଷ ଚେହେରାଟି ହେଉଛି – ଆମର ଏ ଭୋକିଲା ଭୂଇଁ ଓଡିଶା ।

୧୮୮୦ରୁ ୨୦୧୯ଯାଏ ଓଡିଶା ଅତି କମ୍ରେ ୪୦୦ ବାତ୍ୟା ଭୋଗିଛି । ତାହାର ୧୪ବର୍ଷ ଆଗରୁ ନଅଙ୍କ ଭଳି ଗୋଟାଏ ଦାରୁଣ ଦୃଭିକ୍ଷ ଓଡିଶାକୁ ନାରଖାର କରିଦେଇଛି – ମାତ୍ର ଏ ମହାଜାତି ତା’ର ମେରୁଦଣ୍ଡ ବଙ୍କେଇ ହାତପାତି ବାରଦୂଆରେ ଭିକ ମାଗିନାହିଁ । ବନ୍ୟାଜଳରେ ଡୁବିଯାଇଛି ବହୁ ଜୀବନଭେଳା – ଏପରିକି ବଡବଡ ଅଜଗରୀ ପାଣିର ଭଉଁରୀ ତଳେ ଚିରକାଳପାଇଁ ପୋତି ହୋଇଯାଇଛି ହଜାରହଜାର ଗାଁଗଣ୍ଡା । ଅଥଚ ସେଇ ଉଜୁଡା ଇଲାକାରୁ ବି ଉଇଁଆସିଛି ନୂୁଆ ସକାଳର ସୂର୍ଯ୍ୟ । ଏହା କେବଳ ସମ୍ଭବ ହୋଇପାରିଛି ଗୋଟାଏ ଲଢୁଆ ମହାଜାତୀର ଅଦମନୀୟ ଇଛାଶକ୍ତି ଯୋଗୁଁ । କିନ୍ତୁ ବର୍ତମାନର ବାସ୍ତବତା ଗୋଟାଏ ମସ୍ତବଡ ବିଡମ୍ବନା । ସେ ଇଛାଶକ୍ତି ଉଡାପତ୍ରପରି ଉଡିଗଲା କୁଆଡେ । ଅଥଚ ଏବେ କେବଳ ଆମକୁ ଜଳକା କରିବାପାଇଁ ଦିନରାତି କେବଳ ଅର୍ଥଶକ୍ତିର ହିଁ କିର୍ତନ ଚାଲିଛି । ହଜାରହଜାର କୋଟିଟଙ୍କାର ଦାବୀନାମା କାନକୁ ହୁଏତ ସୁନ୍ଦର ଶୁଣାଯାଇଥାଇପାରେ, କିନ୍ତୁ ସାମୁହିକ ମନ ଓ ବିବେକର ପ୍ରଶ୍ନ ଆଗରେ ଏ ଅର୍ଥର କାଣିଚାଏ ମୂଲ୍ୟ ଅଛିକି? ଏଇ କିଛିଦିନ ତଳେ ଆମ ଆଂଚଳିକ ଶାସନମୁଖ୍ୟଙ୍କର ଗୋଟିଏ ନିଷ୍ପତିକୁ ନିର୍ଦ୍ଦେଶର ଦିଗ ଆମ୍ଭମାନଙ୍କୁ ଶୁଣାଇଦିଆଗଲା । ସେ ନିର୍ଦ୍ଦେଶ ହେଉଛି – ଲୋକେ ରାସ୍ତାରେ ପଡିଥିବା ଗଛର ଡାଳକାଟି ଘରକୁ ନେଇଯାଆନ୍ତୁ । ଏ ନିଷ୍ପତିରେ ଲୋକେ ଖୁସି । ହେଲେ ଟିକିଏ ଭାବିଲେ କି – ଏ ନିଷ୍ପତିଟା ଶାସନମୁଖ୍ୟଙ୍କର ପ୍ରକୃତରେ ଜନଦରଦୀବାଣୀ ନା ତାଙ୍କ ନିଜ ଅପାରଗତାର ଇସ୍ତାହାର । ଆସନ୍ତାକାଲି ଯଦି ରିଲିଫ୍କେନ୍ଦ୍ରରେ ଖାଦ୍ୟଗୁଡା ପହଂଚିନପାରିଲା କି ଖାଦ୍ୟା ନାଁରେ ଗୁଡାଏ ଦରସିଜା ଅଖାଦ୍ୟ ଆସି ଥୁଆହେଲା – ତା’ହେଲେ ଲୋକମାନଙ୍କୁ ନିଜ ଅପାରଗତାକୁ ଘୋଡାଇବାକୁ ଯାଇ ଶାସନମୁଖ୍ୟ ନୂତନ ନିଷ୍ପତି ଶୁଣାଇଦେଇପାରନ୍ତି ଯେ – ଯଦି ପାରୁଛ ଲୁଟିଖାଅ । ମନେପଡୁଛି ଅଭିଭକ୍ତ ବଂଗପ୍ରଦେଶରେ ୧୯୪୨ ମସିହାରେ ମହାଭୟଙ୍କର ଦୃର୍ଭିକ୍ଷ ଆସି ଯେତେବେଳେ ଜନଜୀବନକୁ ତଳିତଳାନ୍ତ କରିଦେଲା – ସେତେବେଳେ ଜାତୀୟକ୍ରାନ୍ତୀର କର୍ଣ୍ଣଧାର ପଣ୍ଡିତ ଜବାହାରଲାଲ ନେହେରୁ ପରାଧୀନ ଦେଶର ବଂଗଜନତାଙ୍କୁ ଉଦ୍ବୋଧନଦେଇ କହିଥିଲେ – ଖାଦ୍ୟ ମିଳୁନି ତ – ଯାଅ – ଲୁଟ୍ପାଟ୍ କର – ଯେଉଁଠି ଯାହାପାଉଛ ଅକ୍ତିଆର କର । ପ୍ରସଙ୍ଗକ୍ରମେ ୧୯୭୧ ମସିହାରେ ଯେତେବେଳେ ବାଂଲାଦେଶର ମୁକ୍ତିଯୋଦ୍ଧାବାହିନୀ ନିଜମାଟିକୁ ଆଜାଦ୍ କରିବା ଅଭିଯାନରେ ମତୁଆଲା – ସେତେବେଳେ ସେମାନଙ୍କ ଆଖିଆଗରେ ପାକିସ୍ଥାନ ସେନାବାହିନୀ ନୁହେଁ ବଂର ତା’ଠାରୁ ଶତେଗୁଣେ ବଳଶାଳୀ ଆଉଗୋଟାଏ ଦୁର୍ଦ୍ଧାନ୍ତ ଦୁଶ୍ମନ୍ ଆସି ସେମାନଙ୍କ ଅଗ୍ରଗତିର ପଥରୋଧ କଲା – ଜାଣନ୍ତି ସେ ଦୁଶ୍ମନ୍ କିଏ? ତାହା ହେଉଛି – ମଣିଷର ସେଇ ଚିରକାଳୀନ ଶତ୍ରୁ – କ୍ଷୁଧା । ସେଇ ସମୟରେ ବଂଗଳାଦେଶରେ ଗୋଟିଏ ସ୍ଫୃଲିଙ୍ଗର ପଙ୍କ୍ତି ଗଗନପବନକୁ ଥରଥର କରିଦେଇଥିଲା । ତା’ର ପ୍ରତିକ୍ରିୟା ଏ ଓଡିଶା ମାଟିର ଅଗ୍ରଗଣ୍ୟ କବି ସଚ୍ଚି ରାଉତରଙ୍କ କବିତାରେ ମଧ୍ୟ ପ୍ରତିଧ୍ୱନିତ – ଖାଦ୍ୟ ଥାଉ ଯେଉଁଠାରେ – ତାହା ମୋର – ଯେଣୁ ମୁଁ କ୍ଷୁଧାର୍ତ ।

ଏଇ ୨୦ବର୍ଷ ଆମର ଏ ଓଡିଶା ପାଲଟିଛି – ଗୋଟିଏ ବୁଭୁକ୍ଷିତ ଭୂମୀ । ୧୯୯୯ର ମହାବନ୍ୟାରୁ ଆରମ୍ଭକରି ନିକଟଅତିତରେ ଫାଇଲିନ୍, ହୁଡ୍ହୁଡ୍, ତିତିଲି ଓ କିଛିଦିନ ତଳର ‘ଫଣୀ’ର ଫୁତ୍କାର ଏ ଭୂମୀକୁ ଗୋଟାଏ ଭୟଙ୍କର ଭୋକରଭୂଗୋଳରେ ପରିଣତ କରିଦେଇଛି । ଏ ଭୋକର ଆଁ ଆଗରେ ହଜାରହଜାର କୋଟିଟଙ୍କା ହାବୁକାଏ ହାଇ ଆଗରେ କୁଆଡେ ବୋଲି କୁଆଡେ ଉଡିଯାଇଥିବା ମୁଠାଏ କୁଟାକାଠି ମାତ୍ର । ଏ ମହରଗ ମୂଲକର ମାଗିଖିଆ ସରକାର ଯେତେ ଲାଗିପଡିଲେ ବି ଭୋକିଲା ମଣିଷମାନଙ୍କ ମୁହଁରେ ଚେନାଏ ହସ ଫୁଟାଇପାରିବନାହିଁ । କାରଣ ଦି’ଟଙ୍କିଆ ଚାଉଳରୁ ଆରମ୍ଭ ହୋଇଥିବା ରାଜନୈତିକନାରା ଆଜି ତାଙ୍କ ନିର୍ବାଚନଧାରାକୁ ଧୂର୍ତ ପ୍ରଶାସକମାନଙ୍କ କୂଟକୌଶଳ ନିକଟରେ ନତମସ୍ତକ କରାଇବାପାଇଁ ବାଧ୍ୟକରିଛି । ଆମେ ଏବେ ନିର୍ବାଚନୀ ମଂଚରେ ଯେଉଁମାନଙ୍କୁ ନାୟକ ଭୂମିକାରେ ଛିଡାହେବାର ଦେଖିଲୁ – ସେମାନଙ୍କୁ ମଧ୍ୟରୁ କେହିଜଣେ ହେଲେବି ଗାନ୍ଧୀ, ଗୋପବଂଧୁ, ସୁବାଷ, ନେହେରୁ, ଶାସ୍ତ୍ରୀଙ୍କ କାଣି ଆଙ୍ଗୁଠିକୁ ବି ସରିହେବେନାହିଁ । ଗୁଡିଏ ଚଂଚକଚରୀତ୍ର ଏବେ ଆମ ଆଖିଆଗରେ କାରପଟ୍ଦାର କୁଶୀଲବ ।

ଯେଉଁମାନଙ୍କ ଭିତରୁ ଶତକଡା ୮୫ଜଣ କାଠଗଡାର ଶୋଭା ବଢାଇବା କଥା – ଆଜି ସେଇମାନଙ୍କ ହାତରେ ଏ ପ୍ରଦେଶର ବିଚାରଭାର ଆଗକୁ ନ୍ୟସ୍ତ ରହିବ । ସେମାନଙ୍କୁ କୁହାଯିବ – ନବୀନ ଓଡିଶାର ଭାଗ୍ୟବିଧାତା । ଏଇ ପରିପ୍ରେକ୍ଷିରେ ବିଚାର କରନ୍ତୁ – ରାଜ୍ୟପାଇଁ କେନ୍ଦ୍ରରୁ ଆସୁଥିବା ହଜାରହଜାର କୋଟିଟଙ୍କାର ସହାୟତା କ’ଣ ସତରେ ଶତପ୍ରତିଶତ ଜନସ୍ୱାର୍ଥରେ ନିୟୋଜିତ ହେବ? ଏ ପ୍ରଶ୍ନ ଏକ ସାମହିକ ପ୍ରଶ୍ନ – ଯାହାର ଜବାବ – ଏ ନକଲି ନବାବମାନେ କସ୍ମିନ୍କାଳେ ଦେଇପାରିବେନାହିଁ । ମୋର ବିନମ୍ର ଅନୁରୋଧ – ଏ ଓଡିଶା ଭୂଇଁକୁ ଇଛାମୃତ୍ୟୁର କବରଭୂମିରେ ପରିଣତ କରିବାର ପ୍ରହସନ ବନ୍ଦ କରିବାପାଇଁ ପ୍ରତ୍ୟେକ ଘରୁ ନାରୀସମାଜର ସ୍ୱର କୋଟିକୋଟି କଣ୍ଠରେ ଗୁଞ୍ଜରିତ ହେଉ – ଗୋଟାଏ କାପୁରୁଷ ଶାସନଚକ୍ର ଏ ମାଟିର ସୁଦର୍ଶନଚକ୍ରକୁ ସାମ୍ନାକରିବାର ଦୁଃସାହାସକୁ ଖତମ୍ କରିଦିଆଯାଉ । ସମସ୍ତେ ଅଂଟା ସଳଖି ବାଟଚାଲିଲେ କଂଟା ଆଗରେ ଆମର କଦମ କେବେ ହାର୍ ମାନିବାରନାହିଁ । ଆମେ କାନ୍ଧକୁ କାନ୍ଧ ମିଶାଇ ହାତରେ ହାତଛନ୍ଦି ଆସନ୍ତୁ ଆବିଷ୍କାର କରିବା ଆମର ସେଇ ଅପହୃତ ଇଛାଶକ୍ତିର ଅପରାଜେୟ ଓଡିଶା ।

ଯାଜପୁର ରୋଡ, ଯାଜପୁର
ମାୟାଧର ନାୟକ
ମୋ- ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ